ଦୁଇ କନ୍ୟା ସନ୍ତାନ ଜନ୍ମ ଦେବା ପରେ ସ୍ତ୍ରୀ ଏବେ ଅଲୋଡା : ନ୍ୟାୟ ପାଇଁ ବ୍ରହ୍ମପୁରର ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କର ସହଯୋଗ ନେଲେ ମହିଳା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦୁଇ କନ୍ୟା ସନ୍ତାନର ଜନନୀ ହୋଇଥିବାରୁ ସ୍ୱାମୀ ସହ ଶ୍ୱଶୁର ଘର ଲୋକେ ତଡ଼ି ବାହାର କରି ଦେବା ଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ସଦର ଛତ୍ରପୁର ଥାନା ଅନ୍ତର୍ଗତ କତୁରୁ ଗାଁରେ । ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିବା ସତ୍ତ୍ୱେ କୌଣସି ଆଶୁ ଫଇସଲାର ସମାଧାନ ନ ମିଳିବାରୁ ନ୍ୟାୟ ପାଇଁ ବ୍ରହ୍ମପୁରର ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କର ସହଯୋଗ ନେଇଛନ୍ତି ମହିଳା ଜଣକ । ଦୁଇ କନ୍ୟା ସନ୍ତାନ ଜନ୍ମ ଦେବା ପରେ ଏବେ ସ୍ତ୍ରୀ ଅଲୋଡା ହୋଇଗଲେ । ତେଣୁ ସମାଜସେବୀଙ୍କ ସହାୟତାରେ ଶାଶୁ ଘରେ ପଶିଲେ ମହିଳା । ଦୁଇ କନ୍ୟା ସନ୍ତାନ ଜନ୍ମ ଦେଇଥିବା ଯୋଗୁଁ ନିଜ ସ୍ତ୍ରୀ ଓ ଦୁଇ ପିଲାଙ୍କୁ ଛାଡ଼ି ସ୍ୱାମୀ ପ୍ରତ୍ୟାଖାନ କରିବା ସହ ସୁଦୂର କେରଳ ରାଜ୍ୟକୁ ଚାଲିଯାଇଛନ୍ତି ବୋଲି କୁହାଯାଇଛି ।

ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲା ସଦର ଛତ୍ରପୁର ଥାନା ଅନ୍ତର୍ଗତ କତୁରୁ ଗାଁର ଜି.ଘନଶ୍ୟାମ ରେଡ୍ଡୀଙ୍କ ସହ ସେହି ଗାଁର ଜି. ବୁଲି ରେଡ୍ଡୀଙ୍କ ଗତ ୧୨ ବର୍ଷ ପୂର୍ବେ ବୈଦିକ ରୀତିନୀତିରେ ବିବାହ ସମ୍ପନ୍ନ ହୋଇଥିଲା । ପରେ ତାଙ୍କର ଦୁଇ କନ୍ୟା ସନ୍ତାନ ହୋଇଥିଲେ । ଏହାପର ଠାରୁ ତାଙ୍କ ସ୍ୱାମୀ ଘନଶ୍ୟାମ ଏବଂ ତାଙ୍କ ଦେଢ଼ଶାଶୁ ଓ ଦିଅରଙ୍କ ପକ୍ଷରୁ ନିର୍ୟାତନା ଦିଆଯାଉଛି ବୋଲି ଉକ୍ତ ମହିଳା ଜଣକ ଅଭିଯୋଗ କରିଛନ୍ତି । ତାଙ୍କ ସ୍ୱାମୀ ଆଉ ଜଣଙ୍କୁ ମଧ୍ୟ ବିବାହ କରି ସାରିଥିବା ସେ ଗଣମାଧ୍ୟମ ଆଗରେ ଅଭିଯୋଗ କରିଛନ୍ତି । ଘନଶ୍ୟାମ ଦ୍ୱିତୀୟ ବିବାହ କରିଥିବା ଜାଣିବା ପରେ ବୁଲିଙ୍କ ପକ୍ଷରୁ ଛତ୍ରପୁର ଥାନାରେ ଏତଲା ଦିଆଯାଇଥିଲା । ଏଥିସହ ଗଞ୍ଜାମ ଏସ୍‌ପିଙ୍କଠାରୁ ଆରମ୍ଭ କରି ଗଞ୍ଜାମ ଜିଲ୍ଲାପାଳଙ୍କର ଦ୍ୱାରସ୍ଥ ହୋଇଛନ୍ତି । ଏଥି ସାଂଗକୁ ରାଜ୍ୟ ମହିଳା କମିଶନ, ରାଜ୍ୟ ମାନବାଧିକାର କମିଶନ, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ମଧ୍ୟ ଚିଠି ଲେଖି ନ୍ୟାୟ ପାଇଁ ବୁଲି ନାମ୍ନୀ ଉକ୍ତ ମହିଳା ପ୍ରଶାସନକୁ ଗୁହାରି କରିସାରିଛନ୍ତି । ଏହାପରେ ତାଙ୍କୁ ଘରୁ ମଧ୍ୟ ବାହାର କରି ଦିଆଯାଇଥିଲା ବୋଲି ବୁଲି କହିଛନ୍ତି । ଏଥିରେ କୌଣସି ସୁଫଳ ନ ମିଳିବାରୁ ବ୍ରହ୍ମପୁରର ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କୁ ଏ ସମ୍ପର୍କରେ ସହଯୋଗ ସହ ନ୍ୟାୟ ପ୍ରଦାନ କରିବାକୁ ବୁଲି ନିବେଦନ କରିଥିଲେ । ଗୁରୁବାର ସମାଜସେବୀ ପ୍ରମିଳା ଉକ୍ତ ଗାଁକୁ ଆସି ବୁଲିଙ୍କୁ ତାଙ୍କ ସ୍ୱାମୀ ଘନଶ୍ୟାମଙ୍କ ଘରେ ନେଇ ରଖିଥିଲେ । ଯଦି ଭବିଷ୍ୟତରେ ତାଙ୍କର କୌଣସି ଅସୁବିଧା ହୁଏ । ତେବେ ଦେଢ଼ଶାଶୁ ଓ ଦିଅର ଦାୟୀ ରହିବେ ବୋଲି ପ୍ରମିଳା ଗଣମାଧ୍ୟମ ଆଗରେ କହିଛନ୍ତି । କେରଳରୁ ଘନଶ୍ୟାମ ଆସି ତାଙ୍କର ସ୍ତ୍ରୀ ଓ ଦୁଇ ଝିଅଙ୍କ ରହିବା ଓ ଖାଇବା ବ୍ୟବସ୍ଥା କରିବାକୁ ସେ କହିଛନ୍ତି । ପୋଲିସ ମଧ୍ୟ ତାଙ୍କ ସୁରକ୍ଷା ବ୍ୟବସ୍ଥା ବୁଝିବା ଆବଶ୍ୟକ ବୋଲି ସମାଜସେବୀ ପ୍ରମିଳା ତ୍ରିପାଠୀ କହିଛନ୍ତି । ଅପରପକ୍ଷରେ ‘ମୋ’ ସ୍ୱାମୀ ଦ୍ୱିତୀୟ ବିବାହ କରିଥିବାରୁ ମୋତେ ଏ ଘରେ ରହିବାର ଅଧିକାର ସହ ପିଲାମାନଙ୍କ ଭରଣପୋଷଣ’ ମୋ ସ୍ୱାମୀ ହିଁ କରିବେ ବୋଲି ନିର୍ୟାତିତା ମହିଳା ବୁଲି କହିଛନ୍ତି । ତେବେ ଏସବୁ ମିଥ୍ୟା ବୋଲି ଦେଢଶାଶୁ ଜି.ବବି ରେଡ୍ଡୀ ଗଣମାଧ୍ୟମକୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

Leave A Reply

Your email address will not be published.

4 × 4 =