
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ସହରର ବ୍ରହ୍ମପୁରା ଅଞ୍ଚଳରେ ଜଣେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ମୃତକ ଯଶୋବନ୍ତି ଚାନ୍ଦଙ୍କ ପରିବାର ପକ୍ଷରୁ ଏହାକୁ ପରିକଳ୍ପିତ ହତ୍ୟା ବୋଲି ଅଭିଯୋଗ କରାଯାଇ ସ୍ୱାମୀ, ଶାଶୁ ଓ ନଣନ୍ଦଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣାଯାଇଛି । ଘଟଣାକୁ ଗୁରୁତ୍ୱର ସହ ନେଇ ପାଟଣାଗଡ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ସ୍ୱାମୀ ଓଁକାର ଠାକୁର ଏବଂ ନଣନ୍ଦଙ୍କୁ ଅଟକ ରଖି ପଚରାଉଚରା କରୁଛି । ସୂଚନା ଅନୁସାରେ, ପାଟଣାଗଡ ବ୍ରହ୍ମପୁରାର ବାସିନ୍ଦା ଓଁକାର ଠାକୁର ୨୦୨୩ ମସିହାରେ ଖପ୍ରାଖୋଲ ଥାନା ଅନ୍ତର୍ଗତ ମହରାପଦର ଗାଁର ଅକ୍ରୁର ଚାନ୍ଦଙ୍କ ଝିଅ ଯଶୋବନ୍ତି ଚାନ୍ଦଙ୍କୁ ବିବାହ କରିଥିଲେ । ଦମ୍ପତିଙ୍କର ଜଣେ ୩ ବର୍ଷର କନ୍ୟା ସନ୍ତାନ ରହିଛି । ମୃତକଙ୍କ ବାପା ଅକ୍ରୁର ଚାନ୍ଦଙ୍କ ଅଭିଯୋଗ ଅନୁଯାୟୀ, ବିବାହ ପରଠାରୁ ଯଶୋବନ୍ତିଙ୍କୁ ସ୍ୱାମୀ, ଶାଶୁ ଓ ନଣନ୍ଦ ମିଶି ବାରମ୍ବାର ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଉଥିଲେ । ଅଧିକ ଟଙ୍କା ଆଣିବାକୁ ଚାପ ପକାଇବା ସହ ମାର୍ପିଟ କରୁଥିବା ଅଭିଯୋଗ ମଧ୍ୟ ସେ କରିଛନ୍ତି । ପରିବାର ଲୋକଙ୍କ କହିବା ଅନୁଯାୟୀ, ବାହୁଡ଼ାଯାତ୍ରା ଦିନ ଯଶୋବନ୍ତି ନିଜ ମା’ଙ୍କୁ ଫୋନ କରି ତାଙ୍କୁ ମାରପିଟ କରାଯାଉଥିବା ଓ ଅସହ୍ୟ ନିର୍ଯ୍ୟଶତନା ଦିଆଯାଉଥିବା କଥା ଜଣାଇଥିଲେ । କିଛି ସମୟ ପରେ ସ୍ୱାମୀ ଓଁକାର ଠାକୁର ଫୋନ କରି ଯଶୋବନ୍ତିଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଥିବା ଅଭିଯୋଗ ରହିଛି । ଯଶୋବନ୍ତି ଫାଶରେ ଝୁଲିଥିବା ଅବସ୍ଥାରେ ମିଳିଥିବା ବେଳେ, ପରିବାର ପକ୍ଷରୁ ଏହାକୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ କରାଯାଇଥିବା ଗୁରୁତର ଅଭିଯୋଗ କରାଯାଇଛି । ପାଟଣାଗଡ ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ, ମୃତ୍ୟୁର ପ୍ରକୃତ କାରଣ ପୋଷ୍ଟମର୍ଟମ ରିପୋର୍ଟ ଏବଂ ବୈଜ୍ଞାନିକ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି କହିଛି । ଘଟଣାର ସମସ୍ତ ଦିଗକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି ।