ନୂଆଦିଲ୍ଲୀ : କୋଭିଡ -୧୯ ମହାମାରୀ ମଡେଲିଂ ସହ ଜଡିତ ଏକ ସରକାରୀ କମିଟିର ବୈଜ୍ଞାନିକ କହିଛନ୍ତି ଯେ, ଯଦି କୋଭିଡ ପ୍ରୋଟୋକଲ ଯଥା କରୋନା ନିର୍ଦ୍ଦେଶାବଳୀ ଠିକ୍ ଭାବରେ ପାଳନ କରାନଯାଏ, ତେବେ କରୋନା ଭାଇରସ୍ର ତୃତୀୟ ତରଙ୍ଗ ଅକ୍ଟୋବର-ନଭେମ୍ବର ମଧ୍ୟରେ ଏହାର ଶିଖରରେ ପହଂଚିପାରେ । ଅବଶ୍ୟ ଏହି ସମୟ ମଧ୍ୟରେ ଦ୍ୱିତୀୟ ତରଙ୍ଗରେ ରିପୋର୍ଟ ହୋଇଥିବା ଦୈନିକ ସଂକ୍ରମଣର ଅଧା ଦେଖିବାକୁ ମିଳିପାରେ ।
‘ଫର୍ମୁଲା ମଡେଲ’ କିମ୍ବା କୋଭିଡ -୧୯ର ଗାଣିତିକ ଆକଳନ ଉପରେ କାର୍ଯ୍ୟ କରୁଥିବା ମଣିନ୍ଦ୍ର ଅଗ୍ରୱାଲ କହିଛନ୍ତି ଯେ, ଯଦି ଭୂତାଣୁର ଏକ ନୂତନ ଷ୍ଟ୍ରେନ୍ ଜନ୍ମ ନିଏ, ତେବେ ଏପରି ପରିସ୍ଥିତିରେ ତୃତୀୟ ତରଙ୍ଗ ଅଧିକ ଦ୍ରୁତ ଗତିରେ ବ୍ୟାପିପାରେ । ଗାଣିତିକ ମଡେଲ ବ୍ୟବହାର କରି କରୋନା ଭୂତାଣୁ ସଂକ୍ରମଣର ସ୍ଥିତି ଓ ସଂକ୍ରମଣ ଅନୁଧ୍ୟାନ ଓ ପୂର୍ବାନୁମାନ କରିବା ପାଇଁ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗ ଗତ ବର୍ଷ ଏହି କମିଟି ଗଠନ କରିଥିଲା ।
ଏହି କମିଟିରେ ଆଇଆଇଟି କାନପୁରର ବୈଜ୍ଞାନିକ ଅଗ୍ରୱାଲଙ୍କ ବ୍ୟତୀତ ଆଇଆଇଟି ହାଇଦ୍ରାବାଦର ବୈଜ୍ଞାନିକ ଏମ ବିଦ୍ୟାସାଗର ଏବଂ ଇଣ୍ଟିଗ୍ରେଟେଡ୍ ଡିଫେନ୍ସ ଷ୍ଟାଫ୍ (ମେଡିକାଲ୍) ଡେପୁଟି ଚିଫ୍ ଲେଫ୍ଟନେଣ୍ଟ ଜେନେରାଲ୍ ମାଧୁରୀ କାନିତ୍କର ମଧ୍ୟ ଅଛନ୍ତି ।
ଶ୍ରୀ ଅଗ୍ରୱାଲ କହିଛନ୍ତି ଯେ, ତୃତୀୟ ତରଙ୍ଗର ପୂର୍ବାନୁମାନ କରିବା ସମୟରେ ରୋଗ ପ୍ରତିରୋଧକ ଶକ୍ତି ହରାଇବା, ଟୀକାକରଣର ପ୍ରଭାବ ଏବଂ ଅଧିକ ବିପଜ୍ଜନକ ସ୍ଥିତିର ସମ୍ଭାବନା ପ୍ରମାଣିତ ହୋଇଛି । ଦ୍ୱିତୀୟ ତରଙ୍ଗର ମଡେଲିଂ ସମୟରେ କରାଯାଇ ନଥିବା ବିସ୍ତୃତ ରିପୋର୍ଟ ତୃତୀୟ ତରଙ୍ଗ ପୂର୍ବରୁ ଖୁବ୍ ଶୀଘ୍ର ପ୍ରକାଶ ପାଇବ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ ଯେ, କୋଭିଡର ଦ୍ୱିତୀୟ ତରଙ୍ଗର ପ୍ରକୃତ ପ୍ରକୃତିର ପୂର୍ବାନୁମାନ ନକରିବାରୁ ଏହି କମିଟି ସମାଲୋଚନାର ସମ୍ମୁଖୀନ ହୋଇଥିଲା ।