ବାରିପଦା : ଦୁଇ ଦିନ ଧରି ବାରିପଦା ଶହୀଦ ସ୍ମୃତି ଭବନଠାରେ ମୟୂରଭଞ୍ଜ କଲ୍ଚରାଲ୍ ଡେଭେ୍ଲପ୍ମେଣ୍ଟ ଫାଉଣ୍ଡେସନ୍ ତରଫରୁ ଅନୁଷ୍ଠିତ ତୃତୀୟ ଶିଶୁକଳା ମହୋତ୍ସବର ଉଦ୍ଯାପନୀ ଉତ୍ସବରେ ମହାରାଣୀ ରଶ୍ମି ରାଜଲକ୍ଷ୍ମୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ଏଭଳି ମହୋତ୍ସବ ଆୟୋଜନର ଗୁରୁତ୍ୱ ରହିଛି । କାରଣ ନିରନ୍ତର ଭାବେ ଏ ଭଳି ପ୍ରତିଭା ଉନ୍ମେଷ ନିମନ୍ତେ ପରିବେଶ ସୃଷ୍ଟି କରିବା ଫଳରେ ସାଂସ୍କୃତିକ ସଂଗଠନ ଓ କଳା ପ୍ରତିଭା ମଧ୍ୟରେ ଅଧିକ ଉତ୍ସାହ ସୃଷ୍ଟି ହେବା ସହ ନୂତନ କଳା ପ୍ରତିଭା ସୃଷ୍ଟି ହୋଇପାରିବେ । ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ବାରିପଦା ପୌରପରିଷଦର ଉପାଧ୍ୟକ୍ଷା ସୀମା ଦାସ ଯୋଗ ଦେଇ ସଂଗଠନ ତଥା ପ୍ରତିଭାମାନଙ୍କର ଭବିଷ୍ୟତ ଉଜ୍ଜଳ ହେବାର ଆଶା ପୋଷଣ କରିଥିଲେ । ପ୍ରତିଯୋଗିତାର ଦ୍ୱିତୀୟ ଦିନରେ ସାଧାରଣଜ୍ଞାନ ବା କୁଇଜ୍ ପ୍ରତିଯୋଗିତାର ଶେଷ ସୋପାନ ଅନୁଷ୍ଠିତ ହେବା ସହ ସଂଗୀତ, ଏକକ ଅଭିନୟ, କୌତୁକ ପୋଷାକ ଓ କାଗଜ କଳା କୃତି ପ୍ରତିଯୋଗିତାରେ ୬୬୫ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ସଂଗୀତ ଗୁରୁ ଶାନ୍ତନୁ ସିଂହ ଗୀତ ପ୍ରତିଯୋଗିତାର ଚୟନକର୍ତ୍ତା ଥିଲେ ଓ ଗୁରୁ ରାଜେଶ ଦାସ ଏକକ ଅଭିନୟ ଓ କୌତୁକ ପୋଷାକ ପ୍ରତିଯୋଗିତାର ଚୟନକର୍ତ୍ତା ଥିଲେ । ଗତକାଲି ଓ ଆଜିର ପ୍ରତିଯୋଗିତାରେ ସମୁଦାୟ ୧୩୫୧ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ଏହା ଜିଲ୍ଲାର ଯେ କୌଣସି ଏଭଳି ପ୍ରତିଯୋଗିତା ଅନୁଷ୍ଠାନରେ ରେକର୍ଡ ଭଙ୍ଗ କରିଛି । ଏହି ପ୍ରତିଯୋଗିତାରେ ଆଖିଦୃଶିଆ ଆଦିବାସୀ ପ୍ରତିଭାଧାରୀ ଅଂଶ ଗ୍ରହଣ କରିଥିଲେ । ଡିସେମ୍ବର ୨ ତାରିଖ ମୟୂରଭଞ୍ଜ କଲ୍ଚରାଲ୍ ଡେଭେ୍ଲପ୍ମେଣ୍ଟ ଫାଉଣ୍ଡେସନ୍ର ପ୍ରତିଷ୍ଠାତା ଆର୍ନ୍ତଜାତୀୟ ଖ୍ୟାତି ସମ୍ପନ୍ନ ପଦ୍ମଭୂଷଣ ଜତୀନ ଦାସଙ୍କ ଜନ୍ମ ଦିବସ ଉପଲକ୍ଷେ ଏହି ଶିଶୁ କଳା ମହୋତ୍ସବ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦକ ଆଇନଜୀବୀ ବିଭୂ ପ୍ରସାଦ ଦାସ, ସହସମ୍ପାଦକ ପଦ୍ମଲୋଚନ ଗିରି, ଆଶିଷ ଚୌଧୁରୀ, ନିବେଦିତା ମହାନ୍ତ, ସୁଶ୍ରୀ ମହାନ୍ତି, ପ୍ରଣତି ପଟ୍ଟନାୟକ, ଶୁଭସ୍ମିତା ହୋତା, ରଞ୍ଜନ ମହାନ୍ତି, ବିଶ୍ୱଜିତ ରାଉତ, ସ୍ୱରୂପ ନାୟକ, ତଥାଗତ ଉପାଧ୍ୟାୟ, ଡ. ତରୁଣ ଓଝା ପ୍ରମୁଖ ଯୋଗ ଦେଇଥିବା ବେଳେ ସାମ୍ବାଦିକ ସଞ୍ଜୟ ଚୌଧୁରୀ ମଞ୍ଚ ପରିଚାଳନା କରିଥିଲେ ।