କୁଲୁତାଯୋର ଗ୍ରାମରେ ଅବିବାହିତ ଝିଅ ଆତ୍ମହତ୍ୟା

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ଥାନା ଘଣ୍ଟାପଡା ଫାଣ୍ତି ଅଧୀନ କୁଲୁତାଯୋର ଗ୍ରାମରେ ଜଣେ ଅବିବାହିତ ଝିଅ ଆତ୍ମହତ୍ୟା କରିବା ଘଟଣା ଅଞ୍ଚଳରେ ଚହଳ ସୃଷ୍ଟି କରିଛି । ସୂଚନା ଅନୁଯାୟୀ କୁଲୁତାଯୋର ଗ୍ରାମର ଛବିଳ ଭୋଇଙ୍କ ଏକମାତ୍ର ଝିଅ ଅଟନ୍ତି ପଞ୍ଚମୀ ଭୋଇ(୨୨) । ତାଙ୍କ ବିବାହ ପାଇଁ ଗିଧାମାଲ ଗ୍ରାମରୁ ପ୍ରସ୍ତାବ ଆସିଥିଲା । ସକାଳ ପାହିଲେ ଝିଅଘର ଲୋକେ ପୁଅ ଘରକୁ ଜ୍ୱାଇଁ ଦେଖା ପାଇଁ ଯାଇଥାନ୍ତା । କିନ୍ତୁ କୌଣସି କାରଣବଶତଃ ରାତି ୪ଟା ସମୟରେ ଝିଅଟି ନିଜ ଦେହରେ କିରୋସିନି ଢାଲି ନିଆଁ ଲଗାଇଥିଲା । ଘଟଣା ବିଷୟରେ ଘରଲୋକ ଜାଣିପାରି ଆମ୍ବୁଲାନ୍ସ ଯୋଗେ ତୁରନ୍ତ ସୋନପୁର ହସପିଟାଲକୁ ନେଇଥିଲେ । ସେଠାରେ ଡାକ୍ତର ପୋଲିସକୁ ଖବର ଦେବାକୁ କହିବାରୁ ସୋନପୁର ଥାନାରେ ଲିଖିତ ଜଣାଇବା ପରେ ଚିକିତ୍ସା କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ଡାକ୍ତର ବଲାଙ୍ଗିର ହସପିଟାଲକୁ ସ୍ଥାନାନ୍ତର କରିଥିଲେ । ବଲାଙ୍ଗିର ହସପିଟାଲରେ ପହଞ୍ଚି ଡାକ୍ତରଙ୍କୁ ଦେଖା କରିବାପରେ ଡାକ୍ତର ଝିଅର ମୃତ ହୋଇଥିବା ଘୋଷଣା କରିଥିଲେ । ବଲାଙ୍ଗିର ଠାରେ ଶବ ବ୍ୟବଚ୍ଛେଦ ପରେ ଅପରାହ୍ନ ୪ଟା ସମୟରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା । ଖବର ଲେଖାଯିବା ପର୍ୟ୍ୟନ୍ତ ଆତ୍ମହତ୍ୟାର କାରଣ ବିଷୟରେ ସ୍ପଷ୍ଟ ସୂଚନା ମିଳିନାହିଁ । ଘଟଣା ବିଷୟରେ ଘଣ୍ଟାପଡା ଫାଣ୍ତି ଅଧିକାରୀଙ୍କୁ ପଚାରିବାରୁ ଫାଣ୍ତିରେ ଅଭିଯୋଗ ହୋଇ ନଥିବା ଜଣାଇଛନ୍ତି ।

Leave A Reply

Your email address will not be published.