csstore

ବିଶ୍ୱ ଓଜୋନ ଦିବସ ଉପଲକ୍ଷେ ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଆଲୋଚନା ଚକ୍ର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବିଶ୍ୱ ଓଜୋନ ଦିବସ ଉପଲକ୍ଷେ ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି । ଏହି ସଭାରେ ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ସୁଶାନ୍ତ ଦାସ ଅଧ୍ୟକ୍ଷତା କରିଥିଲେ । ନିଜ ବକ୍ତବ୍ୟରେ ଶ୍ରୀଯୁକ୍ତ ଦାସ କହିଥିଲେ ଯେ, ଆମେ ପ୍ରତିଦିନ ବ୍ୟବହାର କରୁଥିବା ପ୍ରତ୍ୟେକ ବ୍ୟବହାର୍ଯ୍ୟ ସାମଗ୍ରୀ ଜଳବାୟୁ ପରିବର୍ତ୍ତନ ତଥା ପରିବେଶ ସୁରକ୍ଷା ଉପରେ ବିଶେଷ ପ୍ରଭାବ ପକାଇଥାଏ । ଏପରିକି ବାୟୁ ମଣ୍ଡଳ ଓ ଓଜୋନ ସ୍ତର ମଧ୍ୟ ଏହାଦ୍ୱାରା ପ୍ରଭାବିତ ହୋଇଥାଏ । ଯଦି ପ୍ରତିଦିନ ମୋଟର ସାଇକେଲ ପରିବର୍ତ୍ତେ ସାଇକେଲ୍ ବ୍ୟବହାର କରିବା, ବୃକ୍ଷରୋପଣ କରିବା ଏବଂ ପରିବେଶ ପାଇଁ ଯେଉଁ ଦ୍ରବ୍ୟ ହାନିକାରକ ତାହାର ବ୍ୟବହାର ନକରିବା ଆଦି ଛୋଟ ଛୋଟ କାର୍ଯ୍ୟ ହାତକୁ ନେବା ତେବେ ସେଗୁଡିକ ଓଜୋନ ସ୍ତରକୁ ସୁରକ୍ଷିତ ରଖିବାରେ ବଡ଼ ଭୂମିକା ନେବ । ପରିବେଶର ସୁରକ୍ଷା ହେଉଛି ଆଗାମୀ ପିଢ଼ି ପାଇଁ ଆମର ଦାୟିତ୍ୱ । ଏହି ସଭାରେ ମୁଖ୍ୟ ଅତିଥି ଭାବରେ ଛତ୍ରପୁର ବନ ବିଭାଗ ଅଧିକାରୀ ବାବୁ ସେଠୀ ଉପସ୍ଥିତ ରହି ଓଜୋନ ସ୍ତର ଏବଂ ମନୁଷ୍ୟ ଉପରେ ଏହାର ପ୍ରଭାବ ବିଷୟରେ ଆଲୋଚନା କରିଥିଲେ । ସେ ତାଙ୍କ ବକ୍ତବ୍ୟରେ ଯୁବପିଢି ମାନଙ୍କୁ ଏଥି ପ୍ରତି ସଚେତନ ହେବା ପାଇଁ ଆହ୍ୱାନ ଜଣାଇଥିଲେ । ସଭା ପ୍ରାରମ୍ଭରେ ଜୀବ ବିଜ୍ଞାନ ବିଭାଗର ଅଧ୍ୟାପିକା ଡ. ପ୍ରଣତି ନାୟକ ଅତିଥି ମାନଙ୍କୁ ସ୍ୱାଗତ କରିବା ସହିତ କହିଥିଲେ ଯେ, ଓଜୋନ ସ୍ତର ହେଉଛି ମାନବ ସମାଜ ପାଇଁ ପୃଥିବୀର ଏକ ସୁରକ୍ଷା କବଚ । ଏହାର ରକ୍ଷା କରିବା ପାଇଁ ପ୍ଲାଷ୍ଟିକ୍ ବ୍ୟବହାର କମାଇବା, ବୃକ୍ଷରୋପଣ କରିବା ଏବଂ ପ୍ରଦୂଷଣରେ ନିୟନ୍ତ୍ରଣ ଆଣିବା ଆବଶ୍ୟକ । ସଭା ଶେଷରେ ମହାବିଦ୍ୟାଳୟର ଅଧ୍ୟାପିକା ଡ. ମିଲିମିତା ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭା ଅଧ୍ୟାପିକା ସାପା ରଞ୍ଜିତା ରାଣୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ହୋଇଥିଲା । ଏଥିରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

jayashree
Leave A Reply

Your email address will not be published.