ଏନ୍ଏସି ତାଲିକାରୁ ବାଦ୍ ପଡ଼ିଲା ଲୋଇସିଂହା, ଆନ୍ଦୋଳନ ପାଇଁ ସଜବାଜ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ରାଜ୍ୟ ସରକାର ଶନିବାର ଆଉ ୩୪ଟି ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ତାଲିକା ଘୋଷଣା କରିଛନ୍ତି । ତେବେ ଏହି ତାଲିକାରୁ ଲୋଇସିଂହା ବାଦ୍ ପଡ଼ିଥିବାରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବଲାଙ୍ଗିର ଜିଲ୍ଲାର ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ଲୋଇସିଂହାକୁ ଛାଡ଼ିଦେଲେ ଅନ୍ୟ ସବୁ ନିର୍ବାଚନ ମଣ୍ଡଳୀ ମୁଖ୍ୟାଳୟ ଗୁଡ଼ିକ ଏନ୍ଏସି ଅଥବା ମ୍ୟୁନିସପାଲିଟି ଅଟେ । ଲୋଇସିଂହାର ସମସାମୟିକ ତୁଷୁରା ଓ ତରଭାକୁ ରାଜ୍ୟ ସରକାର ଦୀର୍ଘ ବର୍ଷ ତଳୁ ଏନ୍ଏସି ଘୋଷଣା କରି ସାରିଥିଲେ ମଧ୍ୟ ଲୋଇସିଂହା ଏହି ତାଲିକାରୁ ବାଦ୍ ପଡ଼ିଛି । ଲୋଇସିଂହାକୁ ଏନ୍ଏସି ମାନ୍ୟତା ମିଳିବା ଦାବିରେ ସ୍ଥାନୀୟ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ଦୀର୍ଘଦିନ ଧରି ଆନ୍ଦୋଳନ ମଧ୍ୟ କରାଯାଇଥିଲା । ଜିଲ୍ଲା ପ୍ରଶାସନର ପ୍ରତିଶୃତି ପରେ ସ୍ଥାନୀୟ ଲୋକେ ଆନ୍ଦୋଳନରୁ ଓହରି ଥିଲେ ମଧ୍ୟ ପ୍ରତିବାଦ ସ୍ୱରୂପ ପ୍ରତିମାସର ଶେଷ ବୁଧବାର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ କରିଥାନ୍ତି । ସ୍ଥାନୀୟ ବିଧାୟକ ମଧ୍ୟ ଅନେକ ଥର ଏନେଇ ବିଧାନସଭାରେ ସ୍ୱର ଉତ୍ତୋଳନ କରି ଆସିଛନ୍ତି । ଏନ୍ଏସି ପାଇଁ ସମସ୍ତ ଯୋଗ୍ୟତା ଓ ମାନଦଣ୍ଡ ପୁରଣ କରୁଥିଲେ ମଧ୍ୟ ଲୋଇସିଂହା ଏଥିରୁ ବଞ୍ଚିତ ହୋଇଛି । ଫଳରେ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏପରିକି ସରକାର ନିଜ ନିଷ୍ପତ୍ତିର ପୁନର୍ବିଚାର ନ କଲେ ପ୍ରଶାସନିକ କଳକୁ ଅଚଳ କରି ଦିଆଯିବ ବୋଲି ଚେତାବନୀ ଦିଆଯାଇଛି । ସ୍ଥାନୀୟ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ଆଜି ଏକ ସର୍ବଦଳୀୟ ବୈଠକ ଆହ୍ଵାନ କରାଯାଇ ଏକ ଜୋରଦାର ଆନ୍ଦୋଳନ କରାଯିବା ସକାଶେ ନିଷ୍ପତ୍ତି ନିଆଯାଇଛି ।

Leave A Reply

Your email address will not be published.

4 × five =