ସୁଜିତ କୁମାର ସତପଥିଙ୍କ ‘ଅନାମିତ ରହୁ କିଛି’ ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : କେବେ କ’ଣ ନାଁ ଦିଆଯାଇପାରିଛି ଭାବକୁ, ସଂପର୍କକୁ, ସମୟକୁ, କବିତାକୁ, ପ୍ରେମକୁ, ଦ୍ରୋହକୁ, ନିଜକୁ ? କିଛି ଅନାମିତ ରହିଛି ବୋଲି ତ ନିଜେ ଭୋଗୁଥିବା ସମୟକୁ, ଜୀବନକୁ କବି ସ୍ପଷ୍ଟ ଭାବରେ ବ୍ୟକ୍ତ କରିପାରୁଛି ଶବ୍ଦରେ । କବିତା ମାଧ୍ୟମ ସାଜିଛି ହୃଦୟ ସହ ହୃଦୟକୁ ଯୋଡିବାରେ । କବିତା କ’ଣ, କାହା ପାଇଁ ଲେଖୁଛି, କାହାକୁ ନେଇ ଲେଖୁଛି ? ଅନେକ ପ୍ରଶ୍ନ, ଅନେକ ଦ୍ୱନ୍ଦ୍ୱ । ତଥାପି ହୃଦୟରୁ କେହି ଜଣେ କହୁଛି ‘ମୁଁ ହିଁ କବିତା, ନିଜ ପାଇଁ ଲେଖୁଛି, ନିଜକୁ ନେଇ ଲେଖୁଛି’ । ଜୀବନାୟନର ପ୍ରତିଟି ରଂଗକୁ ନେଇ ଯୁବକବି ସୁଜିତ କୁମାର ସତପଥିଙ୍କ ଷଷ୍ଠ କବିତା ସଂକଳନ ‘ଅନାମିତ ରହୁ କିଛି’ ଉନ୍ମୋଚିତ ହୋଇଯାଇଛି । ପୁସ୍ତକଟିକୁ ଉନ୍ମୋଚନ କରିଛନ୍ତି ପ୍ରଖ୍ୟାତ ଗାଳ୍ପିକା ଗାୟତ୍ରୀ ସରାଫ । ଗାଳ୍ପିକାଙ୍କ ବଲାଙ୍ଗିର ସ୍ଥିତ ବାସଭବନରେ ଅନୁଷ୍ଠିତ ଏହି ଉନ୍ମୋଚନ ସଭାରେ ଅନ୍ୟମାନଙ୍କ ମଧ୍ୟରେ କବି ସନ୍ଦୀପ କୁମାର କୁଅଁର, ଗାଳ୍ପିକାଙ୍କ ସ୍ୱାମୀ ଅମୋଲ ଜେନା ଏବଂ ଆଦ୍ୟାଂଶ ସତପଥି ଉପସ୍ଥିତ ଥିଲେ । ଏହି କବିତା ସଂକଳନ ଯେତେ ସବୁ ବାଦକୁ ପ୍ରତ୍ୟାଖ୍ୟାନ କରି ଜୀବନର ମନ୍ତ୍ର ଉଚ୍ଚାରୁଛି ବୋଲି ଗାଳ୍ପିକା ଗାୟତ୍ରୀ ସରାଫ ନିଜର ମତ ରଖିଥିଲେ । କବିତାର ସମୟକୁ ଅତିକ୍ରାନ୍ତ କରିବାର ସାମର୍ଥ୍ୟ ତଥା କବିତା ଓ ଚଳନ୍ତି ସମୟ ମଧ୍ୟରେ ଥିବା ପାରସ୍ପରିକ ସଂପର୍କ ଉପରେ ନିଜର ମତ ରଖିଥିଲେ କବି ସନ୍ଦୀପ କୁମାର କୁଅଁର । ଶିଶୁ ଚିତ୍ରଶିଳ୍ପୀ ଅସ୍ମିତା ପାଣିଙ୍କ ଦ୍ୱାରା ଅଂକିତ ଚିତ୍ର ଏହି ସଂକଳନରେ ପ୍ରଚ୍ଛଦର ରୂପ ନେଇ ଢେର ପ୍ରଶଂସା ସାଉଁଟିଛି । ପ୍ରକାଶ ଥାଉକି ଆଗରୁ ସୁଜିତ ସତପଥିଙ୍କ କବିତା ସଂକଳନ ଇଚ୍ଛାଭାଟି, ଚତୁର୍ଥ ପୁରୁଷ, ଶବ୍ଦରେ ଶବ୍ଦରେ, ଛୁଟି ଦେବା ସମୟକୁ ଏବଂ ନୁରା ଓ ଆଲୋଚନା ପୁସ୍ତକ ଦୀପ୍ତି ଓ ଦିଗନ୍ତ ପ୍ରକାଶିତ ହୋଇ ବେଶ ପାଠକୀୟ ଆଦୃତି ଲାଭ କରିସାରିଛି ।

Leave A Reply

Your email address will not be published.

fourteen − 6 =