jayashree

ବିଶ୍ୱ ରକ୍ତଦାତା ଦିବସ -୨୦୨୬ ଅବସରରେ ଟିଟିଲାଗଡ ଉପଖଣ୍ଡ ଚିକିତ୍ସାଳୟରେ ସମ୍ବର୍ଦ୍ଧନା ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଜୁନ ୧୪ ତାରିଖ ହେଉଛି ବିଶ୍ୱ ରକ୍ତଦାତା ଦିବସ । ଏହି ଅବସରରେ ଓଡ଼ିଶା ରକ୍ତକେନ୍ଦ୍ର, ଉପଖଣ୍ଡ ଚିକିତ୍ସାଳୟ, ଟିଟିଲାଗଡ଼ ପକ୍ଷରୁ ଏକ ସମ୍ବର୍ଦ୍ଧନା ଓ ସଚେତନତା କାର୍ଯ୍ୟକ୍ରମ ରବିବାର ସନ୍ଧ୍ୟାରେ ନୂତନ ଉପଖଣ୍ଡ ଚିକିତ୍ସାଳୟର ସମ୍ମିଳନୀ କକ୍ଷରେ ବ୍ଲଡ ବ୍ୟାଙ୍କ ଅଧିକାରୀ ତଥା ସୁପରିଚିତ ଡାକ୍ତର ଓଁକାର ହୋତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ବିଧାନସଭା କ୍ଷେତ୍ରର ବିଧାୟକ ନବୀନ ଜୈନ, ସମ୍ମାନିତ ଅତିଥି ଭାବେ ଟିଟିଲାଗଡ ନାଗରିକ ମଞ୍ଚର ସଭାପତି ରାଧାକାନ୍ତ ପାଢ଼ୀ, ଏସଡିଏମ ଓ ପି. କେ. ନାଏକ, ମାତୃ ଶିଶୁ ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ବଳରାମ ସାହୁ, ଡାକ୍ତର ଅସିତ୍ ମହାନ୍ତି ମଞ୍ଚାସୀନ ହୋଇଥିଲେ । ଅତିଥିଙ୍କ ଦ୍ୱାରା ମା’ ଘଣ୍ଟାଶୁଣିଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ଦୀପ ପ୍ରଜ୍ୱଳନ କରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ମଞ୍ଚ ପରିଚାଳନା କରିଥିଲେ କଲ୍ୟାଣ ବୋଷ । ଏଥିସହ ବିଭିନ୍ନ ସମାଜସେବୀ, ରକ୍ତଦାତା ଏବଂ ସ୍ୱେଚ୍ଛାସେବୀ ସଂଗଠନର ପ୍ରତିନିଧିମାନେ ଉପସ୍ଥିତ ରହିଥିଲେ । ଏହି ଅବସରରେ ରକ୍ତ ଦାନ କେତେ ମହାନ କାମ ସେ ବିଷୟରେ ଆଲୋକପାତ କରିବା ସହ ଏହି ମହତକାମ ଦ୍ୱାରା କେତେ ଲୋକଙ୍କୁ ଜୀବନ ଦାନ କରାଯାଉଛି ବୋଲି କହିବା ସହ ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ସବୁଠାରୁ ଅଧିକ ରକ୍ତ ଯୋଗାଡ କରିବାରେ ସକ୍ଷମ ହୋଇଛୁ ଏବଂ ସେଥିପାଇଁ ରକ୍ତଦାତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଡ. ଓଁକାର ହୋତା । ସେହିପରି ଡାକ୍ତର ବଳରାମ ସାହୁ ଗୋଟାଏ ପ୍ୟାକେଟ ରକ୍ତ ଦ୍ୱାରା କିଭଳି ଏବଂ କେଉଁ କେଉଁ ରୋଗୀଙ୍କୁ ଦିଆଯାଇପାରେ ସେ ବିଷୟରେ ଅବଗତ କରାଇଥିଲେ । ଏସ ଡି ଏମ ଓ ଶ୍ରୀ ନାଏକ ରକ୍ତ ଭଣ୍ଡାରରେ ରକ୍ତଦାତା ରକ୍ତ ଦାନ କଲେ ହିଁ ରକ୍ତ ସଂରକ୍ଷିତ ହୋଇଥାଏ ଯାହା ରୋଗୀଙ୍କୁ ଦିଆଯାଇଥାଏ କିନ୍ତୁ ଲୋକଙ୍କ ମାନସିକତା ଯେ, ରକ୍ତ ଭଣ୍ଡାରରେ ସଦାବେଳେ ରକ୍ତ ରହିଥାଏ ବୋଲି ଭାବିଥାଆନ୍ତି । ତା’ ନୁହେଁ ରକ୍ତ ଦାନ କଲେ ହିଁ ସେହି ରକ୍ତ ରୋଗୀଙ୍କୁ ଦିଆଯାଇଥାଏ । ଏହି ବାର୍ତ୍ତା ଲୋକଙ୍କୁ ଦେବା ସହ ରକ୍ତଦାନ ଦ୍ୱାରା ହିଁ ଅନ୍ୟଲୋକଙ୍କୁ ସାହାଯ୍ୟ କରିପାରିବା ବୋଲି କହିଥିଲେ । ସମ୍ମାନିତ ଅତିଥି ରାଧାକାନ୍ତ ପାଢ଼ୀ ଯିଏ ରକ୍ତଦେଇ ଲୋକଙ୍କ ଜୀବନ ବଞ୍ଚାଉଛି ସିଏ ହିଁ ବଡ ସେବା ସହ ମହତ୍ କାମ କରୁଛନ୍ତି । ସେଥିପାଇଁ ସେମାନଙ୍କୁ ସେଲୁଟ ବୋଲି କହିଥିଲେ । ତା’ ସହିତ ସହରରେ ୨୪୭ ଭଳି ବ୍ୟବସ୍ଥା କରିବାକୁ ଦାବି କରିଥିଲେ । “ରକ୍ତଦାନ – ମହାଦାନ, ଜୀବନ ବଞ୍ଚାଏ ରକ୍ତଦାନ ନାରା ଦେବା ସହ ଆଗକୁ ଆହୁରି ରକ୍ତଦାନ କରିବା ପାଇଁ ଯୁବ ପୀଢ଼ିଙ୍କୁ ଆହ୍ୱାନ ଦେଇ ସମାଜରେ ରକ୍ତ ଅଭାବକୁ କିପରି ହ୍ରାସ କରି ହେବ ସେ ବିଷୟରେ କହିଥିଲେ । ଏକ ମେଗା ରକ୍ତଦାନ ଶିବିର ଯାହାକି ୧୪୦୭ ୟୁନିଟ ରକ୍ତ ସଂଗ୍ରହ କରିଥିଲୁ ତାହା ବି ସାରା ରାଜ୍ୟରେ ରେକର୍ଡ ସୃଷ୍ଟି କରିଥିଲୁ । ଟିଟିଲାଗଡ ସରକାରୀ ଡାକ୍ତରଖାନାରେ ଯାହାବି ସମସ୍ୟା ରହିଛି ଧିରେ ଧିରେ ସେ ସବୁ ସମସ୍ୟାର ସମାଧାନ ପାଇଁ କାର୍ଯ୍ୟ କରୁଛି ଆଉ ଆଗକୁ ବି ଜାରି ରହିବ ବୋଲି କହିଥିଲେ ଟିଟିଲାଗଡ ବିଧାୟକ ନବୀନ ଜୈନ । ଆଗାମୀ ଦିନରେ ସହରରୁ ପିପଲ ପଦର ସ୍ଥିତ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାକୁ ଆସିବା ପାଇଁ ତିନୋଟି ବ୍ୟାଟେରୀ ଚାଳିତ ବାହାନ ଡାକ୍ତରଖାନାକୁ ଦିଆଯିବ ଯେଉଁଥିରେ ରୋଗୀ ନିଶୁଳ୍କ ଏହି ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାକୁ ଆସିପାରିବେ ବୋଲି କହିଛନ୍ତି । ସଭା ସରିବା ପରେ ରକ୍ତଦାନ କ୍ଷେତ୍ରରେ ଅଗ୍ରଣୀ ଭୂମିକା ତୁଲାଇଥିବା ରକ୍ତଦାତା ଓ ଅନୁଷ୍ଠାନମାନଙ୍କୁ ସମ୍ମାନିତ କରାଯାଇଥିଲା ।

Leave A Reply

Your email address will not be published.