pakka

ନକଲି ପୋଲିସ ଯାଞ୍ଚ୍ ଆଳରେ କରୁଥିଲେ ଲୁଟପାଟ୍, ଅସଲି ପୋଲିସ କଲା ଗିରଫ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ପୋଲିସ ସ୍କ୍ୱାଡର କର୍ମଚାରୀ ପରିଚୟ ଦେଇ ଲୁଟ୍‌ପାଟ୍‌ କରୁଥିବା ଦୁଇ ଅଭିଯୁକ୍ତଙ୍କୁ ଅତାବିରା ଥାନା ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ବଲାଙ୍ଗିର ସଦର ଥାନା ସିନ୍ଦୁରବାହାଲ ଗ୍ରାମର ସୁମନ ଶେଖର ପାଣିଗ୍ରାହୀ (୨୬) ଏବଂ ବରଗଡ଼ ପୌର ପରିଷଦ ଅଧୀନ ୱାର୍ଡ଼ ନଂ-୮ କେନାଲପଡ଼ା ନିବାସୀ ଫୁପଲୁ ଓରଫ୍‌ ରାଜେଶ ମେହେର(୩୬) । ସେମାନଙ୍କ ନିକଟରୁ ଏକ ବାଇକ୍‌(ଓଡି ୦୩ କ୍ୟୁ ୦୮୪୬), ଓଡ଼ିଶା ପୋଲିସ ଲେଖାଥିବା ୨ଟି ଜ୍ୟାକେଟ୍‌, ୪ଟି ମୋବାଇଲ, ଗୋଟିଏ ଟୋପି, ନଗଦ ୨ହଜାର ଟଙ୍କା ଏବଂ ଗୋଟିଏ ଆଇରନ ପାଇପ୍‌ ଜବତ ହୋଇଛି । ଗିରଫ ଅଭିଯୁକ୍ତମାନଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ହେବାର ସେମାନଙ୍କୁ ବରଗଡ଼ ସବ୍‌ଜେଲ ହାଜତକୁ ପଠାଇ ଦିଆଯାଇଛି । ଏନେଇ ଅତାବିରା ଥାନାରେ ଦଫା ୪୧୯, ୪୨୦, ୩୮୬, ୩୪ଆଇପିସିରେ ଏକ ମାମଲା ରୁଜୁ ହୋଇଛି । ବରଗଡ଼ ଏସ୍‌ଡିପିଓଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଦୀପକ କୁମାର ଗୋଚ୍ଛାୟତ ସୂଚନା ଦେଇ କହିଥିଲେ, ଗତକାଲି ପ୍ରାୟ ୮ଟା ସମୟରେ ଗିରଫ ୨ ଅଭିଯୁକ୍ତ ଓଡ଼ିଶା ପୋଲିସ ଲେଖାଥିବା ଜ୍ୟାକେଟ୍‌ ପିନ୍ଧି ଜବତ ବାଇକ୍‌ ଯୋଗେ ଅତାବିରା ଥାନା ରେଙ୍ଗାଲି(କର୍ଲାଟିକ୍ରା) ଗ୍ରାମର ଟୁନା ମିର୍ଦ୍ଧା(୩୧)ଙ୍କ ଗ୍ରୋସରୀ ଦୋକାନରେ ପହଞ୍ଚିଥିଲେ । ସେତେବେଳେ ଦୋକାନ ଖୋଲାଥିବାରୁ ଏତେ ରାତିରେ କାହିଁକି ଦୋକାନ ଖୋଲିଛନ୍ତି ବୋଲି କହିବା ସହିତ ୨ ହଜାର ଟଙ୍କା ନ ଦେଲେ ଟୁନାଙ୍କୁ ଜେଲ୍‌ ପଠାଇ ଦେବୁ ବୋଲି ଅଭିଯୁକ୍ତମାନେ ଧମକ ଦେଇଥିଲେ । ଏଥିରେ ଭୟଭୀତ ହୋଇପଡ଼ି ଟୁନା ଅଭିଯୁକ୍ତମାନଙ୍କୁ ୨ହଜାର ଟଙ୍କା ଦେଇଥିଲେ । ଏନେଇ ଟୁନା ଅତାବିରା ଥାନାରେ ଏତଲା ଦେବା ପରେ ପୋଲିସ ଉପରୋକ୍ତ ମାମଲା ରୁଜୁ କରିଥିଲା ଏବଂ ଏସ୍‌ପି ରାହୁଲ ଜୈନଙ୍କ ତତ୍ୱାବଧାନରେ ଅତାବିରା ଥାନା ଆଇଆଇସି ଅନିଲ କୁମାର ପ୍ରଧାନ ଏହାର ତଦନ୍ତ କରିଥିଲେ । ତଦନ୍ତରେ ୨ଅଭିଯୁକ୍ତ ଧରାପଡ଼ି ଥିବା ବେଳେ ସେମାନେ ବଲାଙ୍ଗିର ଏବଂ ବରଗଡ଼ ଜିଲାର ବିଭିନ୍ନ ମାମଲାରେ ସମ୍ପୃକ୍ତ ଥିବା ଜଣାପଡ଼ିଥିଲା । ଏହା ସହିତ କିଛିଦିନ ତଳେ ସିପୁନ ବେହେରା ଏବଂ ସାଧୁଚରଣ ଭୋଇଙ୍କଠାରୁ ଲୁଟ୍‌ ହୋଇଥିବା ୨ ମୋବାଇଲ ଅଭିଯୁକ୍ତଙ୍କ ପାଖରୁ ଉଦ୍ଧାର ହୋଇଥିବା ବେଳେ ଗତ ୬ ତାରିଖ ଅତାବିରା ଥାନା ରେଳ ଷ୍ଟେସନ ଅଞ୍ଚଳରେ ନଗଦ ୮ହଜାର ଟଙ୍କା, ଦୁଇଟି ମୋବାଇଲ ଲୁଟ୍‌ ଘଟଣାରେ ସେମାନଙ୍କ ସମ୍ପୃକ୍ତି ଥିବା ଅଭିଯୁକ୍ତମାନେ ସ୍ୱୀକାର କରିଛନ୍ତି ବୋଲି ଏସ୍‌ଡିପିଓ ସୂଚନା ଦେଇଥିଲେ । ସାମ୍ବାଦିକ ସମ୍ମିଳନୀରେ ଅତାବିରା ଥାନା ଆଇଆଇସି ଅନିଲ କୁମାର ପ୍ରଧାନ ଏବଂ ଅନ୍ୟ ପୋଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

four × 5 =