jayashree

ଚାଷ ଜମିକୁ ନେଇ ଭାଇ ଭାଇ ମଧ୍ୟରେ ବିବାଦ : ଭାଉଜ ଗୁରୁତର, ଦିଅର ପରିବାର ବିରୋଧରେ ଅଭିଯୋଗ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହ ପୁର ବ୍ଲକ ଧାମୁଣି ପଙ୍ଗା ପଞ୍ଚାୟତ ଅନ୍ତର୍ଗତ କତାଗୁଡ଼ା ଗ୍ରାମରେ ଚାଷ ଜମିକୁ କେନ୍ଦ୍ର କରି ଏକ ପରିବାର ମଧ୍ୟରେ ହିଂସାତ୍ମକ ଘଟଣା ଘଟିଛି । ଏହି ଘଟଣାରେ ଜଣେ ମହିଳା ଗୁରୁତର ଆହତ ହୋଇଥିବାବେଳେ ଦିଅର ଓ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ମାଡ଼ ମାରିବା ଓ ଜୀବନରେ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ପୂର୍ଣ୍ଣ ପାଲାକା ନିଜ ଚାଷ ଜମିରେ କାମ କରୁଥିବା ସମୟରେ ତାଙ୍କ ଦିଅର ପତି ପାଲାକା, ତାଙ୍କ ସ୍ତ୍ରୀ ଦେବନ୍ତି ପାଲାକା ଏବଂ ପୁଅ ଦୁର୍ଗା ପ୍ରସାଦ ପାଲାକା ସେଠାରେ ପହଞ୍ଚି ଜମିକୁ ନେଇ ବଚସା କରିଥିଲେ । ସେମାନେ ଉକ୍ତ ଜମି ନିଜର ବୋଲି ଦାବି କରିବା ସହ ପୂର୍ଣ୍ଣ ପାଲାକାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ତାଙ୍କୁ ମାଡ଼ମାରି ଚାଷ ଜମିରେ ଫିଙ୍ଗି ଦେଇଥିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ପରିବାର ପକ୍ଷରୁ କୁହାଯାଇଛି । ଘଟଣା ପରେ ଆହତ ମହିଳାଙ୍କୁ ଚିକିତ୍ସା ପାଇଁ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତୁରନ୍ତ ସେବା ମିଳିନଥିଲା । ପରେ ଅଗ୍ନିଶମ ବିଭାଗ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ବିଳମ୍ବ ହେବାରୁ ସ୍ଥାନୀୟ ପୋଲିସକୁ ଖବର ଦିଆଯାଇଥିଲା । ଥାନା ଆଇଆଇସିଙ୍କ ନିର୍ଦ୍ଦେଶକ୍ରମେ ଏଏସ୍‌ଆଇ ସଞ୍ଜୟ ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚି ଆହତ ମହିଳାଙ୍କୁ ପୋଲିସ ଗାଡ଼ିରେ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଭର୍ତ୍ତି କରିଥିଲେ । ଏନେଇ ପୀଡ଼ିତାଙ୍କ ପରିବାର ପକ୍ଷରୁ କଲ୍ୟାଣସିଂହପୁର ଥାନାରେ ଲିଖିତ ଅଭିଯୋଗ ଦାଖଲ କରାଯାଇଥିବା ଜଣାପଡ଼ିଛି । ପୋଲିସ ଅଭିଯୋଗକୁ ଆଧାର କରି ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ ପ୍ରକୃତ ସତ୍ୟ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.