ଏନ୍ସିସି କ୍ୟାଡେଟ, ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ, ଆଦିବାସୀ ଅତିଥି ଏବଂ ପ୍ରଜ୍ଞାପନ ମେଢ କଳାକାରଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ
- ପ୍ରଧାନମନ୍ତ୍ରୀ ଏକ ଅଭିନବ ଉପାୟରେ ବାର୍ତ୍ତାଳାପ କରିଛନ୍ତି, ବ୍ୟକ୍ତିଗତ ଭାବରେ ଅଂଶଗ୍ରହଣକାରୀଙ୍କ ସହ ଏକ ମୁକ୍ତ ପରିବେଶରେ ଆଲୋଚନା କରିଛନ୍ତି
- ପ୍ରଧାନମନ୍ତ୍ରୀ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ର ବାର୍ତ୍ତା ଉପରେ ଆଲୋକପାତ କରିଥିଲେ, ଅଂଶଗ୍ରହଣକାରୀମାନଙ୍କୁ ଅନ୍ୟ ରାଜ୍ୟର ଲୋକଙ୍କ ସହ ବାର୍ତ୍ତାଳାପ କରିବାକୁ ଅନୁରୋଧ କରିଥିଲେ
- ପ୍ରଧାନମନ୍ତ୍ରୀ ଯୁବଗୋଷ୍ଠୀଙ୍କୁ ରାଷ୍ଟ୍ର ନିର୍ମାଣ ପାଇଁ ଆହ୍ୱାନ ଦେଇଛନ୍ତି, ବିକଶିତ ଭାରତର ସ୍ୱପ୍ନ ହାସଲ ପାଇଁ କର୍ତ୍ତବ୍ୟ ପାଳନ ଉପରେ ଗୁରୁତ୍ୱାରୋପ କରିଛନ୍ତି
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକ କଲ୍ୟାଣ ମାର୍ଗସ୍ଥିତ ତାଙ୍କ ବାସଭବନରେ ଆଗାମୀ ସାଧାରଣତନ୍ତ୍ର ଦିବସ ପରେଡରେ ଅଂଶଗ୍ରହଣ କରିବାକୁ ଥିବା ଏନସିସି କ୍ୟାଡେଟ୍, ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ, ଆଦିବାସୀ ଅତିଥି ଏବଂ ପ୍ରଜ୍ଞାପନ ମେଢ କଳାକାରମାନଙ୍କ ସହ ଆଲୋଚନା କରିଛନ୍ତି । ଏହି ବାର୍ତ୍ତାଳାପ ପରେ ଭାରତର ସମୃଦ୍ଧ ସଂସ୍କୃତି ଓ ବିବିଧତାକୁ ପ୍ରଦର୍ଶିତ କରି ଜୀବନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ପୂର୍ବ ବ୍ୟବସ୍ଥାକୁ ବଦଳାଇ ପ୍ରଧାନମନ୍ତ୍ରୀ ଅଭିନବ ଢଙ୍ଗରେ ଅଂଶଗ୍ରହଣକାରୀଙ୍କ ସହ ବାର୍ତ୍ତାଳାପ କରିଥିଲେ । ସେ ଅଂଶଗ୍ରହଣକାରୀମାନଙ୍କ ସହ ଏକ ଅନୌପଚାରିକ, ମୁକ୍ତ ବାର୍ତ୍ତାଳାପରେ ନିୟୋଜିତ ହୋଇଥିଲେ । ପ୍ରଧାନମନ୍ତ୍ରୀ ଜାତୀୟ ଏକତା ଏବଂ ବିବିଧତାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ଏବଂ ଏକ ଭାରତ ଶ୍ରେଷ୍ଠ ଭାରତର ଭାବନାକୁ ସୁଦୃଢ଼ କରିବା ପାଇଁ ବିଭିନ୍ନ ରାଜ୍ୟର ଲୋକଙ୍କ ସହ ଯୋଗାଯୋଗ କରିବାକୁ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଅନୁରୋଧ କରିଥିଲେ । ସେ ଆଲୋକପାତ କରିଥିଲେ ଯେ କିପରି ଏଭଳି ବାର୍ତ୍ତାଳାପ ବୁଝାମଣା ଏବଂ ଏକତାକୁ ପ୍ରୋତ୍ସାହିତ କରେ, ଯାହା ଦେଶର ପ୍ରଗତି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ଦାୟିତ୍ୱବାନ ନାଗରିକ ଭାବରେ କର୍ତ୍ତବ୍ୟ ପାଳନ କରିବା ହେଉଛି ବିକଶିତ ଭାରତର ସ୍ୱପ୍ନ ହାସଲ କରିବାର ଚାବିକାଠି । ସାମୂହିକ ପ୍ରୟାସ ମାଧ୍ୟମରେ ଦେଶକୁ ସୁଦୃଢ଼ କରିବା ପାଇଁ ସମସ୍ତେ ଏକଜୁଟ୍ ରହିବାକୁ ସେ ଆହ୍ୱାନ ଦେଇଥିଲେ । ମାଇଁ ଭାରତ ପୋର୍ଟାଲରେ ପଞ୍ଜୀକୃତ ହେବା ଏବଂ ଦେଶ ନିର୍ମାଣରେ ଯୋଗଦାନ କରୁଥିବା କାର୍ଯ୍ୟକଳାପରେ ସକ୍ରିୟ ଭାବରେ ସାମିଲ ହେବାକୁ ସେ ଯୁବକମାନଙ୍କୁ ଉତ୍ସାହିତ କରିଥିଲେ । ଶୃଙ୍ଖଳା, ସମୟାନୁବର୍ତ୍ତୀତା ଏବଂ ଶୀଘ୍ର ଉଠିବା ଭଳି ଭଲ ଅଭ୍ୟାସ ଗ୍ରହଣ କରିବାର ମହତ୍ତ୍ୱ ବିଷୟରେ ମଧ୍ୟ ସେ କହିଥିଲେ ଏବଂ ଡାଏରୀ ଲେଖିବାକୁ ଉତ୍ସାହିତ କରିଥିଲେ । ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ସରକାରଙ୍କର କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବିଷୟରେ ଆଲୋଚନା କରିଥିଲେ ଯାହା ଲୋକଙ୍କ ଜୀବନକୁ ଉନ୍ନତ କରିବାରେ ସହାୟକ ହେଉଛି । ୩ କୋଟି “ଲଖପତି ଦିଦି” ସୃଷ୍ଟି କରିବା ଉଦ୍ଦେଶ୍ୟରେ ପଦକ୍ଷେପ ମାଧ୍ୟମରେ ମହିଳା ସଶକ୍ତୀକରଣ ପାଇଁ ସରକାରଙ୍କ ପ୍ରତିବଦ୍ଧତା ଉପରେ ସେ ଆଲୋକପାତ କରିଥିଲେ । ଜଣେ ଅଂଶଗ୍ରହଣକାରୀ ଏହି ଯୋଜନାରେ ଉପକୃତ ହୋଇଥିବା ତାଙ୍କ ମା’ଙ୍କ କାହାଣୀ ସେୟାର କରିଥିଲେ, ଯାହା ଦ୍ୱାରା ତାଙ୍କ ଉତ୍ପାଦ ରପ୍ତାନି କରିବାକୁ ସକ୍ଷମ ହୋଇଥିଲେ । ଭାରତର ସୁଲଭ ଡାଟା ହାର କିପରି ଯୋଗାଯୋଗରେ ପରିବର୍ତ୍ତନ ଆଣିଛି ଏବଂ ଡିଜିଟାଲ ଇଣ୍ଡିଆକୁ ଶକ୍ତି ପ୍ରଦାନ କରିଛି, ଲୋକଙ୍କୁ ଯୋଗାଯୋଗରେ ରହିବାରେ ସାହାଯ୍ୟ କରିଛି ଏବଂ ସୁଯୋଗ ବୃଦ୍ଧି କରିଛି ସେ ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ କହିଥିଲେ । ସ୍ୱଚ୍ଛତାର ଗୁରୁତ୍ୱ ଉପରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯଦି ୧୪୦ କୋଟି ଭାରତୀୟ ସ୍ୱଚ୍ଛତା ବଜାୟ ରଖିବାକୁ ସଂକଳ୍ପ କରନ୍ତି, ତେବେ ଭାରତ ସର୍ବଦା ସ୍ୱଚ୍ଛ ରହିବ । ଏକ ପେଡ୍ ମା’ କେ ନାମ ଅଭିଯାନର ମହତ୍ତ୍ୱ ବିଷୟରେ ସେ କହିଥିଲେ ଏବଂ ସମସ୍ତଙ୍କୁ ଗଛ ଲଗାଇବା ପାଇଁ ଅନୁରୋଧ କରିଥିଲେ । ସେ ଫିଟ୍ ଇଣ୍ଡିଆ ଅଭିଯାନ ବିଷୟରେ ଆଲୋଚନା କରିଥିଲେ ଏବଂ ଯୋଗ କରିବା ପାଇଁ ସମୟ ବାହାର କରି ଫିଟ୍ ନେସ୍ ଏବଂ କଲ୍ୟାଣ ଉପରେ ଧ୍ୟାନ ଦେବାକୁ ସମସ୍ତଙ୍କୁ କହିଥିଲେ, ଯାହା ଏକ ଶକ୍ତିଶାଳୀ ଏବଂ ସୁସ୍ଥ ରାଷ୍ଟ୍ର ପାଇଁ ଜରୁରୀ । ବିଦେଶୀ ଅଂଶଗ୍ରହଣକାରୀଙ୍କ ସହ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଅଂଶଗ୍ରହଣକାରୀମାନେ ଆନନ୍ଦ ପ୍ରକାଶ କରିବା ସହ ଭାରତର ଆତିଥ୍ୟକୁ ପ୍ରଶଂସା କରିବା ସହିତ ସେମାନଙ୍କ ଗସ୍ତର ସକାରାତ୍ମକ ଅନୁଭୂତି ବାଣ୍ଟିଥିଲେ ।