କିସ୍ କରୋନା ହସ୍ପିଟାଲରେ ଆହୁରି ୧୦ ଆଇସିୟୁ ବେଡ୍ ବୃଦ୍ଧି କରାଯାଉ : ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରରେ ଜନସଂଖ୍ୟା ଦୃଷ୍ଟିରୁ କରୋନା ସଂକ୍ରମଣ ବହୁତ ଅଧିକ । ରାଜ୍ୟର ଅନ୍ୟାନ୍ୟ ଅଂଚଳକୁ ତୁଳନା କଲେ ବଲାଙ୍ଗିରର ସଂକ୍ରମଣ ସଂଖ୍ୟା ଆଶାତୀତ ଭାବେ ବଢୁଛି । ଏଠାକାର ସଂକ୍ରମିତ ତଥା ସଂଗୀନ ଅବସ୍ଥାରେ ଥିବା ରୋଗୀ ଆଇସିୟୁ ବେଡ୍ ଅଭାବରୁ ବହୁ ଅସୁବିଧାରେ ପଡୁଛନ୍ତି । କିଛି ରୋଗୀ ଆଇସିୟୁ ବେଡ୍ ଅଭାବରୁ ମୃତ୍ୟୁବରଣ କଲେଣି । ତେଣୁ ଯେତେ ଶୀଘ୍ର ହେବ ଆଉ ୧୦ଟି ଆଇସିୟୁ ବେଡ୍ କିସ୍‌ରେ ସ୍ଥାପନ କରାଯାଉ ବୋଲି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଆଜି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗକୁ ଚିଠି ମାଧ୍ୟମରେ ଅନୁରୋଧ କରିଛନ୍ତି । ପ୍ରକାଶ ଯୋଗ୍ୟ ଯେ, ଗତ କିଛି ଦିନ ହେଲା ବଲାଙ୍ଗିର ଜିଲ୍ଲା ତଥା ସହରରେ କରୋନା ରୋଗୀଙ୍କ ସଂଖ୍ୟା ପ୍ରତିଦିନ ୧୦୦ ଟପିବାରେ ଲାଗିଛି । ସହରର ପ୍ରତ୍ୟେକ ୱାର୍ଡ ତଥା ପଡାମାନଙ୍କରେ କରୋନା ରୋଗୀଙ୍କ ସଂଖ୍ୟା ଅସମ୍ଭାଳ ଭାବରେ ବଢୁଥିବାରୁ ଲୋକଙ୍କ ଭିତରେ କୋକୁଆ ଭୟ ସୃଷ୍ଟି ହେଲାଣି । କରୋନା ସଂକ୍ରମଣ ଯୋଗୁଁ ବଲାଙ୍ଗିରର କିଛି ରୋଗୀ ହଠାତ୍ ମୃତ୍ୟୁବରଣ କରୁଛନ୍ତି । ଯାହା ପରିବାର ଓ ଅଂଚଳର ଅପୂରଣୀୟ କ୍ଷତି । ସହରରେ ଥିବା ଭୀମଭୋଇ ମେଡିକାଲରେ ୧୦ଟି ଆଇସିୟୁ ବେଡ୍ ଥିଲା । ନରସିଂହଙ୍କ ଉଦ୍ୟମ କ୍ରମେ ତାହା ଆଉ ୧୦ଟା ବଢି ଏବେ ୨୦ରେ ପହଞ୍ଚିଛି । ତଥାପି ମଧ୍ୟ ଅନେକ ସଂକ୍ରମିତ ସଂଗୀନ ଅବସ୍ଥାକୁ ଚାଲି ଯାଉଥିବା କରୋନା ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ଆଇସିୟୁ ବେଡ୍ ସଂଖ୍ୟା ପର୍ୟ୍ୟାପ୍ତ ହୋଇପାରୁନାହିଁ । ତେଣୁ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ବଲାଙ୍ଗିର କିସ୍ ସ୍ଥିତ କରୋନା ହସ୍ପିଟାଲରେ ଆଉ ୧୦ଟି ଆଇସିୟୁ ବେଡ୍ ସ୍ଥାପନ ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.