
- ରାୟଗଡାରେ ଚର୍ଚ୍ଚାର ବିଷୟ
ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଥିବା ଏକ ଅଭାବନୀୟ ଘଟଣା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ପିଲା ଚୋର ସନ୍ଦେହରେ ସ୍କୁଟିରେ ଯାଉଥିବା ଜଣେ ଯୁବତୀ ଓ ଯୁବକଙ୍କୁ ସ୍ଥାନୀୟ ଲୋକେ ଅଟକାଇ ନିର୍ମମ ଭାବେ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ଦିଲ୍ଲୀରେ ଏକ ବର୍ଷିଆ ଫେଲୋଶିପ୍ କରୁଥିବା ସୁମନ ଝା ଓ ଗୁଜରାଟର ସୁରତ ବାସିନ୍ଦା ଅର୍ପିତ ସୂତାରିଆ କନ୍ଧମାଳ ଜିଲ୍ଲାର ଦାରିଙ୍ଗିବାଡିରୁ କଳାହାଣ୍ଡିର ଥୁଆମୂଳ ରାମପୁର ଅଞ୍ଚଳକୁ ଯାଉଥିଲେ । ରାସ୍ତା ସମ୍ପର୍କରେ ଅଜ୍ଞ ଥିବାରୁ ସେମାନେ ଗୁଗୁଲ ମ୍ୟାପ୍ ସହାୟତାରେ ଯାତ୍ରା କରୁଥିଲେ । ଏହି ସମୟରେ କଲ୍ୟାଣସିଂହପୁର ପଞ୍ଚାୟତର ଇନ୍ତାଲିଗୁଡା ଗ୍ରାମ ନିକଟରେ କିଛି ଲୋକ ସେମାନଙ୍କୁ ପିଲା ଚୋର ସନ୍ଦେହରେ ଅଟକାଇଥିଲେ । ପରିଚୟପତ୍ର ଦେଖାଇବା ସତ୍ତ୍ୱେ ଉତ୍ତେଜିତ ଲୋକମାନେ ଆଇନକୁ ହାତକୁ ନେଇ ଉଭୟଙ୍କୁ ମାଡ଼ ମାରିଥିଲେ । ଯୁବତୀଙ୍କ ସହ ଦୁର୍ବ୍ୟବହାର କରାଯାଇଥିବା ସହ ତାଙ୍କ ପୋଷାକ ଚିରି ଦିଆଯାଇଥିବା ଅଭିଯୋଗ ହୋଇଛି । ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ପ୍ରଥମେ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ରାୟଗଡା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା । ଗୁରୁତର ଅବସ୍ଥା ଯୋଗୁଁ ପରବର୍ତ୍ତୀ ସମୟରେ ସେମାନଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ଏହି ଘଟଣାକୁ ନେଇ ୫୦ରୁ ଅଧିକ ଲୋକଙ୍କ ନାମରେ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ଏପର୍ଯ୍ୟନ୍ତ ୧୬ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ରାୟଗଡା ଏସପି ରାଜ ପ୍ରସାଦ ଘଟଣାର ତଦନ୍ତ ତଦାରଖ କରୁଥିବା ବେଳେ, ଏସଡିପିଓ ଗୌରହରି ସାହୁ କହିଛନ୍ତି ଯେ, ସିସିଟିଭି ଓ ଭିଡିଓ ଫୁଟେଜ ଆଧାରରେ ଦୋଷୀଙ୍କ ବିରୋଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହି ଘଟଣା ପୁଣିଥରେ ଗୁଜବ ଓ ସନ୍ଦେହ ଆଧାରରେ ଆଇନକୁ ହାତକୁ ନେବାର ଭୟାବହ ପରିଣାମ ସାମ୍ନାକୁ ଆଣିଛି ।