mahavir

ବିଦ୍ୟୁତ୍ ଆଘାତରେ ପୁଣି ଏକ ଦନ୍ତା ହାତୀର ଶୋଚନୀୟ ମୃତ୍ୟୁ ଅଭିଯୋଗ

  • ଚାନୁଟମାଲ କାଜୁ ବଗିଚାରୁ ମୃତଦେହ ଉଦ୍ଧାର
  • ୩ ମାସ ମଧ୍ୟରେ ରେଞ୍ଜରେ ଦ୍ୱିତୀୟ ହାତୀ ମୃତ୍ୟୁ ଘଟଣା
  • ବନବିଭାଗର ମୃତଦେହ ବ୍ୟବଚ୍ଛେଦ ପରେ ତନାଘନା ତଦନ୍ତ ଜାରି

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜ ଗୁଡିଘାଟ ସେକ୍ସନ ଚାନୁଟମାଲ ଗ୍ରାମର ଚାଷୀ ସଞ୍ଜୀବ ପୁଟେଲଙ୍କ କାଜୁ ବଗିଚାରୁ ପୁଣି ଏକ ଦନ୍ତା ହାତୀର ମୃତଦେହ ବନବିଭାଗ ପକ୍ଷରୁ ଉଦ୍ଧାର କରାଯାଇଛି । କାଜୁ ବଗିଚା ଭିତରେ ଯାଇଥିବା ଜୀବନ୍ତ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଆଠ ବର୍ଷର ଏହି ଦନ୍ତା ହାତୀର ଶୋଚନୀୟ ମୃତ୍ୟୁ ଘଟିଥିବା ବନ ବିଭାଗର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଗତ ୩ମାସ ମଧ୍ୟରେ ରେଞ୍ଜରେ ଏହା ଦ୍ୱିତୀୟ ହାତୀମୃତ୍ୟୁ ଘଟଣା ଅଟେ । ଗତ ଜାନୁୟାରୀ ୨୭ ତାରିଖ ଦିନ ଏହି ରେଞ୍ଜ ଜଇଁତରା ସେକ୍ସନ ଜାମଲିଶର ଗ୍ରାମର ପାହାଡ ତଳୁ ଏକ ଗୁରୁତର ଅସୁସ୍ଥ ମାଇହାତୀ(୨୦ବର୍ଷ)ର ମୃତଦେହ ଉଦ୍ଧାର କରାଯାଇଥିଲା । ସୂଚନା ଅନୁସାରେ ଚାନୁଟମାଲ ଗ୍ରାମର କାଜୁ ଚାଷୀ ସଞ୍ଜୀବ ପୁଟେଲ ଗୁରୁବାର ସକାଳୁ ନିଜ କାଜୁ ବଗିଚାକୁ ଯାଇଥିବା ବେଳେ ହାତୀପଲ ବହୁ କ୍ଷୟକ୍ଷତି କରିଥିବା ଦେଖିବାକୁ ପାଇଥିଲେ । କାଜୁ ବଗିଚା ଭିତରେ ଦୂରରୁ ଏକ ହାତୀ ଶୋଇଥିବା ପ୍ରଥମେ ସେ ଦେଖି ଡରିଯାଇ ଗାଁକୁ ଯାଇ ସୂଚନା ଦେଇଥିଲେ । ପରେ ସ୍ଥାନୀୟ ଗୁଡିଘାଟ ଫରେଷ୍ଟର ଜୟକୃଷ୍ଣ ଭୋଇଙ୍କୁ ଏକ ହାତୀ କାଜୁ ବଗିଚାରେ ଶୋଇଥିବା ଜଣାଇଥିଲେ । ଫରେଷ୍ଟର ଶ୍ରୀ ଭୋଇଙ୍କ ସହ ବନବିଭାଗ କର୍ମଚାରୀ ଘଟଣା ସ୍ଥଳ ପାଖକୁ ପହଞ୍ଚି ଏକ ଦନ୍ତାହାତୀ ମରିପଡ଼ିଥିବା ଦେଖିବାକୁ ପାଇ ମୃତଦେହ ଜବତ କରିଥିଲେ । କାଜୁ ବଗିଚା ଭିତରେ ଜୀବନ୍ତ ବିଦ୍ୟୁତ୍ ତାର ଯାଇଥିବା ବେଳେ ତାହା ତଳେ ପଡ଼ିଥିବାରୁ ହାତୀର ଶୁଣ୍ଢ ଓ ଗୋଡ଼ରେ ମଧ୍ୟ ବିଦ୍ୟୁତ୍ ଆଘାତ ଜନିତ ଚିହ୍ନ ରହିଥିବା ଦେଖିବାକୁ ମିଳିଛି । ଏହି ମୃତ ଦନ୍ତା ହାତୀ ସହ କାଜୁ ବଗିଚାକୁ ମୋଟ ୩ଟି ହାତୀ ପଶିଥିବା ବେଳେ ଅନ୍ୟ ୨ଟି ହାତୀ ଘଟଣା ସ୍ଥଳରୁ ଚାଲିଯାଇଥିବା ଜଣାପଡ଼ିଛି । ଦୀର୍ଘ ୨ବର୍ଷ ଧରି ୭୦ରୁ ଅଧିକ ବଣୁଆ ହାତୀପଲ ରେଞ୍ଜ ଅଞ୍ଚଳରେ ଆତଙ୍କ ସୃଷ୍ଟି କରୁଥିବା ବେଳେ ଏବେବି ରେଞ୍ଜ ଅଞ୍ଚଳରେ ୨୪ଟି ହାତୀ ରହିଥିବା ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ସମୟରେ ଦୁଇଜଣ ବ୍ୟକ୍ତିଙ୍କ ଅକାଳରେ ଜୀବନ ଦୀପ ଲିଭି ଯାଇଥିବା ବେଳେ ବହୁ ଘରଦ୍ୱାର ଭଙ୍ଗାରୁଜା, ଚାଷବାସ ନଷ୍ଟ ସହ ଲୋକଙ୍କ ବହୁ କ୍ଷୟକ୍ଷତି ହୋଇସାରିଥିଲେ ବି ହାତୀପଲ ରେଞ୍ଜ ଅଞ୍ଚଳ ଛାଡ଼ି ଅନ୍ୟ କେଉଁଆଡେ ଯାଉନାହାନ୍ତି । ଖବର ପାଇ ଭାରପ୍ରାପ୍ତ ରେଞ୍ଜର ପଦ୍ମନାଭ କୁମ୍ଭାର, ସମସ୍ତ ଫରେଷ୍ଟରଙ୍କ ସହ ବନବିଭାଗର ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ମୁରିବାହାଲ ଓ ଖଡ଼ିଆଳର ପଶୁ ଚିକିତ୍ସା ଦଳ ପହଞ୍ଚି ଘଟଣା ସ୍ଥଳରେ ହିଁ ହାତୀର ମୃତଦେହକୁ ବ୍ୟବଚ୍ଛେଦ କରିଥିଲେ । ମୃତଦେହ ବ୍ୟବଚ୍ଛେଦ ପରେ ଅବଶେଷକୁ ଅଧିକ ତଦନ୍ତ ପାଇଁ ଭୁବେନେଶ୍ୱର ଫେରେନସିକ୍ ଲେବୋଟୋରୀକୁ ପଠାଯିବ ବୋଲି ଜଣାପଡ଼ିଛି । ଏ ସମ୍ପର୍କରେ ବଲାଙ୍ଗିର ଡିଏଫଓ ଅଜିତ୍ କୁମାର ବିଶି ମୃତଦେହ ବ୍ୟବଚ୍ଛେଦ ହୋଇସାରିଛି, ବିଦ୍ୟୁତ୍ ତାର ଛିଣ୍ଡି ତଳେ ପଡ଼ିଥିବାରୁ ଏହା ସଂସ୍ପର୍ଶରେ ଆସି ଦନ୍ତା ହାତୀର ମୃତ୍ୟୁ ଘଟଣାର ଅଧିକ ତଦନ୍ତ ଜାରି ରହିଛି ବୋଲି ସେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.