
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଶନିବାର ପୂର୍ବାହ୍ନରେ ଜାତୀୟ ଆଇନ୍ ବିଶ୍ୱବିଦ୍ୟାଳୟ, ଓଡ଼ିଶା, କଟକ ଓ ନେଦରଲାଣ୍ଡ ସରକାରଙ୍କ ଦୂତାବାସର ମିଳିତ ଆନୁକୂଲ୍ୟରେ ଛତ୍ରପୁରସ୍ଥ ଗଞ୍ଜାମ ଜିଲ୍ଲା ପରିଷଦର ଜଉଗଡ ସଭାଗୃହରେ ଗଞ୍ଜାମ ଓ ଗଜପତି ଜିଲ୍ଲାର ଘରୋଇ ହିଂସା ବିରୁଦ୍ଧରେ ସମ୍ପ୍ରଦାୟ ଭିତ୍ତିକ ନେତୃତ୍ୱକାରୀ ଅଂଶୀଦାର ମାନଙ୍କ ସହିତ ଗୋଷ୍ଠୀ କେନ୍ଦ୍ରିତ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜାତୀୟ ଆଇନ୍ ବିଶ୍ୱବିଦ୍ୟାଳୟର କାର୍ଯ୍ୟକ୍ରମ ପରିଚାଳକ ରାଜ କିଶୋର ପଣ୍ଡା ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ ଏବଂ କାର୍ଯ୍ୟକ୍ରମର ସମ୍ପର୍କରେ ବିସ୍ତୃତ ବିବରଣୀ ଦେଇଥିଲେ । ଏହି ଆଲୋଚନା ବୈଠକରେ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ଅର୍ଥନୀତି ଵିଭାଗର ସହକାରୀ ପ୍ରଫେସର ଶ୍ରୀମତୀ ଦିପ୍ତିମୟୀ ମିଶ୍ର, ଗଞ୍ଜାମ ପୋଲିସ୍ ଜିଲ୍ଲାର ଡିଏସ୍ପି ଗିରିଜା ପଟ୍ଟନାୟକ, ସମାଜସେବୀ ତଥା ସ୍ତମ୍ଭକାର ପ୍ରଶାନ୍ତ କୁମାର ଶତପଥୀ ଏବଂ ମହିଳାଙ୍କ ନିମନ୍ତେ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ଜିଲ୍ଲା ମହାସଂଘ (ସ୍ଵଂୟ ସହାୟକ ଗୋଷ୍ଠୀ)ର ସଭାପତି, ସମ୍ପାଦିକା, ସରପଞ୍ଚ, ଅଙ୍ଗନୱାଡ଼ି ଦିଦି, ଜେଣ୍ଡର ସଂଯୋଜିକା, ବିଭିନ୍ନ ଏନଜିଓ ଗଞ୍ଜାମ ଓ ଗଜପତିର ପ୍ରବନ୍ଧକ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ବିଭାଗଙ୍କ ସୁରକ୍ଷା ଅଧିକାରୀ, ପ୍ରେରଣା ଦିଦି, ସମାଜ ସେବକ, ପୀଡ଼ିତା, ଆଶା ଦିଦି, ମେଡିକାଲ୍ ଅଫିସର୍, ଶକ୍ତି ସଦନର ଅଧିକ୍ଷକ, ସଖୀ କେନ୍ଦ୍ରର ସଂଯୋଜିକା, ମନ୍ଦିର ପୂଜକ, ପ୍ରମୁଖ ବରିଷ୍ଠ ସାମ୍ବାଦିକଗଣ ଯୋଗ ଦେଇଥିଲେ । ଘରୋଇ ହିଂସା ଆଇନ୍ ଓ ଯୌତୁକ ନିରୋଧ ଆଇନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ଓ ଯୌତୁକ ନିରୋଧ ଆଇନ ତଥା ଏ ସମ୍ବନ୍ଧୀୟ ପ୍ରଚଳିତ ଦଣ୍ଡ ବିଧାନ ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ ।ମହିଳା ହିଂସାକୁ ରୋକିବାରେ ସହାୟତା ବଢାଇଥିବା ସମ୍ପ୍ରଦାୟମାନଙ୍କର ଭୂମିକା ଉପରେ ଆଲୋକପାତ କରିଥିଲେ । ମହିଳା ଆଇନ୍ ସମ୍ବନ୍ଧରେ ମହିଳାମାନେ ସଚେତନ ହେବା କେତେ ଜରୁରୀ ପ୍ରାଞ୍ଜଳ ଭାବେ ବୁଝାଇଥିଲେ । ଗବେଷଣାର ସାମ୍ପ୍ରତିକ ସମୟରେ ଆବଶ୍ୟକତା ଉପରେ ବିଭିନ୍ନ ସମୁଦାୟରୁ ପ୍ରତିନିଧିବୃନ୍ଦମାନେ ନିଜର ମତବ୍ୟକ୍ତ ରଖିଥିଲେ । ଘରୋଇ ହିଂସା ଏବଂ ଯୌତୁକ ନିରୋଧ ଆଇନ୍ ବାବଦରେ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମରେ ସାମିଲ ହୋଇ ନିଜର ମତ ଉପସ୍ଥାପନା କରିଥିଲେ । ଘରୋଇ ହିଂସା କିପରି ଭାବରେ ମହିଳା ମାନଙ୍କ କ୍ଷେତ୍ରରେ ବଢିଚାଲିଛି, ମହିଳାଙ୍କ ପ୍ରତି ହେଉଥିବା ହିଂସା ଓ ଶୋଷଣ ବିରୋଧରେ ସୁରକ୍ଷା ଦେବା ଉପରେ ସମ୍ପ୍ରଦାୟ ପ୍ରତିନିଧିବୃନ୍ଦମାନଙ୍କର ଭୂମିକା, ୱାନ୍ ଷ୍ଟପ୍ ସେଣ୍ଟର ଏବଂ ଶକ୍ତି ସଦନ ଏ ଦିଗରେ କିପରି ସହାୟକ ହୋଇ ପାରୁଛି, ଆଲୋଚନା କରିଥିଲେ । ଏକ ଘରୋଇ ହିଂସା ମୁକ୍ତ ସମାଜ ଗଠନ ପାଇଁ ଆହ୍ୱାନ ଦେଇଥିଲେ । ମହିଳାଙ୍କ ପାଇଁ ସରକାରଙ୍କ ଦ୍ୱାରା ପ୍ରଣୀତ ବିଭିନ୍ନ ଯୋଜନା ଓ ସଂରକ୍ଷଣ ସୁବିଧାର ଲାଭ ଉଠାଇ ନିଜ ନିଜର ଆତ୍ମନିର୍ଭରଶୀଳତା ବଢ଼ାନ୍ତୁ ଓ ସମାଜ ପାଇଁ ଉଦାହରଣ ସାଜନ୍ତୁ ବୋଲି ପରାମର୍ଶ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜାତୀୟ ଆଇନ୍ ବିଶ୍ୱବିଦ୍ୟାଳୟର କାର୍ଯ୍ୟକ୍ରମ ପରିଚାଳକ ସୁଧାଂଶୁ ଭୂଷଣ ମହାରଣା, ରାଜ କିଶୋର ପଣ୍ଡା ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଗବେଷକ ଶ୍ରୀକାନ୍ତ ସାହୁ ପରିଚାଳନା କରିଥିଲେ । ପରିଶେଷରେ ଜାତୀୟ ଆଇନ୍ ବିଶ୍ୱବିଦ୍ୟାଳୟର କାର୍ଯ୍ୟକ୍ରମ ପରିଚାଳକ ସୁଧାଂଶୁ ଭୂଷଣ ମହାରଣା ଧନ୍ୟବାଦ ଅର୍ପଣ କରି ସଭା ସମାପ୍ତ କରିଥିଲେ ।