
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସାରା ଓଡ଼ିଶାରେ ହଇଚଇ ସୃଷ୍ଟି କରିଥିବା ସରପଞ୍ଚ ଚାମେଲି ଓଝାଙ୍କୁ ଗିରଫକୁ କେନ୍ଦ୍ର କରି ରାଜ୍ୟ ସରପଞ୍ଚ ମହାସଂଘ ପକ୍ଷରୁ ସମସ୍ତ ଜିଲ୍ଲା ମହକୁମାରେ ଗୁରୁବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଠାରେ ସୂଚନା ଯୋଗ୍ୟ ଯେ’ କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକର ତିଖିରି ଗ୍ରାମପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ ବର୍ତ୍ତମାନ୍ ଗିରଫ୍ କରାଯାଇଛି ଏବଂ ତାଙ୍କରି ଉପରେ ବିଭିନ୍ନ ଅଙ୍କୁଶ ଲଗାଇବା ଠିକ୍ ନୁହେଁ । ତାଙ୍କ ଉପରେ ହୋଇଥିବା ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ପ୍ରତ୍ୟେକ ଜିଲ୍ଲା ସଦର ମହକୁମାରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କୁ ପ୍ରଦତ୍ତ ହୋଇଛି । ଏହି ଅବସରରେ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁରସ୍ଥ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଗଞ୍ଜାମ ଜିଲ୍ଲା ସରପଞ୍ଚ ମହାସଂଘ ପକ୍ଷରୁ ଡାକବାଜି ଯନ୍ତ୍ରର ଧ୍ୱନି ଲଗାଇ ରାଜ୍ୟ ସରକାରଙ୍କୁ କଟୁ ସମାଲୋଚନା କରିଛନ୍ତି । ଏପରିକି ପ୍ରଶାସନକୁ ଚେତାବନୀ ଦେଇ ବିଭିନ୍ନ ସ୍ଲୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସରପଞ୍ଚଗଣ ଜିଲ୍ଲାପାଳଙ୍କ ଦପ୍ତର ମଧ୍ୟକୁ ଧସେଇ ପଶି ଜିଲ୍ଲାପାଳଙ୍କ ବାହନ ରହିବା ସ୍ଥାନରେ ପ୍ରତୀକ ଭାବେ ଜିଲ୍ଲା ସରପଞ୍ଚ ମହାସଂଘ ପକ୍ଷରୁ ସରପଞ୍ଚମାନେ ଧାରଣାରେ ବସିଥିଲେ । ସରପଞ୍ଚ ଚାମେଲି ଓଝାଙ୍କ ପ୍ରତି ହୋଇଥିବା ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ତାଙ୍କ ଉପରେ ଲଗାଯାଇଥିବା ବିଭିନ୍ନ ଦଫା, ତାଙ୍କ ଉପରେ ହୋଇଥିବା ପୋଲିସର ଚଢ଼ାଉ, ଆକ୍ରମଣ, ଧସ୍ତାଧସ୍ତିକୁ ଅଗଣତାନ୍ତ୍ରିକ ବୋଲି ନେତୃବର୍ଗ ମତପ୍ରକାଶ କରିଛନ୍ତି । ତାଙ୍କୁ ନିର୍ଦ୍ଦୋଷରେ ଖଲାସ୍ କରିବା ସାଂଗକୁ ମହାକାଳପଡ଼ା ବ୍ଲକର ବିଡ଼ିଓ ଏବଂ ଆଇଆଇସିଙ୍କୁ ତୁରନ୍ତ ବଦଳି କରାଯିବା ଏବଂ ତାଙ୍କୁ ନିଲମ୍ବିତ କରିବାକୁ ଦାବି କରି ଜୋର୍ ଧରିଥିଲେ । ଜିଲ୍ଲପାଳଙ୍କ ଅନୁପସ୍ଥିତିରେ ବିଳମ୍ବରେ ହେଲେ ମଧ୍ୟ ଉକ୍ତ ସ୍ଥଳକୁ ଅତିରିକ୍ତ ଜିଲ୍ଲାପାଳ ଦେବଦତ୍ତ ପଣ୍ଡା ପହଞ୍ଚି ପରିସ୍ଥିତି ସମ୍ପର୍କରେ ଅବଗତ ହୋଇ ସ୍ମାରକପତ୍ର ଗ୍ରହଣ କରିଥିଲେ । ଗଞ୍ଜାମ ଜିଲ୍ଲା ସରପଞ୍ଚ ମହାସଂଘ ସଭାପତି ମନୋରଞ୍ଜନ ଗୌଡ଼, ଦକ୍ଷିଣାଞ୍ଚଳ ଜୋନ୍ ସଭାପତି ଭବାନୀ ଶଙ୍କର ମଲ୍ଲିକ୍, ସମ୍ପାଦକ ଅନୀଲ କୁମାର ପାଠୀ, ରଞ୍ଜନ କୁମାର ସାହୁ, କାର୍ଯ୍ୟକାରୀ ସଭାପତି କ୍ରାନ୍ତି କୁମାରୀ ଦେବୀ ପ୍ରମୁଖ ବିଭିନ୍ନ ଦିଗ ସମ୍ପର୍କରେ ସୂଚାଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ।