କୁକୁଡାହାଡ ଆନନ୍ଦ ତାଣ୍ଡିଙ୍କ ମୃତ୍ୟୁ ଘଟଣାର ପର୍ଦ୍ଦାଫାସ : ମଂଦିର ଚୋରୀ ଟଙ୍କା ଭାଗ ବଂଟାରୁ ହତ୍ୟାକାଣ୍ଡ : ୪ ଅଭିଯୁକ୍ତ ଗରିଫ, କୋର୍ଟ ଚାଲାଣ

କଂଟାବାଂଜି, (ମନୀଷ କୁମାର ହଂସ) : ବହୁଚର୍ଚ୍ଚିତ କୁକୁଡାହାଡ ଆନନ୍ଦ ତାଣ୍ଡିଙ୍କ ମୃତ୍ୟୁ ଘଟଣାର ପର୍ଦ୍ଦାଫାସ ହୋଇଛି । ମଂଦିର ଚୋରୀ ଟଙ୍କା ଭାଗ ବଂଟାରୁ ହତ୍ୟାକାଣ୍ଡ ଘଟିଥିବା କୁହାଯାଇଛି । ତେବେ ଆଜି ପୂର୍ବାହ୍ନ ସାଢେ ଏଗାରଟାରେ ସ୍ଥାନୀୟ ପୋଲିସ ଥାନା ପରିସରରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ବେଳେ ଏହି ସମ୍ମିଳନୀରେ କଂଟାବାଂଜି ପୋଲିସ ଓ ଜିଆରପି ପକ୍ଷରୁ ଘଟଣା ସଂପର୍କରେ ସୂଚନା ପ୍ରଦାନ କରାଯାଇଛି । ସୂଚନା ଅନୁସାରେ କୁକୁଡାହାଡ ରେଳ ଲାଇନ କଡ଼ରେ ଆନନ୍ଦ ତାଣ୍ଡିଙ୍କ ଖଣ୍ଡ ବିଖଣ୍ଡ ମୃତ ଶରୀର ଉଦ୍ଧାର ହୋଇଥିଲା । ଏହି ଘଟଣା ଉପରେ ପରିବାର ବର୍ଗଙ୍କଠାରୁ ହତ୍ୟା ଅଭିଯୋଗ ହୋଇଥିଲା । ଉଭୟ କଂଟାବାଂଜି ଟାଉନ ପୋଲିସ ଏବଂ ଜିଆରପି.ର ତଦନ୍ତ ପରେ ଘଟଣାର ଏକ ସପ୍ତାହ ମଧ୍ୟରେ ଅସଲ ଘଟଣା ପଦାକୁ ଆସିଛି । ପୋଲିସ ୪ଜଣ ହତ୍ୟାକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନାରେ କୁହାଯାଇଛି ।


ପୋଲିସ ପକ୍ଷରୁ ମିଳିଥିବା ତଥ୍ୟ ମୁତାବକ କଂଟାବାଂଜି-ବଙ୍ଗୋମୁଣ୍ଡା ରାଜ୍ୟ ରାଜପଥ ନଂ.୪୨ର କେ.ଭି.କଲେଜ ନିକଟରେ ଥିବା ଶ୍ୟାମ ଖାଟୁ ମଂଦିରର ଗତ ୮ ତାରିଖ ଦିନ ରାତିରେ ଚୋରି ହୋଇଥିଲା । ଏହି ଚୋରୀକୁ ନେଇ ହରିହର ବାଗ କଂଟାବାଂଜି ଥାନାରେ ଏକ ଏତଲା ଦେଇଥିଲେ । କଂଟାବାଂଜି ଥାନା କେସ ନଂ.୨୨୨/୯.୧୦.