
ଟିଟିଲାଗଡ଼/ସଇଁତଲା, (ସଞ୍ଜୟ କୁମାର ନାୟକ/ଖୁସିରାଣୀ ସାହୁ) : ବଲାଙ୍ଗିରରୁ ଟିଟିଲାଗଡ଼ ଅଭିମୁଖେ ଆସୁଥିବା ଏକ କୋଇଲା ବୋଝେଇ ମାଲବାହୀ ଟ୍ରେନର ଏକ ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । ଟିଟିଲାଗଡ଼ ନିକଟସ୍ଥ ଖଜୁରପଡା ରେଳ ଲାଇନରେ ଟ୍ରେନର ୧୪ ନମ୍ବର ବଗିଟି କୌଣସି କାରଣବଶତଃ ରେଳପଥରୁ ଖସିଯାଇଥିବା ଜଣାପଡ଼ିଛି । ଘଟଣାର ଖବର ପାଇ ରେଳବାଇ ବିଭାଗର ଅଧିକାରୀ ଓ ପ୍ରାଯୁକ୍ତିକ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ସହ ତଦନ୍ତ ଆରମ୍ଭ କରିଛନ୍ତି । ଲାଇନଚ୍ୟୁତ ହେବା ଫଳରେ ସେହି ରୁଟ୍ରେ କିଛି ସମୟ ପାଇଁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ସୂଚନା ମିଳିଛି । ତେବେ ଏହି ଘଟଣାରେ କୌଣସି ଜୀବନହାନି କିମ୍ବା ଆହତ ହେବାର ସୂଚନା ଏପର୍ଯ୍ୟନ୍ତ ମିଳିନାହିଁ । ଲାଇନଚ୍ୟୁତ ହେବାର ପ୍ରକୃତ କାରଣ କଣ ? ସେନେଇ ରେଳବାଇ ବିଭାଗ ତଦନ୍ତ ଜାରି ରଖିଛି । ଘଟଣାସ୍ଥଳରେ ମରାମତି କାର୍ଯ୍ୟ ଚାଲିଥିବାବେଳେ ରେଳ ଚଳାଚଳକୁ ସ୍ୱାଭାବିକ କରିବା ପାଇଁ ପ୍ରୟାସ ଜାରି ରହିଛି ।