pakka

ଯୁବତୀଙ୍କୁ ଗର୍ଭବତୀ କରି ହତ୍ୟା ଘଟଣାରେ ଚାରି ଅଭିଯୁକ୍ତ ଗିରଫ

bbehera

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା କୋମନା ଥାନା ସୁନାବେଡା ଅଭୟାରଣ୍ୟରୁ ଗତ ୭ ତାରିଖରେ ମିଳିଥିବା ଏକ ନର କଙ୍କାଳ ପଛରେ ଥିବା ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାଶ କରିଛି କୋମନା ପୋଲିସ୍ । ପ୍ରାପ୍ତ ସୂଚନା ଅନୁଯାୟୀ ଆଗ୍ରେନ୍ ଗ୍ରାମର ସୁଶୀଳା ନାମକ ଜଣେ ୨୨ ବର୍ଷୀୟ ଯୁବତୀ କୋମନା ଗ୍ରାମରେ ରହି ମା’ ମଙ୍ଗଳା ଷ୍ଟୁଡିଓର ମାଲିକ୍ ଭବାନୀ ପାଣିଗ୍ରାହୀଙ୍କ ଘରେ ରହି ଚାକରାଣୀ ଭାବେ କାମ କରୁଥିଲେ । କାମ କରୁଥିବା ସମୟରେ ଭବାନୀଙ୍କ ସାନଭାଇ ଉମାଶଙ୍କର ଓରଫ ବାପିଙ୍କ ସହିତ ସୁଶୀଳାର ଅନୈତିକ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । କିଛି ମାସ ପରେ ଯୁବତୀର ପେଟ ବ୍ୟଥା ହେବା କାରଣରୁ ନିଜ ଭାଇ ସହିତ ଯୁବତୀ ଜଣକ ଚିକିତ୍ସା ପାଇଁ ଡାକ୍ତରଖାନାକୁ ଯାଇଥିଲେ । ସେଠାରେ ଡ଼ାକ୍ତର ତାଙ୍କୁ ଛଅ ମାସର ଗର୍ଭବତୀ ଥିବା ଜଣାଇଥିଲେ । ଏହା ଶୁଣି ଘଟଣାରେ ସମ୍ପୃକ୍ତ ଥିବା ସମସ୍ତଙ୍କ ଉପରେ ଚଡ଼କ ପଡିଥିଲା । ପରେ ସୁଶୀଳାର ଗର୍ଭପାତ କରାଇବା ପାଇଁ ଦୁଇ ଭାଇ ଭବାନୀ ଓ ବାପୀ ଯୁବତୀଙ୍କ ଭାଇ ନେତ୍ର ସଗରିଆଙ୍କ ସହ ପ୍ରଥମେ ଭେଳା ଓ ପରେ ନୂଆପଡା ଭଳି ଅନେକ ଡାକ୍ତରଖାନାକୁ ନେଇଥିଲେ କିନ୍ତୁ କୌଣସି ମତେ ଗର୍ଭପାତ ନ ହୋଇପାରିବାରୁ, ଉମାଶଙ୍କର ପାଣିଗ୍ରାହୀ ଓରଫ୍ ବାପି ପାଣିଗ୍ରାହୀ ଓ ନେତ୍ର ସଗରିଆ ସୁଶୀଳାର ଅନ୍ୟତ୍ର ବିବାହ କରାଇବାକୁ ମଧ୍ୟ ଚେଷ୍ଟା କରିଥିଲେ, କିନ୍ତୁ ଏହା ମଧ୍ୟ ସମ୍ଭବ ହେଲା ନାହିଁ ତେଣୁ ସେ କିଛି ମାସ ପରେ ସୁଶୀଳା କେସିଙ୍ଗା ଡାକ୍ତରଖାନାରେ ୨୦/୦୧/୨୦୨୨ରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ ଏହି ଶିଶୁ କନ୍ୟାକୁ ଏମାନେ ସେଠାକାର କୌଣସି ଦରକାର କରୁଥିବା ବ୍ୟକ୍ତିକୁ ହସ୍ତାନ୍ତର କରି ଦେଇଥିଲେ, ଏହାପରେ ଫେବୃଆରୀ ମାସରେ ସୁଶୀଳାକୁ ସୁନାବେଡ଼ାରେ ରହୁଥିବା ସୁକଲ ଦାସଙ୍କ ଘରକୁ ନେଇ ରହିବା ପାଇଁ ବ୍ୟବସ୍ତା କରାଇଥିଲେ, କିନ୍ତୁ ସୁଶୀଳା ସେଠାରେ ରହିବାକୁ ମନାକରିବାରୁ ବାପି ପାଣିଗ୍ରାହୀ ଓ ନେତ୍ର ସଗରିଆ ସୁନାବେଡା ପହଞ୍ଚିଥିଲେ ଏବଂ ସୁଶୀଳାକୁ ସୁକଲ ଦାସ ସହ ଏକ ପିକଅପ୍ ଭେନ୍ ଗାଡି ନମ୍ବର ଓଆର୍‌୧୩ ଏଫ୍‌ ୨୦୨୨ରେ ସୁନାବେଡ଼ାରୁ ଫେରାଇ ଆଣୁଥିଲେ କିନ୍ତୁ ବାଟରେ ଅରିଏଁନ୍ଧସ୍ ନିକଟରେ ବାପି ପାଣିଗ୍ରାହୀ, ସୁକଲ ଦାସ ଓ ନେତ୍ର ସଗରିଆ ମିଶି ସୁଶୀଳାର ତଣ୍ଟି ଚିପି ହତ୍ୟା କରିଥିଲେ ଏବଂ ବଡ଼ଭାଇ ଭବାନୀ ପାଣିଗ୍ରାହୀଙ୍କ ନିର୍ଦ୍ଦେଶରେ ଶବଟିକୁ ଜଙ୍ଗଲରେ ଫିଙ୍ଗି ଦେଇ ଫେରି ଆସିଥିଲେ । ପରେ ସ୍ଥାନୀୟ ଲୋକ ଲିଙ୍ଗରାଜ ମାଝୀଙ୍କ ଠୁ ଗୋଟେ ଅର୍ଦ୍ଧ ଗଳିତ ଶବ ସୁନାବେଡା ଅଭୟାରଣ୍ୟ ଜଙ୍ଗଲରେ ପଡିଥିବାର ସୂଚନା ପାଇଥିଲେ, କୋମନା ପୋଲିସ୍ ସୂଚନା ପାଇ ଘଟଣାର ତଦନ୍ତ କରିଥିଲା ଏବଂ ଏ ଜଘନ୍ୟ ହତ୍ୟାକାଣ୍ଡର ପର୍ଦାଫାସ କରି ଏହି ଘଟଣାରେ ସମ୍ପୃକ୍ତ ଥିବା ଭବାନୀ ପାଣିଗ୍ରାହୀ, ବାପି ପାଣିଗ୍ରାହୀ, ନେତ୍ର ସଗରିଆ ଓ ସୁକଲ ଦାସଙ୍କୁ ଆଇପିସି ଧାରା ୩୭୬, ୩୦୨, ୨୦୧ ଓ ୧୨୦-ବିରେ ଗିରଫ କରି କୋର୍ଟ ଚାଲାଣ କରିଛି ଓ ଘଟଣାରେ ବ୍ୟବହୃତ ଏକ ପିକ୍ଅପ୍ ଭ୍ୟାନ, ଗୋଟିଏ କାର, ଗୋଟିଏ ମୋଟର ସାଇକେଲ ଓ ତିନୋଟି ମୋବାଇଲ୍ ଫୋନ୍ ଜବତ କରିଛି । ଏହି ଘଟଣାକୁ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ କୋମନା ପୁଲିସ ସୂଚନା ଦେଇଛି ।

Leave A Reply

Your email address will not be published.

two × four =