୨୦୨୦ ଅନୁସାରେ କଂଟାବାଂଜି ଟାଉନ ଥାନା ସବ୍‌ ଇନ୍ସପେକ୍ଟର ହୀରା ଖାଲକୋ ମାମଲା ଉପରେ ଅନୁସଂଧାନ କରୁଥିଲେ । ଏହି ମାମଲାର ଅନୁସଂଧାନରେ ହୀରାଲାଲ ପୁଟେଲ, ବୃନ୍ଦାବନ ଦୀପ, ସୁରଥ ପୁଟେଲ, ଧାନୀ ଷାଣ୍ଢ, ଡୋଲାମଣି ପୁଟେଲ ଓ ଆନନ୍ଦ ତାଣ୍ଡିକୁ ଅଭିଯୁକ୍ତ ବୋଲି ପୋଲିସ ଜାଣିବାକୁ ପାଇଥିଲା । ସେହିପରି କଂଟାବାଂଜି ଥାନା କେସ ନଂ.୨୨୯/୧୧.୧୦.୨୦୨୦ ଦଫା ୪୫୭/୩୮୦ ଆଇପିସି ଅନୁଯାୟୀ ଗତ ୮ ତାରିଖ ରାତିରେ କୁକୁଡାହାଡ ଗାଁରୁ ଏକ ମୋଟର ସାଇକଲ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗଟି ଶ୍ରୀମତୀ ଗୁଞ୍ଜ ପୁଟେଲ ସ୍ୱାମୀ ବୈକୁଣ୍ଠ ପୁଟେଲ କଂଟାବାଂଜି ଥାନାରେ ଦେଇଥିଲେ, ଯାହା କଂଟାବାଂଜି ଥାନା କେସ ନଂ.୨୨୯/୧୧.୧୦.୨୦୨୦ ଦଫା ୪୫୭/୩୮୦ ଆଇପିସି ଅନୁଯାୟୀ ଦର୍ଜ ହୋଇଥିଲା । ଗତ ୮ ତାରିଖ ଦିନ ମାମଲା ରୁଜ୍ଜୁ ପରେ କଂଟାବାଂଜି ପୋଲିସ ତଦନ୍ତ ଆରମ୍ଭ କରି ଆନନ୍ଦ ତାଣ୍ଡି, ଧନୀ ଷାଣ୍ଢଙ୍କୁ ଅଭିଯୁକ୍ତ ବୋଲି ଜାଣିବାକୁ ପାଇଲା । ଶ୍ୟାମ ଖାଟୁ ମଂଦିର ଚୋରୀ ଘଟଣା ଏବଂ ବାଇକ ଚୋରୀକୁ ନେଇ ହିରାଲାଲ ପୁଟେଲ, ବୃନ୍ଦାବାନ ଦୀପ, ସୁରଥା ପୁଟେଲ, ଧନୀ ଷାଣ୍ଢ, ଡୋଲାମଣି ପୁଟେଲ ଓ ଆନନ୍ଦ ତାଣ୍ଡି ମଧ୍ୟରେ ଗତ ୮ ତାରିଖ ଦିନ ଚୋରୀ ଟଙ୍କା ଭାଗବଂଟା ହୋଇଥିଲା ଏବଂ ଆନନ୍ଦ ତାଣ୍ଡି ଅନ୍ୟମାନଙ୍କୁ ସମାନ ଟଙ୍କା ଦେଇ ସେ ମୋଟା ରକମର ଟଙ୍କା ନେବା ମଧ୍ୟରେ ବଚସା ହୋଇ କୁକୁଡାହାଡ ରେଳ ଲାଇନରେ ହତ୍ୟା ଘଟଣା ଘଟିଛି । ଏହି ହତ୍ୟା ଘଟଣାରେ ଧନୀ ଷାଣ୍ଢ ଏକ କଟୁରୀରେ ହତ୍ୟା କଲା ପରେ ସମସ୍ତେ ରେଲ ଲାଇନରେ ଫିଙ୍ଗି ଦେଇଥିଲେ । ତା’ ପରଦିନ ୯ ତାରିଖ କଂଟାବାଂଜି ଜିଆରପି ଓ କଂଟାବାଂଜି ଟାଉନ ପୋଲିସ ଘଟଣାସ୍ଥଳକୁ ଯାଇ ଅନୁସଂଧାନ କରିବା ସହିତ ସଂଧାନୀ କୁକୁର ମଧ୍ୟ ଆସି କଂଟାବାଂଜିରୁ ଫେରିଗଲା ପରେ ସଂଧାନୀ କୁକୁରର ମୃତ୍ୟୁ ହୋଇଥିଲା । ଏହି ଘଟଣାକୁ ଜିଆରପି ପୋଲିସ କେସ ନଂ. ୩୨/୯.