ଚାନୁଟମାଲ ଗ୍ରାମରୁ ବିବାହର ମାତ୍ର ୨୩ ଦିନ ପରେ ସୁନା, ରୂପା ଧରି ନବବଧୂ ଶାଶୁଘରୁ ଫେରାର, ଥାନାରେ ମାମଲା ରୁଜ୍ଜୁ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବର-ବଧୂଙ୍କ ଶୁଭବିବାହକୁ ହୋଇଛି ମାତ୍ର ୨୩ଦିନ । ମାସଟିଏ ବି ପୁରିନି । ଗୋଡ଼ରୁ ଅଳତା କି ହାତରୁ ମେହେନ୍ଦି ଲିଭିନି । ବନ୍ଧୁବାନ୍ଧବ, କୁଣିଆ ଏବେ ଏବେ ଘରୁ ଯାଇଛନ୍ତି । ଆଣିଥିବା ଯୌତୁକ ସାମଗ୍ରୀରେ ଘର ସାଜସଜ୍ଜା ସରିନି । ନୂଆଁ ବୋହୂକୁ ଦେଖିବାକୁ ଓ ହାତରନ୍ଧା ଖାଇବାକୁ ପରିବାରରେ ଗହଳି ଚହଳି । କେତେ ଥଟ୍ଟା ମଜା ଚାଲୁଥିବା ବେଳେ ହଠାତ୍‌ ତାହା ପାଣି ଫୋଟକା ଭଳି ମିଳାଇ ଯାଇଛି । ବିବାହକୁ ମାତ୍ର ୨୩ଦିନ ହୋଇଥିବା ବେଳେ ହଠାତ୍ ନବବଧୂ ଶାଶୁଘରୁ ଫେରାର । ଗଲାବେଳେ ସୁନା, ରୂପା, ମୁଦି ଆଦି ଧରି ଫେରାର ହୋଇଯାଇଥିବା ନେଇ ଶ୍ୱଶୁରଙ୍କ ଥାନାରେ ଏତଲା । ଏଭଳି ଏକ ଚର୍ଚ୍ଚିତ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ବଡ଼ସାଇମରା ପଞ୍ଚାୟତ ଚାନୁଟମାଲ ଗ୍ରାମରେ ।ଗ୍ରାମର ଗଣେଶ କୁମ୍ଭାରଙ୍କ ପୁଅ ହେମନ୍ତ କୁମ୍ଭାରଙ୍କ ବିବାହ ଗତ ୩୦/୦୧/୨୪ଦିନ ବଙ୍ଗୋମୁଣ୍ଡା ଥାନା ମାଳିବାହାଲ ଗ୍ରାମର ଜଣେ ଝିଅ(୨୨)ଙ୍କ ସହିତ ବୈଦିକ ରୀତିନୀତିରେ ହୋଇଥିଲା । ବିବାହ ପରେ ବରକନ୍ୟା ବେଶ୍‌ ହସଖୁସିରେ ଥିଲେ । କିନ୍ତୁ ହଠାତ ୨୩ତାରିଖ ଶୁକ୍ରବାର ଦିନ ୧୧.୩୦ମି ସମୟରେ ନବବଧୂଟି ଘରେ କାହାକୁ କିଛି ନ କହି ଶାଶୁଘରୁ କେଉଁଆଡେ ଚାଲି ଯାଇଥିଲା । ସେ ଘରୁ ଗଲାବେଳେ ସୁନାର କର୍ଣ୍ଣଫୁଲ, ସୁନାହାର ଓ ମୁଦି ଆଦି ବିବାହ ଅଳଙ୍କାର ଧରି ଫେରାର ହୋଇଯାଇଥିବା ଜଣାପଡ଼ିଛି । ସେ ଆଉ ଘରକୁ ନ ଫେରିବାରୁ ଶାଶୂଘର ଲୋକେ ତାଙ୍କୁ ବହୁ ସ୍ଥାନରେ ଖୋଜାଖୋଜି କରି ନିରାଶ ହୋଇ ଶେଷରେ ଥାନାରେ ଏତଲା ଦେଇଥିଲେ । ଏ ସମ୍ପର୍କରେ ମୁରିବାହାଲ ଥାନା ପୁଲିସ ଏକ ନିଖୋଜ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ବିବାହର ମାତ୍ର ୨୩ଦିନ ମଧ୍ୟରେ ଜଣେ ନବବିବାହିତା ଶାଶୂଘରୁ ଫେରାର ହୋଇଯିବାରେ ଏହା ଏକ ପୂର୍ବ ପ୍ରେମଜନିତ ଘଟଣା ବୋଲି ସମଗ୍ର ଅଞ୍ଚଳରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.

six − four =