କରୋନା ପରେ ‘କେଟ୍‌ କ୍ୟୁ ଭାଇରସ୍‌’ : ଆଇସିଏମ୍‌ଆର୍‌ର ଚେତାବନୀ, ଭାରତରେ ଆତଙ୍କ ସୃଷ୍ଟି କରିପାରେ ନୂଆ ଚୀନ୍‌ ଭାଇରସ୍‌

ନୂଆଦିଲ୍ଲୀ : ଗୋଟିଏ ପଟେ ଭାରତ ସହ ସାରା ବିଶ୍ୱ କରୋନା ଭାଇରସ୍‌ କବଳରୁ ବଂଚିବା ପାଇଁ ଲଢେ଼ଇ କରୁଥିବା ବେଳେ ଅନ୍ୟପଟେ ଚୀନ୍‌ର ନୂଆ ଭାଇରସ୍‌ର ଆତଙ୍କ ବିଶ୍ୱ ଉପରେ ଚକ୍‌କର୍‌ କାଟିବା ଆରମ୍ଭ କଲାଣି । ଭାରତୀୟ ଆୟୁର୍ବିଜ୍ଞାନ ଅନୁସଂଧାନ ପରିଷଦ (ଆଇସିଏମ୍‌ଆର୍‌) ଭାରତ ସରକାରଙ୍କୁ ଚେତାବନୀ ଦେଇଛି ଯେ, ଚୀନ୍‌ର ‘କେଟ୍‌ କ୍ୟୁ ଭାଇରସ୍‌’ ଭାରତରେ ପହଂଚିପାରେ । ରିପୋର୍ଟରେ କୁହାଯାଇଛି ଯେ, ଏହି ଭାଇରସ୍‌ ଦ୍ୱାରା ମଣିଷ ଶରୀରରେ ଜ୍ୱର, ମେନିନ୍‌ଜାଇଟିସ୍‌ ଏବଂ ଶିଶୁମାନଙ୍କ କ୍ଷେତ୍ରରେ ଇନ୍‌ସେଫଲାଇଟିସ୍‌ ସମସ୍ୟା ସୃଷ୍ଟି ହେବ ।
ଆଇସିଏମ୍‌ଆର୍‌ର ପୁନା ସ୍ଥିତ ନ୍ୟାସନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲଜିର ୭ ଶୋଧକର୍ତ୍ତାଙ୍କ ଦ୍ୱାରା କୁହାଯାଇଛି ଯେ, ଚୀନ୍‌ ଏବଂ ଭିଏତ୍‌ନାମ୍‌ରେ ‘କେଟ୍‌ କ୍ୟୁ ଭାଇରସ୍‌’ ମିଳିଛି । ଏକ୍ସପର୍ଟସ୍‌ ମାନେ ଚେତାବନୀ ଦେଇଛନ୍ତି ଯେ, ଭାରତରେ ମଧ୍ୟ କ୍ୟୁଲେକ୍ସ ମଶାମାନଙ୍କଠାରେ କେଟ୍‌ କ୍ୟୁ ଭାଇରସ୍‌ ଭଳି କିଛି ସଂଧାନ କରାଯାଇଛି । ସଂସ୍ଥା ପକ୍ଷରୁ କୁହାଯାଇଛି ଯେ, ମୂଳତଃ ଏହି ଭାଇରସ୍‌ ଘୁଷୁରୀମାନଙ୍କଠାରେ ମିଳିଥାଏ ଏବଂ ଚୀନ୍‌ର ପାଳିତ ଘୁଷୁରୀମାନଙ୍କଠାରେ ଏହି ଭାଇରସ୍‌ର ବିରୋଧରେ ଆଣ୍ଟିବଡ଼ି ମିଳିଛି । ଏହା ବି କୁହାଯାଇଛି ଯେ, କେଟ୍‌ କ୍ୟୁ ଭାଇରସ୍‌ ଚୀନ୍‌ରେ ସ୍ଥାନୀୟ ସ୍ତରରେ ନିଜର ପ୍ରକୋପ ବିସ୍ତାର କରିବା ଆରମ୍ଭ କରିଦେଇଛି ।
ତେବେ ବୈଜ୍ଞାନିକମାନେ ବିଭିନ୍ନ ରାଜ୍ୟର ୮୮୩ ଲୋକଙ୍କ ସାମ୍ପଲ୍‌ ନେଇଛନ୍ତି ଏବଂ ସେଥିରୁ ଦୁଇ ଜଣଙ୍କ ମଧ୍ୟରେ ସଂପୃକ୍ତ ଭାଇରସ୍‌ ବିରୋଧୀ ଆଣ୍ଟିବଡ଼ି ପାଇଛନ୍ତି । ତଦନ୍ତରୁ ଜଣାପଡ଼ିଛି, ଏହି ଦୁଇଜଣ ବ୍ୟକ୍ତି ଏକା ସାଂଗରେ ଭାଇରସ୍‌ ଦ୍ୱାରା ସଂକ୍ରମିତ ହୋଇଥିଲେ ।
ଇଣ୍ଡିଏନ୍‌ ଜର୍ନଲ ଅଫ୍‌ ମେଡ଼ିକାଲ ରିସର୍ଚ୍ଚରେ ଜୁନ୍‌ ମାସରେ ପ୍ରକାଶିତ ଏକ ରିସର୍ଚ୍ଚରେ କୁହାଯାଇଛି ଯେ, ମଣିଷଙ୍କ ସିରମ୍‌ ସାମ୍ପଲର ଯାଂଚରେ ଆଣ୍ଟି-ସିକ୍ୟୁବି ଆଇଜିଜି ଆଣ୍ଟିବଡ଼ି ମିଳିବା ଏବଂ ମଶାଙ୍କ ମଧ୍ୟରେ ସିକ୍ୟୁବିର ରେପ୍ଲକେସନ୍‌ କାପେବ୍ଲିଟିରୁ ଜଣାପଡ଼ୁଛି ଯେ, ଭାରତରେ ଏହି ରୋଗ ବ୍ୟାପିବାର କ୍ଷମତା ରଖୁଛି । ଏଭଳି ସ୍ଥିତିରେ ମାନବ ଏବଂ ଘୁଷୁରୀମାନଙ୍କ ସିରମ୍‌ ସାମ୍ପଲ୍‌ର ଟେଷ୍ଟ ହେବା ଉଚିତ । ଏହାଦ୍ୱାରା ଜଣାପଡ଼ିବ ଯେ, ଏହି ଭାଇରସ୍‌ ପୂର୍ବରୁ ଆମ ଭିତରେ ରହିନାହିଁ ତ !

Leave A Reply

Your email address will not be published.