୧୦.୨୦୨୦ ରୁଜୁ କରି ଅଧିକ ଅନୁସଂଧାନ ଜାରି ରଖିଥିଲା । ଏପରିକି ଜିଆରପି. ଡି.ଏସ.ପି. ରାୟଗଡା ମଧ୍ୟ ଅନୁସଂଧାନ ପାଇଁ ଆସିଥିଲେ । ଆନନ୍ଦର ହତ୍ୟା ଅଭିଯୋଗକୁ ଭିତ୍ତି କରି ଜିଆରପି କଂଟାବାଂଜି ସବ୍‌ ଇନ୍ସପେକ୍ଟର ମୋହନ ନାୟକ କଂଟାବାଂଜି ଥାନାରେ ଏକ ଏତଲା ଦେଇଥିଲେ । କଂଟାବାଂଜି ଟାଉନ ଥାନା କେସ ନଂ.୨୩୧/୧୨.୧୦.୨୦୨୦ ଦଫା ୩୦୨/୨୦୧/୧୨୦(ବି) ଆଇପିସିରେ କଂଟାବାଂଜି ଥାନା ଆଇଆଇସି ସତ୍ୟଜିତ କାଣ୍ଡେଲକର ଘଟଣାର ଅନସୁଂଧାନ ଅଧିକାରୀ ଭାବେ କାର୍ଯ୍ୟ କରିଥିଲେ । ଅନୁସଂଧାନ ମଧ୍ୟରେ ଅଭିଯୁକ୍ତ ଧନୀ ଷାଣ୍ଢ ଆନନ୍ଦର ହତ୍ୟା ଘଟଣା ରାତିରେ ହିଁ ନିଜ ପରିବାର ଲୋକଂକୁ ସମସ୍ତ ଘଟଣା ଜଣାଇଥିଲା । ଏହା ପରେ ପରିବାର ବର୍ଗ ଅନୁସଂଧାନ ବେଳେ ଧନୀର ପରିବାରଠାରୁ ସବୁ ଜାଣିଲା ପରେ ଅଭିଯୁକ୍ତ ହୀରାଲାଲ, ବୃନ୍ଦାବନ, ସୁରଥ, ଡୋଲାମଣି ସମସ୍ତେ ଆନନ୍ଦକୁ ହତ୍ୟା କରି ରେଳ ଲାଇନରେ ଫିଙ୍ଗିଥିବା ସ୍ୱୀକାର କରିଛନ୍ତି । ଏହା ଉପରେ ଖବରଦାତା ସମ୍ମିଳନୀରେ କଂଟାବାଂଜି ଏସଡିପି ସରୋଜ କୁମାର ମହାପାତ୍ର, ଆଇଆଇସି ସତ୍ୟଜିତ କାଣ୍ଡେଲକର, ସବ୍‌ ଇନ୍ସପେକ୍ଟର ହୀରା ଖାଲକୋ, ଏଏସଆଇ ପଂଚାନନ ଖୁଆସ, ଜିଆରପି ସବ୍‌ ଇନ୍ସପେକ୍ଟର ମୋହନ ନାୟକ, ଏଏସଆଇ ଉମେଶ ଅହିର, କଂଟାବାଂଜି ଥାନା ସବ୍‌ ଇନ୍ସପେକ୍ଟର ପ୍ରଦୀପ କୁମାର ଦୁରିଆ ସହ ଅନ୍ୟ ଅଧିକାରୀ ସମୂହ ଉପସ୍ଥିତ ଥିଲେ ।

Leave A Reply

Your email address will not be published.