
୧୦ କି.ମି. ରାସ୍ତାକୁ ୪୫ କି.ମି. ଯିବାକୁ ପଡୁଛି : ସ୍ୱାଧୀନତାର ୭୯ ବର୍ଷ ପରେ ବି ଦୂର ହେଉନି ଘାଟିତଳ ଗ୍ରାମବାସୀଙ୍କ ଦୁର୍ଦ୍ଦଶା
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : ସରକାର ଗ୍ରାମାଞ୍ଚଳର ବିକାଶ ଓ ଲୋକଙ୍କୁ ହାତପାହାନ୍ତାରେ ମୌଳିକ ସେବା ଯୋଗାଇଦେବା ପାଇଁ ବିଭିନ୍ନ ଯୋଜନା କରୁଥିବାବେଳେ କନ୍ଧମାଳ ଜିଲ୍ଲାର କେତେକ ଦୁର୍ଗମ ଅଞ୍ଚଳରେ ଏବେ ବି ଲୋକେ ମୌଳିକ ସୁବିଧା ପାଇଁ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି । ପଞ୍ଚାୟତ କାର୍ଯ୍ୟାଳୟ ଘରଠାରୁ ମାତ୍ର ୧୦ କିଲୋମିଟର ଦୂରରେ ଥିଲେ ମଧ୍ୟ ଭଲ ରାସ୍ତା ଓ ସିଧାସଳଖ ଯୋଗାଯୋଗର ଅଭାବରୁ ସରକାରୀ କାମ ପାଇଁ ୪୫ କିଲୋମିଟର ବୁଲିବାକୁ ପଡୁଛି । ଏଭଳି ଏକ ଦୁର୍ଭାଗ୍ୟଜନକ ଚିତ୍ର ସାମ୍ନାକୁ ଆସିଛି, କନ୍ଧମାଳ ଜିଲ୍ଲା ଫୁଲବାଣୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଏବଂ ବାଲିଗୁଡା ଉପଖଣ୍ଡ ଚକାପାଦ ବ୍ଲକ ଅନ୍ତର୍ଗତ ଚାହାଳି ପଞ୍ଚାୟତର ଘାଟିତଳ ଅଞ୍ଚଳରୁ । ସୂଚନା ଅନୁସାରେ, ଚାହାଳି ପଞ୍ଚାୟତ ଅଧୀନରେ ଥିବା ଘାଟିତଳ ଅଞ୍ଚଳର ସେରକାପାଦୁ, ବିଲେଇଡିହ, ବଳିଆବଞ୍ଜର, ନିଧିଆବେରଣା, ଗସାମାହା, ଦଲକ, କୁତାବିରାଡ଼ି ସମେତ ୮ଟି ୱାର୍ଡର ଗ୍ରାମବାସୀ ଦୀର୍ଘ ବର୍ଷ ଧରି ଯାତାୟାତ ସମସ୍ୟାରେ ଜର୍ଜରିତ । ପଞ୍ଚାୟତ କାର୍ଯ୍ୟାଳୟର ଦୂରତା ମାତ୍ର ୧୦ କିଲୋମିଟର ହୋଇଥିଲେ ମଧ୍ୟ ସିଧାସଳଖ ରାସ୍ତାର ସୁବିଧା ନଥିବାରୁ ଗ୍ରାମବାସୀଙ୍କୁ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଗାଲେରି ଓ ବଦାଙ୍ଗି ଦେଇ ପ୍ରାୟ ୪୫ କିଲୋମିଟର ଦୂର ବୁଲି ପଞ୍ଚାୟତ କାର୍ଯ୍ୟାଳୟକୁ ଯିବାକୁ ପଡୁଛି । କେବଳ ପଞ୍ଚାୟତ କାର୍ଯ୍ୟାଳୟ ନୁହେଁ, ଥାନା ସମ୍ପର୍କିତ କାର୍ଯ୍ୟ, ରାସନ ଚାଉଳ ଉଠାଣ, ବାର୍ଦ୍ଧକ୍ୟ ଭତ୍ତା ଓ ଅନ୍ୟାନ୍ୟ ସରକାରୀ ସେବା ପାଇଁ ମଧ୍ୟ ଗ୍ରାମବାସୀଙ୍କୁ ଏହି ଦୀର୍ଘ ରାସ୍ତା ଅତିକ୍ରମ କରିବାକୁ ହେଉଛି । ଫଳରେ ବିଶେଷକରି ବୟସ୍କ ବ୍ୟକ୍ତି, ମହିଳା, ଦିବ୍ୟାଙ୍ଗ ଓ ଅସୁସ୍ଥ ଲୋକଙ୍କ ପାଇଁ ଏହି ଯାତାୟାତ ଅତ୍ୟନ୍ତ କଷ୍ଟସାଧ୍ୟ ହୋଇପଡୁଛି । ଦୈନନ୍ଦିନ ଜୀବନର ଅତି ଆବଶ୍ୟକ କାର୍ଯ୍ୟ ପାଇଁ ମଧ୍ୟ ଲୋକଙ୍କୁ ଅଧିକ ସମୟ ଓ ଅର୍ଥ ବ୍ୟୟ କରିବାକୁ ପଡୁଛି । ଗ୍ରାମବାସୀଙ୍କ କହିବା ଅନୁସାରେ, ସ୍ୱାଧୀନତା ପରଠାରୁ ଆଜି ପର୍ଯ୍ୟନ୍ତ ସେମାନଙ୍କ ଏହି ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିନାହିଁ । ଅନେକ ଥର ସମସ୍ୟା ଜଣାଇବା ସତ୍ତ୍ୱେ ଦୁର୍ଗମ ଅଞ୍ଚଳର ଏହି ଗ୍ରାମଗୁଡ଼ିକ ପ୍ରତି ଆବଶ୍ୟକ ଦୃଷ୍ଟି ଦିଆଯାଇନଥିବା ଅଭିଯୋଗ ହୋଇଛି । ଏହି ସମସ୍ୟାକୁ ନେଇ ଗ୍ରାମବାସୀ ମାନେ କନ୍ଧମାଳ ଜାଗରଣ ମଞ୍ଚର ସଭାପତି ଶେଷଦେବ ଯାନୀଙ୍କୁ ଅବଗତ କରାଇଥିଲେ । ଏହାପରେ ଯାନୀ ଜୁରାଦେଇ ମନ୍ଦିରଠାରେ ଗ୍ରାମବାସୀଙ୍କୁ ନେଇ ଏକ ବୈଠକ କରି ସମସ୍ୟାର ସମାଧାନ ନିମନ୍ତେ ଆଲୋଚନା କରିଥିଲେ । ଆଲୋଚନା ପରେ ଗ୍ରାମବାସୀମାନେ ଏକଜୁଟ ହୋଇ ନିଜର ଦାବି ଜଣାଇବାକୁ ଆଗେଇ ଆସିଥିଲେ । ଏହି କ୍ରମରେ ଆଜି ଗ୍ରାମବାସୀଙ୍କ ପକ୍ଷରୁ କନ୍ଧମାଳ ଜିଲ୍ଲାପାଳ, ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ ଏବଂ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ସ୍ଥାନୀୟ ପ୍ରତିନିଧିଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଦାବିପତ୍ରରେ ଘାଟିତଳ ଅଞ୍ଚଳକୁ ସଂଯୋଗ କରୁଥିବା ଜିତାଘାଟି ରାସ୍ତାର ନିର୍ମାଣ କାର୍ଯ୍ୟ ଶୀଘ୍ର ଆରମ୍ଭ କରିବା ସହ ଅଞ୍ଚଳବାସୀଙ୍କ ଯାତାୟାତ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଦାବି ହୋଇଛି । ଏହି ଅବସରରେ ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ ଗ୍ରାମବାସୀଙ୍କ ସମସ୍ୟା ଶୁଣିବା ସହ ଜିତାଘାଟି ରାସ୍ତା ନିର୍ମାଣ କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ ବୋଲି ଆଶ୍ୱାସନା ଦେଇଥିବା ଜଣାପଡ଼ିଛି । ତେବେ ଏହି ଆଶ୍ୱାସନା କେବେ ବାସ୍ତବ ରୂପ ନେଉଛି ଏବଂ ଦୀର୍ଘ ବର୍ଷର ଯାତାୟାତ ଯନ୍ତ୍ରଣାରୁ ଘାଟିତଳ ଅଞ୍ଚଳବାସୀ କେବେ ମୁକ୍ତି ପାଉଛନ୍ତି, ତାହାକୁ ଏବେ ଅପେକ୍ଷା। ରାସ୍ତା ନିର୍ମାଣ ହିଁ ଏହି ଅଞ୍ଚଳର ଲୋକଙ୍କ ପାଇଁ କେବଳ ଯାତାୟାତର ସୁବିଧା ନୁହେଁ, ବରଂ ସରକାରୀ ସେବା, ଶିକ୍ଷା, ସ୍ୱାସ୍ଥ୍ୟ ଓ ବିକାଶର ନୂଆ ଦ୍ୱାର ଖୋଲିପାରିବ ବୋଲି ଅଞ୍ଚଳବାସୀ ଆଶା ରଖିଛନ୍ତି ।