
ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ସହରର ହରିଓମ ସୋସାଇଟିର ବାସିନ୍ଦାମାନେ ଅର୍ଜୁନ ରିଏଲଟରର ମାଲିକ ଚପାତି ମଲ୍ଲିକାର୍ଜୁନ ରାଓଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସୋସାଇଟି ପକ୍ଷରୁ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଓ ଏସ୍ଡିପିଓଙ୍କୁ ଲିଖିତ ଦାବିପତ୍ର ଦେଇ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରାଯାଇଛି । ସୋସାଇଟି ବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ, ଜମି ଓ ଫ୍ଲାଟ ବିକ୍ରି ସମୟରେ ବିଲଡର ବିଭିନ୍ନ ସୁବିଧାର ପ୍ରତିଶ୍ରୁତି ଦେଇଥିଲେ । ରାସ୍ତା ଓ ଡ୍ରେନ ନିର୍ମାଣ ପାଇଁ ପ୍ରତ୍ୟେକ ଘର ମାଲିକଙ୍କଠାରୁ ପ୍ରାୟ ଏକ ଲକ୍ଷ ଟଙ୍କା ଆଦାୟ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେହି କାମ ସମ୍ପୂର୍ଣ୍ଣ ହୋଇନାହିଁ । ଅଭିଯୋଗରେ ଆହୁରି କୁହାଯାଇଛି ଯେ, ବିନା ଅନୁମତିରେ ଫ୍ଲାଟ ଉପରେ ପଞ୍ଚମ ମହଲା ନିର୍ମାଣ କରାଯାଇଥିବା ସହ ଏହାକୁ ପରବର୍ତ୍ତୀ ସମୟରେ ଭଡ଼ାରେ ଦିଆଯାଇଛି । ବର୍ତ୍ତମାନ ମାଲିକ ଭୁବନେଶ୍ୱରରେ ରହୁଥିବା ବେଳେ ତାଙ୍କ ଭାଇ ଚନ୍ଦ୍ରଶେଖର ରାଓ ସୋସାଇଟିର ବ୍ୟବସ୍ଥାପନା କରୁଥିବା ଓ ବାସିନ୍ଦାଙ୍କୁ ବିଭିନ୍ନ ସମୟରେ ହଇରାଣ କରୁଥିବା ଅଭିଯୋଗ ହୋଇଛି । ଏହି ବିବାଦକୁ ନେଇ ସୋସାଇଟି ପକ୍ଷରୁ ଓରେରାରେ ମାମଲା ରୁଜୁ କରାଯାଇଥିଲା । ସେହିପରି ବରଗଡ଼ ସିଭିଲ କୋର୍ଟ ମଧ୍ୟ ସମ୍ପୃକ୍ତ ରାସ୍ତା ବ୍ୟବହାର ଉପରେ ରହିତାଦେଶ ଜାରି କରିଥିବା ସୋସାଇଟି ପକ୍ଷ ଦାବି କରିଛି । ବାସିନ୍ଦାଙ୍କ କହିବା ଅନୁଯାୟୀ, ତପୋବନ ନାମରେ ଚାଲୁଥିବା ଏକ ସଂସ୍ଥାକୁ ସ୍କିଲ୍ ଟ୍ରେନିଂ ସେଣ୍ଟର ଭାବେ ଭଡ଼ାରେ ଦିଆଯାଇଥିବାରୁ ପ୍ରତିଦିନ ଶହଶହ ଗାଡ଼ିର ଯାତାୟାତ ହେଉଛି । ଏହା ସହ ଅପରିଚିତ ଲୋକଙ୍କ ଆସାଯାଆ ବଢ଼ିଥିବାରୁ ସୋସାଇଟିର ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି । ବହୁବାର ପୋଲିସ ଓ ପ୍ରଶାସନଙ୍କୁ ଜଣାଇବା ସତ୍ତ୍ୱେ ସମସ୍ୟାର ସମାଧାନ ନ ହେବାରୁ, ସୋସାଇଟିର ପ୍ରତିନିଧିମାନେ ଏଡିଏମ୍ ମଧୁଛନ୍ଦା ସାହୁ, ଆରକ୍ଷୀ ଅଧୀକ୍ଷକ ରବୀନ୍ଦ୍ର ଶତପଥୀ ଓ ଏସ୍ଡିପିଓ ପଦାରବିନ୍ଦ ତ୍ରିପାଠୀଙ୍କୁ ଭେଟି କୋର୍ଟ ଆଦେଶର ନକଲ ସହ ଦାବିପତ୍ର ପ୍ରଦାନ କରି ଶୀଘ୍ର ପ୍ରଶାସନିକ ହସ୍ତକ୍ଷେପ ଦାବି କରିଛନ୍ତି ।