
ପ୍ରାଥମିକ ଶିକ୍ଷକ ପଦୋନ୍ନତି ପ୍ରକ୍ରିୟା ତ୍ୱରାନ୍ୱିତ କରିବା ପାଇଁ ବଲାଙ୍ଗିର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଦୃଷ୍ଟି ଆକର୍ଷଣ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ (ନୂତନ ପେନସନ ଭୁକ୍ତ ଯୋଜନା) ତରଫରୁ ଜିଲ୍ଲା ସଭାପତି ଶିତୋଷ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ବିଭିନ୍ନ ବ୍ଲକର କାର୍ଯ୍ୟକର୍ତ୍ତା ତଥା ଶିକ୍ଷକମାନେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟକୁ ଯାଇ ପ୍ରାଥମିକ ଶିକ୍ଷକମାନଙ୍କର ପଦୋନ୍ନତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଜିଲ୍ଲାର ଅଧିକାଂଶ ବ୍ଲକ ଶିକ୍ଷା କାର୍ଯ୍ୟାଳୟରୁ ପଦୋନ୍ନତି ତାଲିକା ଜିଲ୍ଲା କାର୍ଯ୍ୟାଳୟକୁ ପହଂଚିବାରେ ବିଳମ୍ବ ହେଉଥିବାରୁ ସଂଘ କ୍ଷୋଭ ପ୍ରକାଶ କରି ଜିଲ୍ଲା ଶିକ୍ଷାଧିକାରୀଙ୍କ ଦୃଷ୍ଟି ଆକର୍ଷଣ ଓ ହସ୍ତକ୍ଷେପ ଲୋଡି ଦାବି ପ୍ରଦାନ କରିଥିଲେ । ଡିଇଓଙ୍କ ଅନୁପସ୍ଥିତିରେ ଏଡିଇଓ ପ୍ରବୀର କୁମାର ପଣ୍ଡା ଦାବିପତ୍ର ଗ୍ରହଣ କରି ଶୀଘ୍ର ପଦୋନ୍ନତି ପ୍ରକ୍ରିୟାକୁ ସଂପାଦନ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ଦେଇଥିଲେ । ପ୍ରକାଶ ଥାଉ କି ରାଜ୍ୟରେ ଗତ ୪ ବର୍ଷ ଧରି ପ୍ରାଥମିକମାନଙ୍କର ପଦୋନ୍ନତି ପ୍ରକ୍ରିୟା ସ୍ଥଗିତ ହୋଇରହିଥିଲେ । ବିଦ୍ୟାଳୟ ଗୁଡିକରେ ସ୍ଥାୟୀ ପ୍ରଧାନ ଶିକ୍ଷକ ପଦବୀ ପୂରଣର ଗୁରୁତ୍ୱକୁ ଉପଲବ୍ଧି କରି ସ୍କୁଲ ଓ ଗଣଶିକ୍ଷା ବିଭାଗ ଏବଂ ନିର୍ଦ୍ଦେଶକ ଏଥିପାଇଁ ପଦକ୍ଷେପ ଗ୍ରହଣ କରି ନିର୍ଦ୍ଦେଶାନାମା ଜାରି କରିଥିଲେ । ତାକୁ ଭିତ୍ତି କରି ଜିଲ୍ଲା ଶିକ୍ଷାଧିକାରୀ ସମସ୍ତ ବିଇଓମାନଙ୍କୁ ଶୀଘ୍ର ପଦୋନ୍ନତି ତାଲିକା ପ୍ରସ୍ତୁତ କରିବା ସକାଶେ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଜାରି କରି ଜୁନ ୧୦ ତାରିଖ ସୁଦ୍ଧା ଆବଶ୍ୟକ କାଗଜାତ ଜମା କରିବାକୁ କହିଥିଲେ କିନ୍ତୁ ନିର୍ଦ୍ଦିଷ୍ଟ ତାରିଖରୁ ୭ ଦିନ ବିତି ଯାଇଥିଲେ ମଧ୍ୟ ଜିଲ୍ଲାର ୧୪ଟି ବ୍ଲକ ମଧ୍ୟରୁ ୬ଟି ବ୍ଲକ ଆବଶ୍ୟକ କାଗଜାତ ଜମା ଦେଇଥିବା ସୂଚନା ମିଳିଛି । ତେଣୁ ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶକୁ ହାଲୁକା ଭାବେ ଗ୍ରହଣ କରିବା ଓ ପ୍ରାଥମିକ ଶିକ୍ଷକମାନଙ୍କ ପଦନ୍ନୋତି ପ୍ରକ୍ରିୟାକୁ ବିଳମ୍ବ କରିବାରେ ଦାୟୀ ବ୍ଲକ ଶିକ୍ଷାଧିକାରୀଙ୍କ ପାଇଁ ଏକ ଦୃଷ୍ଟାନ୍ତମୂଳକ ନିର୍ଦ୍ଦେଶନାମା ଜାରି କରିବା ପାଇଁ ସଂଘ ତରଫରୁ ଏଡିଇଓ ଶ୍ରୀ ପଣ୍ଡାଙ୍କୁ ଅନୁରୋଧ କରାଯାଇଛି । ସଂଘ ତରଫରୁ ସୁମନ ସାହୁ, ଗଣେଶରାମ ପଣ୍ଡା, କମଲ ସାହୁ, ମୋହନ ଦଲାଇ, ଅଜିତ ବାରିକ, ରାମଚନ୍ଦ୍ର ପୁରୋହିତ, ବିଷ୍ଣୁ ସାହୁ, ରସାନନ୍ଦ କର୍ମୀ, ଜିତେନ୍ଦ୍ରୀୟ ପଟେଲ ସମେତ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।