
- ୧୬ଟି କୋଡିନ୍ଯୁକ୍ତ କଫ୍ ସିରପ୍ ସହ ବିପୁଳ ସାମଗ୍ରୀ ଜବତ
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲ ଥାନା ଅଞ୍ଚଳରେ ବେଆଇନ ନିଶାଦ୍ରବ୍ୟ କାରବାର ଉପରେ ପୁଲିସ ଚଢ଼ାଉ କରି ଦୁଇ ଜଣଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ୧୬ଟି କୋଡିନ୍ ଓ ଟ୍ରିପ୍ରୋଲିଡିନ୍ ଯୁକ୍ତ କଫ୍ ସିରପ୍ ବୋତଲ ସମେତ ବିଭିନ୍ନ ସାମଗ୍ରୀ ଜବତ ହୋଇଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତ ୧୨ ତାରିଖ ରାତି ପ୍ରାୟ ୮ଟା ସମୟରେ ପାଇକମାଲ ଥାନାର ଏଏସ୍ଆଇ ମନଭଞ୍ଜନ ପ୍ରଧାନ ଅନ୍ୟ ପୁଲିସ କର୍ମଚାରୀଙ୍କ ସହ ସନ୍ଧ୍ୟାକାଳୀନ ପାଟ୍ରୋଲିଂ କରୁଥିବା ସମୟରେ ସାଲେପାଲି ଅଞ୍ଚଳରେ ନିଶାଦ୍ରବ୍ୟ ବିକ୍ରି ହେଉଥିବା ନେଇ ସୂଚନା ପାଇଥିଲେ । ଏହାପରେ ପୁଲିସ ବିନ୍ଧ୍ୟବାସିନୀ କଲେଜ ପଛପାଖ ଏକ ପଡ଼ିଆ ନିକଟରେ ଚଢ଼ାଉ କରିଥିଲା । ସେଠାରେ ସାଧାରଣ ଲୋକଙ୍କୁ ନିଶାଦ୍ରବ୍ୟ ବିକ୍ରି କରୁଥିବା ଅଭିଯୋଗରେ ପାଇକଥାନା ମୁଣ୍ଢେଲା ଗାଁର ଆଶିଷ ନାଏକ (୩୨) ଓ ପାଇକମାଲ ଥାନା କୁଦୋଗୁଡା ଗାଁର କହ୍ନେଇ ବାଗ (୨୧)ଙ୍କୁ ପୁଲିସ ଅଟକ ରଖିଥିଲା । ସାକ୍ଷୀଙ୍କ ଉପସ୍ଥିତିରେ ପୁଲିସ ସେମାନଙ୍କଠାରୁ ଗୋଟିଏ ସୁଜୁକି ଜିକ୍ସର ବାଇକ୍, ୫ ଲିଟର କ୍ଷମତା ବିଶିଷ୍ଟ ଏକ ଜାର୍ରେ ଥିବା ସନ୍ଦିଗ୍ଧ ଦ୍ରବ୍ୟ, ୧୬ଟି କୋଡିନ୍ଯୁକ୍ତ କଫ୍ ସିରପ୍ ବୋତଲ ଓ ୩ଟି ଖାଲି କଫ୍ ସିରପ୍ ବୋତଲ ଜବତ କରିଥିଲା । ଏଥିସହ ଦୁଇଟି ଭିଭୋ ମୋବାଇଲ୍ ଫୋନ୍, ୬୭୦୦ ଟଙ୍କା ନଗଦ ଅର୍ଥ, ୧୫ଟି ପ୍ଲାଷ୍ଟିକ୍ ଗ୍ଲାସ୍ ଓ ନମୁନା ଥିବା ଏକ ସିଲ୍ ବୋତଲ ମଧ୍ୟ ଜବତ କରାଯାଇଥିବା ପୁଲିସ ପକ୍ଷରୁ କୁହାଯାଇଛି । ଏହି ଘଟଣାରେ ପାଇକମାଲ ଥାନାରେ କେସ୍ ନଂ ୨୯୫/୨୦୨୬ରେ ବିଏନ୍ଏସ୍ର ଧାରା ୧୧୧(୨)(ବି), ୨୭୬, ୨୭୭ ଓ ୩(୫) ଅନୁଯାୟୀ ମାମଲା ରୁଜୁ ହୋଇଛି । ଉଭୟ ଅଭିଯୁକ୍ତଙ୍କୁ ରାତି ୧୧ଟା ୪୫ରେ ଗିରଫ କରାଯାଇ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି । ଏହି ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ପାଇକମାଲ ଥାନାଧିକାରୀ କୈଳାସ ଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।