pakka

ଶ୍ରୀମଦ ଭାଗବତ ଏବଂ ଆଜିର ପ୍ରାସଙ୍ଗିକତା ଆଲୋଚନାଚକ୍ର ଅନୁଷ୍ଠିତ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ସଚ୍ଚିଦାନନ୍ଦ ମେମୋରିଆଲ ଟ୍ରଷ୍ଟ ତରଫରୁ ସଚ୍ଚିଦାନନ୍ଦ ସ୍ମାରକୀ ବକୃତାମାଳା ଓ ଶ୍ରୀମଦ ଭାଗବତ ଏବଂ ଆଜିର ପ୍ରାସଙ୍ଗିକତା ସଂପର୍କରେ ଆଲୋଚନାଚକ୍ର ଛେଣ୍ଡ ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଦ୍ୱିଦିବସୀୟ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷା ଶର୍ମିଷ୍ଠା କବି ଶତପଥୀଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ ଶଙ୍କର ପ୍ରସାଦ ତ୍ରିପାଠୀ ସଭାପତିତ୍ୱ କରିଥିବା ବେଳେ ଆଲୋଚକ ଭାବେ ଡା କୃଷ୍ଣକେଶବ ଷଡଙ୍ଗୀ ଯୋଗଦେଇ ଆଲୋଚ୍ୟ ବିଷୟ ଉପରେ ଆଲୋଚନା କରି କହିଲେ ଯେ ଆମେ ସମସ୍ତେ ସଂସାର ଡଙ୍ଗାରେ ଭାସମାନ । ଏଥିରୁ ତରିବା ସମସ୍ତଙ୍କ ଲକ୍ଷ୍ୟ । ସେଥିପାଇଁ ତିନୋଟି ଉପାଦାନର ଆବଶ୍ୟକତା ରହିଛି । ଯଥା ଭଲ ଡଙ୍ଗା, ଦକ୍ଷତାପୂର୍ଣ୍ଣ ନାବିକ ଓ ସ୍ରୋତର ଅନୁକୂଳ ପବନ । ଏହାସହ ସେ ଏକାଦଶସ୍କନ୍ଧ ଭାଗବତର ଅଧ୍ୟାୟକୁ ଆଲୋଚନା କରି କହିଲେ ଯେ ସଂସାରରୁ ଉଦ୍ଧରିବା ପାଇଁ ଭଲ ଦକ୍ଷ ଗୁରୁଙ୍କ ଦିଗଦର୍ଶନର ଆବଶ୍ୟକତା ରହିଛି । ଜୀବନର ବିରାଟ ତତ୍ୱ ସହ ଲୀଳାର ଆନନ୍ଦ ଓ ଲୋକଶିକ୍ଷାର ଆବଶ୍ୟକତା ସଂପର୍କରେ ଆଲୋଚନା କରିଥିଲେ । ଶିକ୍ଷୟିତ୍ରୀ ଶାସ୍ୱତୀ ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାରମ୍ଭରେ ଗୁରୁ ସଚ୍ଚିଦାନନ୍ଦଙ୍କ ଶିଷ୍ୟ ଅଶୋକ କୁମାର ପଟ୍ଟନାୟକ ତାଙ୍କ ସ୍ମୃତିଚାରଣ କରିଥିଲେ । ସଭାପତିତ୍ୱ ଅଭିଭାଷଣରେ ଶିକ୍ଷାବିତ ଶ୍ରୀ ତ୍ରିପାଠୀ କହିଲେ ଯେ ବିଜ୍ଞାନର ଆରମ୍ଭ ଅବିଶ୍ୱାସରୁ ଓ ଆଧ୍ୟାତ୍ମିକର ମୂଳ ହେଲା ବିଶ୍ୱାସ । ଏହି ଅବସରରେ ଦୁଇ ଶିକ୍ଷୟିତ୍ରୀ ସୁସ୍ମିତା ମହାପାତ୍ର ଓ ସ୍ନେହାଂଶୁ ବାଳା ନାୟକଙ୍କୁ ସଚ୍ଚିଦାନନ୍ଦ ଆଦର୍ଶ ଶିକ୍ଷକ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ନିରୁପମା ପତି ଓ ରଶ୍ମି ସାହୁ ମାନପତ୍ର ପାଠ କରିଥିବା ବେଳେ ପୂର୍ବରୁ ଆୟୋଜିତ ହୋଇଥିବା ବକୃତା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ପ୍ରଥମ ଅଧିବେଶନରେ ସ୍ୱାମୀ ଅରୁପାନନ୍ଦ ଉଦ୍‌ଘାଟକ ଭାବେ ତଥା ଡା ଷଡଙ୍ଗୀ ଛାତ୍ର ଛାତ୍ରୀଙ୍କୁ ସଦାଚାର, ଛାତ୍ର ଜୀବନର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ । ଶିକ୍ଷକ ଆଲୋକ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ଦ୍ୱିତୀୟ ଦିନରେ ଗୋକର୍ଣ୍ଣିକା ପତ୍ରିକାର ସଂପାଦକ ରମାକାନ୍ତ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସ୍ତମ୍ଭକାର ଭୂପେନ ମହାପାତ୍ର, ଡା କୃଷ୍ଣକେଶବ ଷଡଙ୍ଗୀ ପ୍ରମୁଖ ମଞ୍ଚାସୀନ ଥିଲେ । ଶ୍ରମତୀ କବିଶତପଥୀଙ୍କ ପୌରହିତ୍ୟ ଓ କବି ରାଜୀବ ପାଣିଙ୍କ ସଂଯୋଜନାରେ ବିଜୟ କୁମାର ରାୟ ଓ ଅଙ୍ଗୁରବାଳା ପରିଡା ଡାକ୍ତର କୃପାସିନ୍ଧୁ ନାୟକଙ୍କ କବିତାର କାବ୍ୟ କଳା ସଂପର୍କରେ, କବି ମୀନକେତନ ପଶାୟତ ଡାକ୍ତର ଗୀତାଞ୍ଜଳି ପତ୍ରୀଙ୍କ କବିତାରେ ପ୍ରେମାନୁଭୂତି, ରଶ୍ମିବାଳା ରାଉତରାୟ ଗାଳ୍ପିକ ଭୂପେନ ମହାପାତ୍ରଙ୍କ ଗଳ୍ପରେ ସାମାଜିକ ପ୍ରତିବଦ୍ଧତା ଓ କଥନରେ ମହେଶ୍ୱେତା ସାହୁ, କାଶୀନାଥ ନନ୍ଦୀ ଗାଳ୍ପିକା ମୋନାଲିସା ମିଶ୍ରଙ୍କ ଗଳ୍ପରେ ଶିଳ୍ପ ନୈପୁଣ୍ୟ ଓ କଥନରେ ସଂଜୀବ କୁମାର ଭୋଇ ପ୍ରମୁଖ ଆଲୋଚନା କରିଥିଲେ । ଏହି ଅବସରରେ କବି କୁଞ୍ଜବିହାରୀ ରାଉତ, ଅଶୋକ କୁମାର ପଟ୍ଟନାୟକ, ସୁଶାନ୍ତ ନାୟକ, ନୃସିଂହ ଚରଣ ବିଶ୍ୱାଳ, ରାଜକୁମାର ମହାନ୍ତି ଓ ଡା ସୁଶାନ୍ତ ପାଣି ପ୍ରମୁଖ ଡାକ୍ତର ନାୟକ ଓ ଡାକ୍ତର ପତ୍ରୀଙ୍କ କବିତା ପାଠ କରିଥିଲେ । ଅନୁଷ୍ଠାନ ତରଫରୁ ଡାକ୍ତର କୃଷ୍ଣକେଶବ ଷଡଙ୍ଗୀଙ୍କୁ ସଚ୍ଚିଦାନନ୍ଦ ସ୍ମାରକୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ଭାଗ୍ୟଲକ୍ଷ୍ମୀ ସାହୁ, ମାଧବୀ ହୋତା,
ନିରୁପମା ମହାପାତ୍ର, ପଦ୍ମଜା ପଟ୍ଟନାୟକ, ପଦ୍ମାଳୟା ଖଣ୍ଡୁଆଳ, ଦୀପ୍ତି ପ୍ରଧାନ, ଦୀପିକା ଦାସ, ଧରିତ୍ରୀ ଜୟପୁରିଆ, ଜୟନ୍ତୀ ଜେନା, ରେଖା ମାମ୍, ଗୀତାଞ୍ଜଳୀ ମାମ୍ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

two × 1 =