
ଟିଟିଲାଗଡ଼, (ସନ୍ତୋଷ କୁମାର ନାୟକ) : ବଲାଙ୍ଗିର ଜିଲ୍ଲାରେ ଏଚ୍ଆଇଭି/ଏଡ୍ସ ନିୟନ୍ତ୍ରଣ ଓ ସଚେତନତା କାର୍ଯ୍ୟକ୍ରମକୁ ନେଇ ଉଠିଛି ଗୁରୁତର ପ୍ରଶ୍ନ । ଅତୀତରେ ଟିଟିଲାଗଡ଼ ଅଞ୍ଚଳରେ ଏଚ୍ଆଇଭି ସଂକ୍ରମଣ ହାରକୁ ନେଇ ଚିନ୍ତା ପ୍ରକାଶ ପାଇଥିଲା । ଏହା ପଛରେ ଦାଦନ ଶ୍ରମିକଙ୍କ ଯାତାୟାତ ଓ ଟିଟିଲାଗଡ଼ ରେଳ ଜଙ୍କସନର ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇ ମଧ୍ୟ ଆଲୋଚନା ହୋଇଆସିଛି । ଅନ୍ୟପଟେ, ଜିଲ୍ଲାରେ ଏଚ୍ଆଇଭି/ଏଡ୍ସ ସଚେତନତା ଓ ନିୟନ୍ତ୍ରଣ ପାଇଁ ଚାଲିଥିବା ‘ସାଇ ଟିଆଇ ପ୍ରକଳ୍ପ’ର କାର୍ଯ୍ୟପ୍ରଣାଳୀକୁ ନେଇ ଆସିଛି ଅଭିଯୋଗ । ସରକାରୀ ଅର୍ଥର ସଠିକ୍ ବ୍ୟବହାର ହେଉନଥିବା ଏବଂ କାଗଜପତ୍ରରେ ଅନିୟମିତତା ହେଉଥିବା ନେଇ କେତେକ ମହଲରେ ପ୍ରଶ୍ନ ଉଠିଛି । ତେବେ ଏହି ଅଭିଯୋଗର ସ୍ୱାଧୀନ ଯାଞ୍ଚ ଓ ସରକାରୀ ସ୍ପଷ୍ଟୀକରଣ ଆବଶ୍ୟକ । ସଚେତନତାର ଅଭାବ, ନିୟମିତ ଚିକିତ୍ସା ଓ ପରାମର୍ଶ ସେବାରେ ଅଭାବ ରହିଲେ ସଂକ୍ରମିତଙ୍କ ସମସ୍ୟା ଆହୁରି ଜଟିଳ ହୋଇପାରେ । ତେଣୁ ଏଚ୍ଆଇଭି ପ୍ରତିରୋଧ, ପରୀକ୍ଷା, ଚିକିତ୍ସା ଓ ସଚେତନତା କାର୍ଯ୍ୟକ୍ରମକୁ ଅଧିକ ସୁଦୃଢ଼ କରିବା ସହ ଅନିୟମିତତା ଅଭିଯୋଗର ତଦନ୍ତ ପାଇଁ ବିଭାଗୀୟ ପଦକ୍ଷେପ ନେବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।

