
ସଇଁତଲା, (କେପିଏନ୍ଏସ୍) : ଜମିକୁ ନେଇ ବିବାଦ, ଆଉ ସେହି ବିବାଦରୁ ରାସ୍ତାକୁ ନେଇ ଆରମ୍ଭ ହୋଇଛି ଟଣାଓଟରା । ଯାତାୟାତ ପାଇଁ ନିର୍ମାଣ ହୋଇଥିବା ରାସ୍ତାକୁ କୋଦାଳରେ ଖୋଳିଦେଲେ ଜଣେ ବ୍ୟକ୍ତି । ଏପରିକି ମାଡ଼ପିଟ୍ ଓ ଗାଳିଗୁଲଜ ଅଭିଯୋଗ ମଧ୍ୟ ହୋଇଛି । ଘଟଣାକୁ ନେଇ ଏବେ ଉଭୟ ପକ୍ଷ ଥାନାର ଦ୍ୱାରସ୍ଥ ହୋଇଥିବା ବେଳେ ସରକାରୀ ଜମିରେ କିଏ ଲଗାଇଲା ଚେତାବନୀ ଫଳକ, ତାହାକୁ ନେଇ ଉଠିଛି ବଡ଼ ପ୍ରଶ୍ନ । ଏଭଳି ଏକ ଜମି ବିବାଦର ଘଟଣା ସାମ୍ନାକୁ ଆସିଛି ବଲାଙ୍ଗିର ଜିଲ୍ଲା ସଇଁତଳା ତହସିଲ ଅନ୍ତର୍ଗତ ରେଙ୍ଗାଲି ଗାଁରୁ । ସୂଚନା ଅନୁସାରେ, ଗାଁର ଚାଷୀ ସୁଦର୍ଶନ ପଟେଲ ଦୀର୍ଘଦିନ ଧରି ସରକାରୀ ଯୋଜନାର ସହାୟତାରେ ନିଜ ଚାଷ କାର୍ଯ୍ୟ ସହ କୁକୁଡ଼ା ଫାର୍ମ ମଧ୍ୟ ପରିଚାଳନା କରୁଥିଲେ । ତେବେ ଉକ୍ତ କୁକୁଡ଼ା ଫାର୍ମକୁ ଯିବା ପାଇଁ ଗାଁର ମନବୋଧ ନାଗଙ୍କ ପକ୍ଷରୁ ତହସିଲର ଅନୁମତି କ୍ରମେ ଏକ ରାସ୍ତା ନିର୍ମାଣ କରାଯାଇଥିବା କୁହାଯାଉଛି । କିନ୍ତୁ ଏହି ରାସ୍ତା ଯେଉଁ ଜମି ଉପରେ ନିର୍ମାଣ ହୋଇଛି, ସେହି ଜମିକୁ ନିଜର ବ୍ୟକ୍ତିଗତ ଜମି ବୋଲି ଦାବି କରି ଜଣେ ବ୍ୟକ୍ତି ରାସ୍ତାକୁ କୋଦାଳରେ ଖୋଳି ନଷ୍ଟ କରିଦେଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଚାଷୀ ସୁଦର୍ଶନ ପଟେଲ ସଇଁତଲା ତହସିଲଦାରଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ଏଥିସହ ତାଙ୍କୁ ମାଡ଼ପିଟ୍ କରିବା ସହ ଅଶାଳୀନ ଭାଷାରେ ଗାଳିଗୁଲଜ କରାଯାଇଥିବା ନେଇ ବଡ଼ମାଳ ଫାଣ୍ଡିରେ ମଧ୍ୟ ଅଭିଯୋଗ ହୋଇଛି । ଅଭିଯୋଗ ପରେ ବେଲଗାଁ ରାଜସ୍ୱ ନିରୀକ୍ଷକ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିବା ଜଣାପଡ଼ିଛି । ଅନ୍ୟପଟେ ମନବୋଧ ନାଗ ମଧ୍ୟ ବଡ଼ମାଳ ଫାଣ୍ଡିରେ ପାଲଟା ଅଭିଯୋଗ କରିଛନ୍ତି । ସବୁଠାରୁ ବଡ଼ କଥା ହେଉଛି, ଉକ୍ତ ସରକାରୀ ଜମିରେ ମନବୋଧ ନାଗଙ୍କ ପକ୍ଷରୁ ଏକ ହଳଦିଆ ରଙ୍ଗର ଫଳକ ଲଗାଯାଇ ଜମି ଭିତରକୁ ପ୍ରବେଶ ନକରିବା ପାଇଁ ଚେତାବନୀ ଦିଆଯାଇଛି । ତେବେ ପ୍ରଶ୍ନ ଉଠୁଛି, ଯଦି ଏହା ସରକାରୀ ଜମି, ତେବେ ସେହି ଜମିରେ ବ୍ୟକ୍ତିଗତ ଭାବେ କିଏ ଓ କେଉଁ ଅଧିକାରରେ ଏଭଳି ଫଳକ ଲଗାଇଲେ ? ଏହା ପଛରେ ରହିଛି କି କୌଣସି ବୈଧ ସରକାରୀ ଅନୁମତି ? ବର୍ତ୍ତମାନ ଘଟଣାକୁ ନେଇ ସଇଁତଲା ତହସିଲ ପ୍ରଶାସନ ଓ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି । ତେବେ ତଦନ୍ତ ପରେ ଜମିର ପ୍ରକୃତ ମାଲିକାନା ଏବଂ ରାସ୍ତାକୁ ନେଇଥିବା ବିବାଦର ସତ୍ୟାସତ୍ୟ ସାମ୍ନାକୁ ଆସିବ ।