ଗରଗଡବାହାଲରେ ପୂର୍ବ ଶତ୍ରୁତାରୁ ଜଣଙ୍କୁ ମରଣାନ୍ତକ ଆକ୍ରମଣ, ଅତି ଗୁରୁତର ବୁର୍ଲା ସ୍ଥାନାନ୍ତର, ଥାନାରେ ମାମଲା ରୁଜ୍ଜୁ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗରଗଡବାହାଲ ଗ୍ରାମରେ ପୂର୍ବ ଶତ୍ରୁତାରୁ ଜଣଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ବେଳେ ତାଙ୍କୁ ଅତି ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । ଏ ସମ୍ପର୍କରେ ଗୁରୁତରଙ୍କ ପତ୍ନୀ ଜୟନ୍ତୀ ବାଗ(୪୫)ଥାନାରେ ଏତଲା ଦେଇଥିବା ବେଳେ ପୁଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ଗରଗଡ଼ବାହାଲ ଗ୍ରାମର ଜଳନ୍ଧର ବାଗ(୫୦) ଶୁକ୍ରବାର ରାତିରେ ସପରିବାର ସହ ଘରେ ଥିଲେ । ଜମିବାଡ଼ି ଓ ପୂର୍ବ ଶତ୍ରୁତାକୁ ନେଇ ରାତି ୯ଟା ସମୟରେ ଗ୍ରାମର ଦାମୋଦର ବାଗ, ଉପିନ ବାଗ, ହେରାମ ବାଗ, ବିଷ୍ଣୁ ନାଗ, ଋଷୁ ବାଗ ଓ ଅନ୍ୟମାନେ ଠେଙ୍ଗା, ବାଡ଼ି ସାହାଯ୍ୟରେ ଜଳନ୍ଧରଙ୍କୁ ନିସ୍ତୁକ ମାଡ ମାରି ମରଣାନ୍ତକ ଆକ୍ରମଣ କରିଥିଲେ । ଜଳନ୍ଧରଙ୍କ ଡାହାଣ ଗୋଡ, ମୁଣ୍ଡ ଓ ଦୁଇ ହାତରେ ଗୁରୁତର ଆଘାତ ଲାଗି ପ୍ରଚୁର ରକ୍ତ ମଧ୍ୟ ବାହାରିଥିଲା । ତାଙ୍କର ଗୋଡ ଓ ଦୁଇ ହାତ ଭାଙ୍ଗି ଯାଇଥିବା ବେଳେ ଛାତିରେ ପ୍ରବଳ ଯନ୍ତ୍ରଣା ହେଉଛି । ଗୁରୁତର ଜଳନ୍ଧରଙ୍କୁ ଉଦ୍ଧାର କରି ପରିବାର ଲୋକେ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଟିଟିଲାଗଡ, ପରେ ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଶେଷ ମୁହୂର୍ତ୍ତରେ ବୁର୍ଲା ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । ବର୍ତ୍ତମାନ ତାଙ୍କର ଅବସ୍ଥା ଅତି ସଙ୍କଟାପନ୍ନ ଅବସ୍ଥାରେ ଅଛି । ଆକ୍ରମଣକାରୀମାନେ ଜଳନ୍ଧରଙ୍କ ପରିବାର ଲୋକଙ୍କୁ ନିଶ୍ଚିତ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିବା ଅଭିଯୋଗକାରୀ ଜୟନ୍ତୀ ନିଜ ଏତଲାରେ ଉଲ୍ଲେଖ କରିଛନ୍ତି । ଦୁଇ ପରିବାର ମଧ୍ୟରେ ଏକଜିମାଲି ଜମି ଓ ପୂର୍ବ ଶତ୍ରୁତାକୁ ନେଇ ଗଣ୍ଡଗୋଳ ହୋଇଥିବା ବେଳେ ଜୟନ୍ତୀଙ୍କ ଏତଲା ଆଧାରରେ ଥାନା କେସ ନ ୬୬/୨୪ ରୁଜ୍ଜୁ କରି ଅଧିକ ତଦନ୍ତ ଚାଲିଥିବା ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

4 × one =