csstore

ଆମ ଓଡ଼ିଶା ନବୀନ ଓଡ଼ିଶା ଅନ୍ତର୍ଗତ ବଛାଯୁଝା ଖେଳ ପଡିଆ ନିର୍ମାଣରେ ବ୍ୟାପକ ଅନିୟମିତତା ଅଭିଯୋଗ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ନିକଟସ୍ଥ ସିହିନି ଗ୍ରାମ ପଞ୍ଚାୟତର ବଛାଯୁଝା ଗ୍ରାମ ଓଭର୍‌ହେଡ୍‌ ପାଣିଟାଙ୍କି ନିକଟରେ ପଞ୍ଚାୟତ ସମିତି ଟିଟିଲାଗଡ଼ ତରଫରୁ ପ୍ରଥମେ ୫ ଲକ୍ଷ ଓ ପରେ ଅଢେଇ ଲକ୍ଷ, ମୋଟ ସାଢେ଼ ସାତ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେଉଥିବା ଖେଳ ପଡିଆରେ ଦୁର୍ନୀତିର ଗନ୍ଧ ବାହାରୁଥିବା ଲୋକେ ଅଭିଯୋଗ କରୁଛନ୍ତି । କେବଳ ଜମିକୁ ସମତଳ କରାଯାଇ ଦୁଇଟି ଦୁର୍ବଳ ଗୋଲ ପୋଷ୍ଟ, ବସିବା ପାଇଁ ଦୁଇଟି ଗେଲେରୀ, ଅତିଥି ମାନଙ୍କ ପାଇଁ ଅଧ କାନ୍ଥ ଉଠି ଥିବା କାନ୍ଥ, ଚାରୋଟି ଏଙ୍ଗେଲରେ ଟିଣ ସିଟ, ଖେଳ ପଡିଆର ଗୋଟିଏ ପଟେ ୫୦ ଫୁଟରୁ ଅଧିକ ଛୋଟ ବାଡ ଦ୍ଵାରା ସମ୍ପନ୍ନ ହୋଇଯାଇଛି । କାର୍ଯ୍ୟର ମାନ ଅତି ଦୁର୍ବଳ ଜଣାପଡୁଛି । ଗୋଟାଏ ମାସ ନପୁରୁଣୁ ବସିବା ପାଇଁ ନିର୍ମାଣ କରାଯାଇଥିବା ଗେଲେରୀର ତିନୋଟି ପାହାଚ ରହିଥିବା ବେଳେ ଗୋଡ ରଖିବା ସ୍ଥାନ ଏବେ ଖାଲ ହୋଇଗଲାଣି, ଭିତରୁ କେବଳ ବାଲି ବାହାରୁଛି । ବଡପିଲା ଖେଳ ପଡିଆକୁ ଖେଳିବା ପାଇଁ ଆସୁନଥିବା ବେଳେ ଛୋଟ ଛୁଆ ଏବେ ସେଠାରେ ବାଲି ଖେଳୁଛନ୍ତି । ବିକାଶ ନାଁରେ କେବଳ ଲୁଣ୍ଠନ ଚାଲିଛି ବୋଲି ଲୋକେ ଆଲୋଚନା କରୁଛନ୍ତି । ସରକାର ଗ୍ରାମର ଖେଳ ପଡିଆ ଉନ୍ନତି ପାଇଁ ଟଙ୍କା ଦେଉଥିବା ବେଳେ ଏହିଭଳି ଠିକାଦାର ଓ ଅଧିକାରୀଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ କେବଳ ଫଳକ ଲଗାଇ ବିଲ ପାସ କରିବା ସାର ହେଉଛି । ଏ ଦିଗରେ ଯଥା ଶୀଘ୍ର ଦୃଷ୍ଟି ଦେଇ ଠିକାଦାରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି । ସୂଚନା ଯୋଗ୍ୟ ଯେ, ଏହି ଖେଳ ପଡିଆର ନିର୍ମାଣ ସମୟରେ ସ୍ଥାନୀୟ ଯୁବକ ମାନେ ପୂର୍ବତନ ବିଧାୟିକା ଶ୍ରୀମତୀ ଟୁକୁନି ସାହୁଙ୍କୁ ଅବଗତ କରାଇବା ସତ୍ତ୍ୱେ କିଛି ସୁଫଳ ମିଳି ନଥିବା ଲୋକେ କହିଛନ୍ତି ।

jayashree
Leave A Reply

Your email address will not be published.