ଭାରତରେ ବିକଳ୍ପ ରାଜନୈତିକ ଶକ୍ତିର ଆବଶ୍ୟକତା ରହିଛି : ସମାଜବାଦୀ ନେତା ସନ୍ଦିପ ପାଣ୍ଡେ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଭାରତୀୟ ସମ୍ବିଧାନର ସୁରକ୍ଷା ସହିତ ଦେଶରେ ସମତା ପ୍ରତିଷ୍ଠା କରିବା ପାଇଁ ଏକ ନୂତନ ରାଜନୈତିକ ଶକ୍ତିର ଆବଶ୍ୟକତା ରହିଛି ବୋଲି ମେଗାସେସ୍ ପୁରସ୍କାରପ୍ରାପ୍ତ ତଥା ବିଶିଷ୍ଟ ସମାଜବାଦୀ ନେତା ସନ୍ଦିପ ପାଣ୍ଡେ ପ୍ରକାଶ କରିଛନ୍ତି । ସ୍ଥାନୀୟ ବିଜିପୁର ସନ୍ତୋଷୀ ମା’ ମନ୍ଦିର ସମ୍ମିଳନୀ କକ୍ଷରେ ନବ ନିର୍ମାଣ କୃଷକ ସଂଗଠନ ଓ ନାଗରିକ ସମାଜ ଗଞ୍ଜାମ ପକ୍ଷରୁ ଆୟୋଜିତ ଏକ ଆଲୋଚନାଚକ୍ରରେ ଶ୍ରୀ ପାଣ୍ଡେ ଉପରୋକ୍ତ ମନ୍ତବ୍ୟ ଦେବା ସହିତ ସମଗ୍ର ଭାରତ ବର୍ଷ ତଥା ଓଡ଼ିଶାରେ ଏକଛତ୍ର ଶାସନ ବ୍ୟବସ୍ଥାର ପରିବର୍ତ୍ତନ ପାଇଁ ନୂତନ ବିକଳ୍ପର ଜରୁରୀ ହୋଇପଡ଼ିଛି ବୋଲି କହିଥିଲେ । ଶ୍ରୀ ପାଣ୍ଡେ ଦେଶ ସ୍ୱାଧୀନତା ପାଇବାର ୭୫ ବର୍ଷ ଅତିକ୍ରାନ୍ତ କରିଥିଲେ ମଧ୍ୟ ଧନୀ-ଗରିବ ତାରତମ୍ୟ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ଏହି ବ୍ୟବସ୍ଥାର ପରିବର୍ତ୍ତନ ଜରୁରୀ ହୋଇପଡ଼ିଛି ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଆନ୍ତର୍ଜାତୀୟ ୟୁନିସେଫ୍‌ ପୁରସ୍କାରପ୍ରାପ୍ତ ସମାଜସେବୀ ରମେଶ ଚନ୍ଦ୍ର ସାହୁ ଅଧ୍ୟକ୍ଷତା କରିଥିବା ବେଳେ ନାଗରିକ ସମାଜ ଗଞ୍ଜାମର ଆବାହକ ଗୁରୁଚରଣ ପାତ୍ର ସଂଯୋଜନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନବ ନିର୍ମାଣ କୃଷକ ସଂଗଠନର ମୁଖ୍ୟ ଅକ୍ଷୟ କୁମାର, ଓଡ଼ିଶା ସୂଚନା ଅଧିକାର ଆବାହକ ପ୍ରଦୀପ ପ୍ରଧାନ, ନବୀନର ସମ୍ପାଦକ ତଥା ଓଡ଼ିଶା ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘ ସଭାପତି ରବି ରଥ, ସମାଜସେବୀ ରମେଶ ବେହେରା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ । ଡ଼. କୁଳମଣି, ସୂର୍ଯ୍ୟ ନାରାୟଣ ବେହେରା, ସୁବ୍ରତ ରଥ, ପ୍ରଦୀପ କୁମାର କର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

one × three =