ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଉଛି ବିକଶିତ ଭାରତ ସଂକଳ୍ପ ଯାତ୍ରା

୨୬ ହଜାରରୁ ଅଧିକ ଗ୍ରାମ ପଞ୍ଚାୟତକୁ ୧୦୦% ଆୟୁଷ୍ମାନ କାର୍ଡ ମିଳିଛି
● ମୁଁ ସେହି ଦିନକୁ ଅପେକ୍ଷା କରିଛି, ଯେତେବେଳେ ପ୍ରତ୍ୟେକ ଗରିବଙ୍କ ପାଖରେ ମାଗଣା ଶସ୍ୟ ପାଇଁ ରାସନ କାର୍ଡ, ଉଜ୍ଜ୍ୱଳା ଗ୍ୟାସ ସଂଯୋଗ, ବିଜୁଳି ଯୋଗାଣ, ଟ୍ୟାପ୍ ପାଣି ସଂଯୋଗ, ଆୟୁଷ୍ମାନ କାର୍ଡ ଏବଂ ପକ୍କା ଘର ରହିବ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଭୁବନେଶ୍ୱର, (ପିଆଇବି) : ୨୦୨୩ ନଭେମ୍ବର ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା ତୃଣମୂଳସ୍ତରର ଲୋକଙ୍କୁ ଲାଭାନ୍ୱିତ କରିବା ପାଇଁ ସ୍ୱାସ୍ଥ୍ୟଗତ ପଦକ୍ଷେପକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଶକ୍ତିଶାଳୀ ମଞ୍ଚରେ ପରିଣତ ହୋଇଛି । ଯାତ୍ରାର ସଚେତନତା, ଶିକ୍ଷା ଓ ଯୋଗାଯୋଗ (ଆଇଇସି) ବାହନ ସେମାନଙ୍କ ନିକଟରେ ବିକାଶମୂଳକ ଯୋଜନାର ବାର୍ତ୍ତା ପହଞ୍ଚାଇବା ସହିତ ଗ୍ରାମ ପଞ୍ଚାୟତରେ ଆୟୋଜିତ ହେଉଥିବା ସ୍ୱାସ୍ଥ୍ୟ ଶିବିରରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । ଲୋକମାନଙ୍କର ଯକ୍ଷ୍ମା, ଉଚ୍ଚ ରକ୍ତଚାପ, ମଧୁମେହ ଇତ୍ୟାଦି ପରୀକ୍ଷା କରାଯାଉଛି । ବର୍ତ୍ତମାନ ସୁଦ୍ଧା ୬୩ ଲକ୍ଷରୁ ଅଧିକ ଲୋକ ସ୍ୱାସ୍ଥ୍ୟ ଶିବିରର ଲାଭ ନେଇସାରିଲେଣି । ଯାତ୍ରା ସମୟରେ ୨୬,୭୫୨ରୁ ଅଧିକ ଗ୍ରାମ ପଞ୍ଚାୟତ ଆୟୁଷ୍ମାନ କାର୍ଡର ଶତ ପ୍ରତିଶତ (ଡିସେମ୍ବର ୧୨, ୨୦୨୩ ସୁଦ୍ଧା) ହାସଲ କରିଛନ୍ତି । ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନ୍ତର୍ଗତ ସୁସ୍ଥ ଭାରତ ଅଭିଯାନର ଏକ ଅଂଶ ଭାବରେ ନିମ୍ନଲିଖିତ କାର୍ଯ୍ୟକଳାପ ହାତକୁ ନିଆଯାଉଛି-
ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବିପିଏମ୍‌ଜେଏୱାଇ) କାର୍ଡ ପାଇଁ ପଞ୍ଜୀକରଣ : ସରକାରଙ୍କ ପ୍ରମୁଖ ସ୍ୱାସ୍ଥ୍ୟ ସେବା ଯୋଜନା ଅଧୀନରେ ଆୟୁଷ୍ମାନ ଆପ୍ ବ୍ୟବହାର କରି ଆୟୁଷ୍ମାନ କାର୍ଡ ତିଆରି କରାଯାଉଛି ଏବଂ ହିତାଧିକାରୀଙ୍କୁ ଫିଜିକାଲ୍‌ କାର୍ଡ ବଣ୍ଟନ କରାଯାଉଛି । ଡିସେମ୍ବର ୧୨, ୨୦୨୩ ସୁଦ୍ଧା ବିକଶିତ ଭାରତ ସଂକଳ୍ପ ଯାତ୍ରା ଶିବିରରେ ୯.୬୯ ଲକ୍ଷରୁ ଅଧିକ ଆୟୁଷ୍ମାନ କାର୍ଡ ପ୍ରଦାନ କରାଯାଇଛି । ଆୟୁଷ୍ମାନ କାର୍ଡ ଶିବିରରେ ୧.୫୩ ଲକ୍ଷରୁ ଅଧିକ ଲୋକ ଏହି ସେବା ପାଇଛନ୍ତି ।
