ଦେଶ ପାଇଁ ଗର୍ବର ମୁହୂର୍ତ୍ତ : ସରକାର ସୁପାରିଶ କରିଥିବା ସମସ୍ତ ୮ଟି ବେଳାଭୂମିକୁ ଆନ୍ତର୍ଜାତିକ ବ୍ଲୁ ଫ୍ଲାଗ ପ୍ରମାଣପତ୍ର : ପ୍ରକାଶ ଜାଭଡେକର

ଓଡ଼ିଶାର ପୁରୀ ଗୋଲଡେନ ବିଚ ସାମିଲ

ନୂଆଦିଲ୍ଲୀ, (ପିଆଇବି) : ଦେଶର ୫ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ୮ଟି ବେଳାଭୂମିକୁ ୟୁଏନଇପି, ୟୁଏନଡବ୍ଲୁଟିଓ, ଏଫଇଇ, ଆଇୟୁସିଏନର ସୁନାମଧନ୍ୟ ସଦସ୍ୟମାନଙ୍କୁ ନେଇ ଗଠିତ ଆନ୍ତର୍ଜାତିକ ବିଚାରକମଣ୍ଡଳୀ ବ୍ଲୁ ଫ୍ଲାଗ ସମ୍ମାନ ପ୍ରଦାନ କରିଛନ୍ତି । ଦେଶପାଇଁ ଏହା ଏକ ଗର୍ବର ମୂହୁର୍ତ୍ତ ବୋଲି କେନ୍ଦ୍ର ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକର କହିଛନ୍ତି । ଯେଉଁ ବେଳାଭୂମିକୁ ବ୍ଲୁ ଫ୍ଲାଗ ସମ୍ମାନରେ ସମ୍ମାନିତ କରାଯାଇଛି, ସେଗୁଡିକ ହେଲା – ଶିବରାଜପୁର (ଦ୍ଵାରକା-ଗୁଜରାଟ), ଘୋଗଲା (ଡିଉ), କାଶରକୋଡ ଏବଂ ପଡୁବିଦ୍ରି (କର୍ଣ୍ଣାଟକ), କାପାଡ (କେରଳ), ରୁଷିକୋଣ୍ଡା (ଆନ୍ଧ୍ରପ୍ରଦେଶ), ଗୋଲ୍ଡେନ (ପୁରୀ-ଓଡିଶା) ଏବଂ ରାଧାନଗର (ଆଣ୍ଡାମାନ ନିକୋବର ଦୀପପୁଞ୍ଜ) । ଉପକୂଳ ଅଞ୍ଚଳରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଭାରତ ଆନ୍ତର୍ଜାତିକ ବିଚାରକମଣ୍ଡଳୀ ଦ୍ଵାରା ତୃତୀୟ ପୁରସ୍କାର ହାସଲ କରିଛି । “ଏକାବେଳେକେ ୮ଟି ବେଳାଭୂମି ବ୍ଲୁ ଫ୍ଲାଗ ସମ୍ମାନ ପାଇବା ଏକ ଅସାଧାରଣ କୃତିତ୍ଵ”, ବୋଲି କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଏକ ଟ୍ଵିଟ ଜରିଆରେ ପ୍ରକାଶ କରିବା ସହ ଏହା ଭାରତର ନିରନ୍ତର ବିକାଶ ଓ ସଂରକ୍ଷଣ ଦିଗରେ ଏକ ବିଶ୍ଵ ସ୍ୱୀକୃତି ବୋଲି କହିଛନ୍ତି । ଅନ୍ୟ ଏକ ଟ୍ଵିଟ ଜରିଆରେ ଶ୍ରୀ ଜାଭଡେକର କହିଛନ୍ତି ଯେ, ଏସୀୟ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଭାରତ ପ୍ରଥମ ଦେଶ ଯିଏକି ଦୁଇ ବର୍ଷ ସମୟ ମଧ୍ୟରେ ଏଭଳି କୃତିତ୍ଵର ଅଧିକାରୀ ହୋଇପାରିଛି । ଏସିଆ ମହାଦେଶରୁ ଜାପାନ, ଦକ୍ଷିଣ କୋରିଆ ଏବଂ ୟୁଏଇ କେବଳ ଏହି ବ୍ଲୁ ଫ୍ଲାଗ ବେଳାଭୂମି ପୁରସ୍କାର ପାଇଛନ୍ତି, ତେବେ ସେମାନେ ୫ରୁ ୬ ବର୍ଷ ମଧ୍ୟରେ ଏହା ହାସଲ କରିଥିଲେ । ଭାରତ ବର୍ତ୍ତମାନ ବିଶ୍ଵର ୫୦ଟି ବ୍ଲୁ ଫ୍ଲାଗ ଦେଶ ମଧ୍ୟରେ ସାମିଲ ହୋଇପାରିଛି ଏବଂ ଆସନ୍ତା ୫ ବର୍ଷ ମଧ୍ୟରେ ଦେଶର ୧୦୦ଟି ବେଳାଭୂମିକୁ ଏଥିରେ ଅନ୍ତର୍ଭୁକ୍ତ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛି । ଦେଶ ୨୦୧୮ରେ ଏହି ବୃହତ ବେଳାଭୂମି ପ୍ରକଳ୍ପ ବିକାଶ କାର୍ୟ୍ୟ ହାତକୁ ନେଇଥିଲା ଏବଂ ଚଳିତ ବର୍ଷର ପର୍ୟ୍ୟଟନ ଋତୁ ପୂର୍ବରୁ ୮ଟି ବେଳାଭୂମି ପାଇଁ ପ୍ରମାଣପତ୍ର ହାସଲ କରିପାରିଛି । ଏସଆଇସିଓଏମ, ଏମଓଇଏଫସିସି ଦେଶର ଉପକୂଳ ଅଞ୍ଚଳରେ ନିରନ୍ତର ବିକାଶ ପାଇଁ ବେଳାଭୂମି ପରିବେଶ ଏବଂ ସୌନ୍ଦର୍ୟ୍ୟବୃଦ୍ଧି ପରିଚାଳନା (ବିମ୍ସ), ସମନ୍ଵିତ ବେଳାଭୂମି ଅଞ୍ଚଳ ପରିଚାଳନା ପ୍ରକଳ୍ପ (ଆଇସିଜେଡଏମ) ଅଧୀନରେ କରାଯାଇଥିଲା । ଅନ୍ତର୍ଜାତୀୟ ପରିବେଶ ଛାପ ଥିବା ବ୍ଲୁ ଫ୍ଲାଗ ସମ୍ମାନ ପାଇବା ଉଦ୍ଦେଶ୍ୟରେ ଏହି ପରିକଳ୍ପନା କରାଯାଇଥିଲା । ଡେନମାର୍କର ପରିବେଶ ଶିକ୍ଷା ପ୍ରତିଷ୍ଠାନ (ଏଫଇଇ) ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଥାଏ ।
ବେଳାଭୂମି ଓ ଏହାର ଜଳରାଶିକୁ ପ୍ରଦୂଷଣରୁ ରକ୍ଷା କରିବା, ବେଳାଭୂମିରେ ଥିବା ସୁବିଧା ସୁଯୋଗଗୁଡିକର ନିରନ୍ତର ବିକାଶ, ବେଳାଭୂମି ପରିବେଶ ଓ ପ୍ରାକୃତିକ ସମ୍ପଦରାଜିର ସୁରକ୍ଷା ହେଉଛି ବିମ୍ସ କାର୍ୟ୍ୟକ୍ରମର ମୂଳଲକ୍ଷ୍ୟ । ଏହାର ସୁରକ୍ଷା ଦାୟିତ୍ଵରେ ଥିବା ସ୍ଥାନୀୟ କର୍ତ୍ତୃପକ୍ଷ ଓ ଅଂଶୀଦାରମାନଙ୍କୁ ସଫାସୁତୁରା, ନିରାପତ୍ତା ନେଇ ସଚେତନ କରାଇବା ଓ ପର୍ୟ୍ୟଟକମାନଙ୍କୁ ବେଳାଭୂମି ପର୍ୟ୍ୟଟନର ଆଇନକାନୁନ ସମ୍ପର୍କରେ ଅବଗତ କରାଇବା ମଧ୍ୟ ଅନ୍ତର୍ଭୁକ୍ତ । ଏହି କାର୍ୟ୍ୟକ୍ରମ ବେଳାଭୂମି ପର୍ୟ୍ୟଟନକୁ ଉତ୍ସାହିତ କରିବା ସହ ପ୍ରକୃତିର ସୁରକ୍ଷା ଉପରେ ମଧ୍ୟ ଗୁରୁତ୍ଵାରୋପ କରିଥାଏ ।

Leave A Reply

Your email address will not be published.