ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଲିଖିତ ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଛୋଟ ପିଲା କିମ୍ବା ଗର୍ଭବତୀ ମା’ମାନେ ପୁଷ୍ଟି ହୀନତାର ଶିକାର ନ ହେବା ପାଇଁ ସରକାର ବିନା ମୂଲ୍ୟରେ ଛତୁଆ ବଣ୍ଟନ କରୁଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠୀମାନେ ସ୍ବାବଲମ୍ବୀ ହୋଇପାରିବେ ବୋଲି ସରକାର ଛତୁଆ ତିଆରି ତଥା ବଣ୍ଟନ ପାଇଁ ଦାୟିତ୍ୱ ଦେଇଛନ୍ତି । ସେହି ସ୍ୱୟଂ ସହାୟିକା ଗୋଷ୍ଠୀ ଚୟନ ପାଇଁ ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ସି.ଡି.ପି.ଓ. କାର୍ୟ୍ୟାଳୟ ତରଫରୁ ଗତ ତା ୨୮.୦୨.୨୦୨୦ରେ ନୋଟିସ ପ୍ରକାଶ ପାଇ ପାଇକମାଲ ବ୍ଲକର ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀମାନଙ୍କୁ ସାଧା କାଗଜରେ ଆବେଦନ କରିବାକୁ ନିମନ୍ତ୍ରଣ କରାଯାଇଥିଲା ଏବଂ ଆବେଦନର ଅନ୍ତିମ ତାରିଖ ୧୫.୦୩. ୨୦୨୦ ବୋଲି ଉଲ୍ଲେଖ କରାଯାଇଥିଲା । ଏହି ଚୟନ ପ୍ରକ୍ରିୟାରେ ଅଠର ଗୋଟି ସ୍ୱୟଂ ସହାୟିକା ଗୋଷ୍ଠୀ ସାମିଲ ହୋଇଥିଲେ । ଏହି ଛତୁଆ ତିଆରି ତଥା ବଣ୍ଟନ ପାଇଁ ଅନୁମତି ପାଇବା ପାଇଁ ଗୋଟିଏ ସ୍ୱୟଂ ସହାୟିକା ଗୋଷ୍ଠୀ ପାଖରେ ନିଜସ୍ବ ଛତୁଆ ତିଆରି ଘର, ଗୋଦାମ ଘର ତଥା ଛତୁଆ ପ୍ରସ୍ତୁତ ପାଇଁ ଭଜା ଓ ପେସା ମେସିନ ରହିଥିବା ଦରକାର । ଜୟ ମାଁ ଦୁର୍ଗା ସ୍ୱୟଂ ସହାୟିକା ଗୋଷ୍ଠୀ ପାଇକମାଲ ଏବଂ ମାଁ ସମଲେଶ୍ବରୀ ସ୍ୱୟଂ ସହାୟିକା ଗୋଷ୍ଠୀ ଗୋଇବାହାଲି ଛତୁଆ ତିଆରି ପାଇଁ ଚୟନ ହୋଇଥିବା ସୂଚନା ଅଧିକାର ଆଇନ ଦ୍ବାରା ଅନ୍ୟାନ୍ୟ ସ୍ୱୟଂ ସହାୟିକା ଗୋଷ୍ଠୀ ଜାଣି ପାରିଥିଲେ । ଏହି ଚୟନ ପ୍ରକ୍ରିୟା ସାତ ଜଣ ଅଧିକାରୀଙ୍କୁ ନେଇ ଗଠିତ, ଯେଉଁଠି ପାଇକମାଲ ବିଡ଼ିଓ ଚେୟାରମ୍ୟାନ, ପାଇକମାଲ ସିଡିପିଏ ଏହି କମିଟିର କନଭେନର ସଦସ୍ୟ ଏବଂ ପାଇକମାଲ ତହସିଲଦାର, ପାଇକମାଲ ସିଏଚସିର ମେଡିକାଲ ଅଫିସର, ବିଏସଏସଓ ପାଇକମାଲ, ଡବ୍ଲୁଇଓ ପାଇକମାଲ ଓ ଏମଆଇ ପାଇକମାଲ ସଦସ୍ୟ ଅଟନ୍ତି । ଅନ୍ୟାନ୍ୟ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଅଭିଯୋଗ ଅନୁସାରେ ଛତୁଆ ତିଆରି ପାଇଁ ଚୟନ ହୋଇଥିବା ସ୍ୱୟଂ ସହାୟିକା ଗୋଷ୍ଠୀ ଯେଉଁ ବିଲ ଦେଇଛନ୍ତି ସେହି ବିଲ ଗୁଡିକ ମିଥ୍ୟା ବିଲ ଏବଂ ସରକାରୀ ବାବୁଙ୍କ ସହ ସଲାସୁତରା କରି ଏହି ସ୍ୱୟଂ ସହାୟକ ଗୋଷ୍ଠୀ ଜାଲିଆତି କରି ଛତୁଆ ତିଆରି ହାତେଇଥିବା ଅଭିଯୋଗ କରିଛନ୍ତି । ଏହି ସବୁ ବିଷୟରେ ଲିଖିତ ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପାଇକମାଲ ବିଡ଼ିଓ ଜରିଆରେ ଅନ୍ୟାନ୍ୟ ସ୍ୱୟଂ ସହାୟିକା ଗୋଷ୍ଠୀମାନେ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ଏହି ଦୁର୍ନୀତିର ପୁଂଖାନୁପୁଂଖ ତଦନ୍ତ କରି ଦୋଷୀ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ କରିଛନ୍ତି । ନଚେତ ସିଡିପିଓଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ତାଙ୍କ ଦାବୀପତ୍ରରେ ଉଲ୍ଲେଖ କରିଛନ୍ତି ।

Leave A Reply

Your email address will not be published.