ଯକ୍ଷ୍ମା ଯାଞ୍ଚ : ବିକଶିତ ଭାରତ ସଂକଳ୍ପ ଯାତ୍ରା ରହଣୀ ସ୍ଥଳରେ ଉପସ୍ଥିତ ଥିବା ଲୋକଙ୍କୁ ଯକ୍ଷ୍ମା ପାଇଁ ମଧ୍ୟ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । ଯକ୍ଷ୍ମା ଲକ୍ଷଣ ଥିବା ଲୋକଙ୍କୁ ଉଚ୍ଚ ଚିକିତ୍ସା କେନ୍ଦ୍ରକୁ ପଠାଯାଉଛି । ବର୍ତ୍ତମାନ ସୁଦ୍ଧା ବିକଶିତ ଭାରତ ସଂକଳ୍ପ ଯାତ୍ରା ଶିବିରରେ ୨୬.୪୧ ଲକ୍ଷ ଲୋକଙ୍କୁ ଯକ୍ଷ୍ମା ପରୀକ୍ଷା କରାଯାଇଛି ।
ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ ଅଧୀନରେ ଯକ୍ଷ୍ମା ରୋଗୀଙ୍କୁ ଅନ୍ୟାନ୍ୟ ସହାୟତା ଯୋଗାଇ ଦିଆଯାଉଛି ଏବଂ ଯକ୍ଷ୍ମା ରୋଗୀଙ୍କୁ ନିକ୍ଷୟ ମିତ୍ରଙ୍କଠାରୁ ସହାୟତା ପାଇବା ପାଇଁ ସହମତି ନିଆଯାଉଛି । ଯକ୍ଷ୍ମା ରୋଗୀଙ୍କୁ ସାହାଯ୍ୟ କରିବା ପାଇଁ ନିକ୍ଷୟ ମିତ୍ର ରୂପରେ ସ୍ୱେଚ୍ଛାସେବୀ ଭାବରେ କାର୍ଯ୍ୟ କରିବାକୁ ଇଚ୍ଛୁକ ଥିବା ଉପସ୍ଥିତ ଲୋକଙ୍କ ଉତ୍ସାହ ଏକ ଆନନ୍ଦଦାୟକ ଦୃଶ୍ୟ । ସେମାନଙ୍କୁ ଘଟଣାସ୍ଥଳରେ ପଞ୍ଜୀକରଣ କରାଇ ସୁବିଧା ଯୋଗାଇ ଦିଆଯାଉଛି । ଯକ୍ଷ୍ମା ରୋଗୀଙ୍କୁ ସହାୟତା କରିବା ପାଇଁ ଆଉ ଏକ ସରକାରୀ ପଦକ୍ଷେପ ହେଉଛି ନିକ୍ଷୟ ପୋଷଣ ଯୋଜନା (ଏନ୍‌ପିୱାଇ), ଯାହା ଅଧୀନରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ମାଧ୍ୟମରେ ଲୋକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି ।
ସିକଲ୍ ସେଲ୍ ରୋଗ ପାଇଁ ସ୍ୱାସ୍ଥ୍ୟ ପରୀକ୍ଷା : ବିକଶିତ ଭାରତ ସଂକଳ୍ପ ଯାତ୍ରା ସ୍ୱାସ୍ଥ୍ୟ ଶିବିରରେ ଅଂଶଗ୍ରହଣକାରୀମାନେ ସିକଲ୍ ସେଲ୍ ରୋଗ ପାଇଁ ମଧ୍ୟ ନିଜକୁ ଯାଞ୍ଚ କରାଇ ପାରିବେ । ଏହି ରୋଗ ମୁଖ୍ୟତଃ ଆଦିବାସୀ ଜନସଂଖ୍ୟାକୁ ପ୍ରଭାବିତ କରୁଥିବାରୁ ଅଧିକ ଆଦିବାସୀ ଜନସଂଖ୍ୟା ଥିବା ଅଞ୍ଚଳରେ ସ୍କ୍ରିନିଂ କରାଯାଉଛି । ଯୋଗ୍ୟ ଲୋକମାନେ (ଅର୍ଥାତ୍, ଜନ୍ମରୁ ୪୦ ବର୍ଷ ପର୍ଯ୍ୟନ୍ତ ଲୋକ) ସିକଲ୍ ସେଲ୍ ରୋଗ ପାଇଁ ପଏଣ୍ଟ ଅଫ୍ କେୟାର (ପିଓସି) ପରୀକ୍ଷା ମାଧ୍ୟମରେ କିମ୍ବା ଦ୍ରବଣୀୟତା ପରୀକ୍ଷା ମାଧ୍ୟମରେ ସ୍ୱାସ୍ଥ୍ୟ ଯାଞ୍ଚ କରାଉଛନ୍ତି । ବର୍ତ୍ତମାନ ସୁଦ୍ଧା ବିକଶିତ ଭାରତ ସଂକଳ୍ପ ଯାତ୍ରା ରହଣୀ ସ୍ଥଳରେ ୬.୧୨ ଲକ୍ଷ ଅଂଶଗ୍ରହଣକାରୀଙ୍କୁ ଏସ୍‌ସିଡି ପାଇଁ ସ୍କ୍ରିନିଂ କରାଯାଇଛି ।
ଅଣସଂକ୍ରାମକ ରୋଗ ପାଇଁ ସ୍କ୍ରିନିଂ: ଲୋକମାନେ ଉଚ୍ଚ ରକ୍ତଚାପ ଏବଂ ମଧୁମେହ ଭଳି ଅନ୍ୟ ନୀରବ ହତ୍ୟାକାରୀମାନଙ୍କ ପାଇଁ ମଧ୍ୟ ଯାଞ୍ଚ କରିପାରିବେ । ୩୦ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିମାନେ ଉଚ୍ଚ ରକ୍ତଚାପ ଏବଂ ମଧୁମେହ ପରୀକ୍ଷା କରୁଛନ୍ତି । ପଜିଟିଭ୍ ଚିହ୍ନଟ ହେଲେ ସେମାନଙ୍କୁ ପ୍ରଭାବଶାଳୀ ଉପଚାର ପାଇଁ ଉଚ୍ଚ ଚିକିତ୍ସା କେନ୍ଦ୍ରକୁ ପଠାଯାଉଛି ।

Leave A Reply

Your email address will not be published.

12 − nine =