ଅଞ୍ଚଳ ମହାବିଦ୍ୟାଳୟରେ ବିଶ୍ୱସ୍ତରୀୟ ଅନୁଷ୍ଠାନର ବିକାଶ ଉପରେ ବିଶିଷ୍ଟ ଅତିଥି ବ୍ୟାଖ୍ୟାନ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ସମ୍ମିଳନୀ ପ୍ରକୋଷ୍ଠରେ ଶିକ୍ଷା ବିଭାଗ ଏବଂ ଆଇକ୍ୟୁଏସିର ସହଯୋଗରେ ଅଧ୍ୟକ୍ଷ ଡ଼. ଲଳିତେଣ୍ଡୁ ନାୟକଙ୍କ ସଭାପତିତ୍ୱରେ ‘ବିଶ୍ୱସ୍ତରୀୟ ଅନୁଷ୍ଠାନର ବିକାଶ ଏବଂ ଏହି ଦିଗରେ ହିତାଧିକାରୀଙ୍କ ଭୂମିକା’ ଉପରେ ଏକ ବିଶିଷ୍ଟ ଅତିଥି ବ୍ୟାଖ୍ୟାନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶିକ୍ଷା ବିଭାଗର ମୁଖ୍ୟ ଡ଼. ତୁଷାରକାନ୍ତ ସାହୁ ଅତିଥି ପରିଚୟ ଦେଇଥିଲେ । ଲକ୍ଷ୍ନୌ ବିଶ୍ଵବିଦ୍ୟାଳୟର ପୂର୍ବତନ ପ୍ରଫେସର ଉମେଶ ଚନ୍ଦ୍ର ବଶିଷ୍ଠ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ନିଜ ଅଭିଭାଷଣରେ ବିଶ୍ୱସ୍ତରୀୟ ଅନୁଷ୍ଠାନ ବିଷୟରେ ସଂକ୍ଷିପ୍ତ ଧାରଣା ଦେଇ ଶିକ୍ଷାର ଆନ୍ତର୍ଜାତୀୟକରଣ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଏହି ଦିଗରେ ଶିକ୍ଷାର ସମସ୍ତ ହିତାଧିକାରୀମାନଙ୍କ ଭୂମିକାର ଉଦାହରଣ ସହିତ ବ୍ୟାଖ୍ୟା କରିଥଲେ । ପର୍ଶୁରାମ ମିଶ୍ର ଅଗ୍ରଗାମୀ ଶିକ୍ଷା ପ୍ରତିଷ୍ଠାନ, ସମ୍ବଲପୁରର ପୂର୍ବତନ ପ୍ରଫେସର ଉମେଶ ପ୍ରସାଦ ଖେଡେଙ୍ଗା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଏବଂ ନିଜ ଅଭିଭାଷଣରେ ଜଗତିକରଣ, ଉଦାରିକରଣ ଏବଂ ଘରୋଇକରଣ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହାର ବ୍ୟବହାରିକ ଦିଗ ଉପରେ ବ୍ୟାଖ୍ୟା କରିଥିଲେ । ଅଞ୍ଚଳ ମହାବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ ନିଜ ଅଭିଭାଷଣରେ ବିଶ୍ୱସ୍ତରୀୟ ଅନୁଷ୍ଠାନର ବିକାଶ ଦିଗରେ ଶିକ୍ଷକଙ୍କ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । ପରିଶେଷରେ ଆଇକ୍ୟୁଏସିର ସଂଯୋଜକ ପ୍ରଫେସର ଲଳିତ ମୋହନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ତଥା ଛାତ୍ରଛାତ୍ରୀ ବୃନ୍ଦ ଯୋଗ ଦେଇଥିଲେ ।

Leave A Reply

Your email address will not be published.