
- “ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ”
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାରେ ଉଲ୍ଲାସ ଅଭିଯାନ ଅଧୀନରେ ଏଫ୍ଏଲ୍ଏନ୍ଏଟି (ଫାଉଣ୍ଡେସନାଲ ଲିଟରେସି ଆଣ୍ଡ ନ୍ୟୁମେରସି ଏସେସମେଣ୍ଟ ଟେଷ୍ଟ)-୨୦୨୬ ପରୀକ୍ଷା ସୂଚାରୁ ରୂପେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ମୋଟ ୨୨୦୩ଟି ବିଦ୍ୟାଳୟରେ ଏହି ପରୀକ୍ଷା ଆୟୋଜିତ ହୋଇଥିବାବେଳେ ପ୍ରାୟ ୪୫ ହଜାର ନବସାକ୍ଷର ଏଥିରେ ଅଂଶଗ୍ରହଣ କରିଥିଲେ । ପରୀକ୍ଷାର ସୁପରିଚାଳନା ଓ ବ୍ୟବସ୍ଥାପନା ତଦାରଖ କରିବା ପାଇଁ ଜିଲ୍ଲା ଶିକ୍ଷାଧିକାରୀ (ଡିଇଓ) ସୁଧାଂଶୁ ଶେଖର ମିଶ୍ର ବିଭିନ୍ନ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଥିଲେ । ସେହିପରି ଜିଲ୍ଲାର ତିନିଜଣ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ (ଏଡିଇଓ) ପ୍ରବୀର କୁମାର ପଣ୍ଡା, ରୀନା କୁମାରୀ ବେହେରା ଓ ସେବାଶ୍ରୀ ଭୋଇ ମଧ୍ୟ ବିଭିନ୍ନ କେନ୍ଦ୍ର ପରିଦର୍ଶନ କରି ପରୀକ୍ଷାର ବ୍ୟବସ୍ଥା ଓ ପରିଚାଳନା ଅନୁଧ୍ୟାନ କରିଥିଲେ । ପରୀକ୍ଷାକୁ ସୂଚାରୁ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବାରେ ଜିଲ୍ଲାର ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ, ସାଧନକର୍ମୀ, ଧନ୍ଦାମୂଳକ ଶିକ୍ଷକ, ପ୍ରଧାନଶିକ୍ଷକ, ସହକାରୀ ଶିକ୍ଷକ ଏବଂ ନୋଡାଲ ଉଚ୍ଚ ବିଦ୍ୟାଳୟର ଶିକ୍ଷକମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ । ଏଥିସହିତ ସର୍ଭେୟର, ସ୍ୱେଚ୍ଛାସେବୀ ଓ ଅନ୍ୟାନ୍ୟ ଶିକ୍ଷକମାନେ ମଧ୍ୟ ପରୀକ୍ଷା ପରିଚାଳନାରେ ସହଯୋଗ କରିଥିଲେ । ଜିଲ୍ଲାର ଦୂରଦୂରାନ୍ତ ଅଞ୍ଚଳରୁ ନବସାକ୍ଷରମାନେ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ଉତ୍ସାହର ସହିତ ପରୀକ୍ଷା ଦେଇଥିଲେ । ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଦକ୍ଷତାର ମୂଲ୍ୟାୟନ ସହିତ ନବସାକ୍ଷରମାନଙ୍କ ମଧ୍ୟରେ ଶିକ୍ଷା ପ୍ରତି ଆଗ୍ରହ ଓ ଆତ୍ମବିଶ୍ୱାସ ବୃଦ୍ଧି କରିବାରେ ଏହି ପରୀକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଛି । ସମସ୍ତଙ୍କ ସମନ୍ୱିତ ପ୍ରୟାସ ଯୋଗୁଁ ଜିଲ୍ଲାରେ ଉଲ୍ଲାସ ଏଫ୍ଏଲ୍ଏନ୍ଏଟି–୨୦୨୬ ପରୀକ୍ଷା ଶାନ୍ତିଶୃଙ୍ଖଳା ଓ ସଫଳତାର ସହ ସମ୍ପନ୍ନ ହୋଇଥିଲା ।