
- ଅଗ୍ନିଶମ ବାହିନୀ ଓ ପୁଲିସ ଦ୍ୱାରା ଉଦ୍ଧାର
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ରାୟପୁର- ଗୋପାଳପୁର ୫୯ନମ୍ବର ଜାତୀୟ ରାଜପଥର ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗୁରୁଣ୍ଡା ଓ ଭୋଇପଡା ଗାଁ ମଝିରେ ବୁଧବାର ରାତିରେ ଏକ ଲୁହା ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଟ୍ରକର ଡ୍ରାଇଭର ଟ୍ରକର ଆଗ ପଟରେ ଚାପି ହୋଇ ଯାଇଥିଲେ । ବୁଧବାର ରାତି ୧୧ଟାରେ ମହାରାଷ୍ଟ୍ର ରାଜ୍ୟରୁ ଲୁହା ରଡ୍ ବୋଝେଇ ଟ୍ରକ୍ ଟିଟିଲାଗଡ ପଟକୁ ଯାଉଥିଲା । ଘଟଣାସ୍ଥଳରେ ଦୁର୍ଘଟଣା ଘଟି ଟ୍ରକ ଡ୍ରାଇଭର ଟ୍ରକ୍ ଭିତରେ ହିଁ ଚାପି ହୋଇ ରହି ମୃତ୍ୟୁ ସହ ସଂଗ୍ରାମ କରୁଥିଲେ । ରାତିରେ ଖବର ପାଇ ମୁରିବାହାଲ ଅଗ୍ନିଶମ ବାହିନୀ ଓଆଇସି ଶ୍ରୀକାନ୍ତ ସେଠଙ୍କ ନେତୃତ୍ୱରେ ସମସ୍ତ କର୍ମଚାରୀ ଓ ମୁରିବାହାଲ ଥାନା ଏସଆଇ ପରମାନନ୍ଦ ମାଝୀଙ୍କ ନେତୃତ୍ୱରେ ଥାନା ପୁଲିସ ପହଞ୍ଚି ଦୀର୍ଘ ସମୟ ପର୍ଯ୍ୟନ୍ତର କସରତ ପରେ ଡ୍ରାଇଭରଙ୍କୁ ସୁରକ୍ଷିତ ଭାବେ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । ତାଙ୍କୁ ତୁରନ୍ତ ଟିଟିଲାଗଡ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ହେଲପର ଜଣଙ୍କ ସୁରକ୍ଷିତ ଥିବା ଜଣାପଡ଼ିଛି । ଏହି ଜାତୀୟ ରାଜପଥରେ ଦୃତଗାମୀ ଭାରିଯାନଗୁଡ଼ିକର ବାରମ୍ବାର ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି । ଥାନା ପୁଲିସ ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି ।