mahavir

ଆନ୍ତର୍ଜାତୀୟ ଗୋଲ ସଟ ବଲ୍‌ରେ କୁଡାସିଂହାର ଭାଇ-ଭଉଣୀଙ୍କ ସ୍ୱର୍ଣ୍ଣପଦକ ଲାଭ : ଶୁଭେଚ୍ଛା ଜଣାଇଲେ ସାଂସଦ ପ୍ରଦୀପ ପୁରୋହିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦକ୍ଷିଣ ଏସିଆ ଆନ୍ତର୍ଜାତୀୟ ଗୋଲ ସଟ ବଲ୍ ଚାମ୍ପିୟନସିପ ଶ୍ରୀଲଙ୍କାର କଲମ୍ବୋରେ ଅନୁଷ୍ଠିତ ହୋଇ ଥିବାବେଳେ, ଏହି ପ୍ରତିଷ୍ଠିତ ମଞ୍ଚରେ ଭାରତୀୟ ଦଳ ପକ୍ଷରୁ ଖେଳି ବରଗଡ଼ ଜିଲ୍ଲାର ଦୁଇ ଯୁବପ୍ରତିଭା ରାଜ ମେହେର ଓ ପରୀ ମେହେର ସ୍ୱର୍ଣ୍ଣପଦକ ଜିତି ଜିଲ୍ଲା ଓ ରାଜ୍ୟ ପାଇଁ ଗର୍ବର କାରଣ ହୋଇଛନ୍ତି । ପଦ୍ମପୁର ବ୍ଲକ ଅନ୍ତର୍ଗତ କୁଡାସିଂହା ଗ୍ରାମର ଏହି ଭାଇ–ଭଉଣୀ ୧୭ ବର୍ଷରୁ କମ ବାଳକ ଓ ବାଳିକା ବିଭାଗରେ ଭାରତୀୟ ଦଳରେ ଚୟନିତ ହୋଇଥିଲେ । ସଠିକ୍ ପ୍ରଶିକ୍ଷଣ, ଦୃଢ଼ ଇଚ୍ଛାଶକ୍ତି ଓ ଅନବରତ ପରିଶ୍ରମର ଫଳରେ ସେମାନେ ଦଳକୁ ଚାମ୍ପିୟନ କରି ସ୍ୱର୍ଣ୍ଣ ପଦକ ଅର୍ଜନ କରିପାରିଛନ୍ତି । ରାଜ ଓ ପରୀ, କୁଡାସିଂହା ଗ୍ରାମର ସୁରେନ୍ଦ୍ର ମେହେରଙ୍କ ସନ୍ତାନ । ସେମାନଙ୍କ ସଫଳତାରେ ସମଗ୍ର ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଗ୍ରାମକୁ ଫେରିବା ସମୟରେ ଶତାଧିକ ଗ୍ରାମବାସୀ ଉତ୍ସାହର ସହିତ ସ୍ୱାଗତ କରିଥିଲେ । ଫୁଲମାଳ, ଚନ୍ଦନ ତିଳକ ଓ ପାଦ ପ୍ରକ୍ଷାଳନ ମାଧ୍ୟମରେ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଦୁଇ ଖେଳାଳିଙ୍କୁ ନିଜ ପାଇକମାଲ ବାସଭବନ ସ୍ଥିତ କାର୍ଯ୍ୟାଳୟରେ ଆମନ୍ତ୍ରଣ କରି ଅଭିନନ୍ଦନ ଜଣାଇଥିଲେ । ସେମାନଙ୍କ ଏହି ସଫଳତାକୁ ସେ ଜିଲ୍ଲା ପାଇଁ ଗୌରବମୟ ମୁହୂର୍ତ୍ତ ବୋଲି ବର୍ଣ୍ଣନା କରି, ଭବିଷ୍ୟତରେ ଆହୁରି ବଡ଼ ମଞ୍ଚରେ ଦେଶର ନାମ ଉଜ୍ଜ୍ୱଳ କରିବେ ବୋଲି ଆଶା ପ୍ରକାଶ କରିଥିଲେ । ସ୍ଥାନୀୟ ଅଞ୍ଚଳରେ ଏହି ସଫଳତାକୁ ଏକ ଐତିହାସିକ ସଫଳତା ଭାବେ ଦେଖାଯାଉଥିବା ବେଳେ, ଦୁଇ ଯୁବପ୍ରତିଭାଙ୍କ ଆଗାମୀ ଯାତ୍ରା ପ୍ରତି ସମସ୍ତଙ୍କ ଆଶା ଓ ଆକାଂକ୍ଷା ବଢ଼ିଛି ।

Leave A Reply

Your email address will not be published.