
ରାଉରକେଲା, (ସସ୍ମିତା ପ୍ରଧାନ) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ମାଧବ ନଗର ଶାଖା ଓ ରାଉରକେଲା ମହାବିଦ୍ୟାଳୟ, ରାଉରକେଲାର ମିଳିତ ଆନୁକୂଲ୍ୟରେ ମାସିକ ସାରସ୍ଵତ ସମାବେଶ ଅନୁଷ୍ଠିତ ହୋଇଯାଇଛି । ନଗର ଶାଖାର ସଭାପତି ବ୍ରଜେନ୍ଦ୍ର କୁମାର ଦାଶଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ‘ବିଶ୍ୱଚେତନା : ଆତ୍ମବୋଧରୁ ବ୍ରହ୍ମବୋଧ’ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ସୁସାହିତ୍ୟିକା ନିରୂପମା ପତିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷ ତଥା ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ରାଉରକେଲା ମହାନଗର ସଭାପତି ଡ. ରବୀନ୍ଦ୍ର କୁମାର ଜେନା ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଅବସରପ୍ରାପ୍ତ ପ୍ରଶାସକ ମହେନ୍ଦ୍ର କୁମାର ପଟ୍ଟନାୟକ ଏବଂ ବିଷୟ ବିଶେଷଜ୍ଞ ଭାବେ ଯୋଗ ଦେଇଥିଲେ ବାଣୀବିଶାରଦ ଡ. ସ୍ୱାମୀ ଚିଦାନନ୍ଦ ବ୍ରହ୍ମଚାରୀ । ଡ. ଜେନା ତାଙ୍କ ସଭାପତିତ୍ଵ ଅଭିଭାଷଣରେ ବ୍ୟକ୍ତି ଜୀବନ କିପରି ବିଶ୍ୱ ଜୀବନ ଦ୍ୱାରା ପ୍ରଭାବିତ ଓ ବିଶ୍ୱାୟନରେ ଜଗତିକରଣ, ଉଦାରୀକରଣ, ଘରୋଇକରଣର ପ୍ରଭାବ ସମ୍ପର୍କରେ ଆଲୋଚନା କରିଥିଲେ । ବିଷୟ ବିଶେଷଜ୍ଞ ସ୍ୱାମୀ ଚିଦାନନ୍ଦ ବ୍ୟକ୍ତିର ଚିନ୍ତା, ଚେତନା, ସଚେତନା ତଥା ବ୍ୟକ୍ତିଜୀବନଠାରୁ ବିଶ୍ଵଜୀବନ ପର୍ଯ୍ୟନ୍ତ ପ୍ରଲମ୍ବିତ ସାମଜିକ ଜୀବନଧାରା ସମ୍ପର୍କରେ ଆଲୋଚନା କରିବା ସହ ସନାତନ ପରଂପରା, ବୈଦିକ ଜୀବନ, ବୈଦିକ ମନ୍ତ୍ର ସମ୍ପର୍କରେ ବହୁ ଉପାଦେୟ ତାତ୍ତ୍ୱିକ ବ୍ୟାଖ୍ୟା ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଶ୍ରୀ ପଟ୍ଟନାୟକ ନିଜର ମନନଶୀଳ ଜ୍ଞାନଗର୍ଭକ ଓ ଦିଗଦର୍ଶନମୂଳକ ଅଭିଭାଷଣ ପ୍ରଦାନ କରିଥିଲେ । ପର୍ଯ୍ୟାୟ ଶେଷରେ ଅଧ୍ୟାପକ ସୂର୍ଯ୍ୟକାନ୍ତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଆ – କା – ମା – ବୈ ଶୀର୍ଷକରେ କବିତା ଆବୃତ୍ତି ପର୍ବ ଅନୁଷ୍ଠିତ ହୋଇଥିଲା । ଏହି ପର୍ବରେ ସଭାପତିତ୍ୱ କରିଥିଲେ ରାଉରକେଲାର ପରିଚିତ କବି ବିଜୟଲକ୍ଷ୍ମୀ ପଟ୍ଟନାୟକ ଓ ସଂଯୋଜକ ଭାବେ ଥିଲେ ଅଧ୍ୟାପିକା ଅଳକା ମହାନ୍ତି ଓ ଅଧ୍ୟାପିକା କ୍ଷୀରେଶ୍ୱରୀ କିଷାନ । ଏହି ଅଧିବେଶନରେ କବିତା ଆବୃତ୍ତି କରିଥିଲେ ପ୍ରତାପ ରୁଦ୍ର ତ୍ରିପାଠୀ, ଗଗନ ବିହାରୀ ନାୟକ, ସୂର୍ଯ୍ୟକାନ୍ତ ଦାସ, ପ୍ରୀତମ ସାମଲଙ୍କ ସମେତ ମଞ୍ଚାସୀନ ଅନ୍ୟାନ୍ୟ କବିମାନେ । କାର୍ଯ୍ୟକ୍ରମରେ ଜଗନ୍ନାଥ ରାଉତ, ଆଶୁତୋଷ ଜ୍ୟୋତିଷୀ, ହୃଦାନନ୍ଦ ପଟେଲ, ସୁଶାନ୍ତ କୁମାର ମହାନ୍ତି, ବ୍ରହ୍ମାନନ୍ଦ ପାଢ଼ୀ, ଚନ୍ଦ୍ରଶେଖର ଶତପଥି, ସୁନୀଲ କୁମାର ମହାନ୍ତି, କୈଳାସ ଚନ୍ଦ୍ର ମହାଳି, ମହାଦେବ ମାଝୀ, ରମେଶ ଚନ୍ଦ୍ର ସିଂହଙ୍କ ସମେତ ରାଜଶ୍ରୀ ରାଉତିଆ, ଦୁର୍ଗେଶ୍ୱର ନାଗ, ଆମିଶା ବାର୍ଲା, ଶ୍ରାବଣୀ ସାହୁ, ରାନୀ ମିଞ୍ଜ, ପ୍ରିୟା ଏକ୍କା, ବବି ଏକ୍କା, ତୃପ୍ତିମୟୀ ମହାକୁଡ଼, ଗୀତାଞ୍ଜଳି ପ୍ରଧାନ, ପୂର୍ଣ୍ଣିମା ମଲ୍ଲିକ, ପାର୍ବତୀ କୋହ୍ଲ ପ୍ରମୁଖ ବହୁ ଛାତ୍ର-ଛାତ୍ରୀ ଉପସ୍ଥିତ ରହି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ । ପରିଶେଷରେ ଆନୁଷ୍ଠାନିକ ଭାବେ ପ୍ରତାପରୁଦ୍ର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।