pakka

କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା : ପ୍ରତିବାଦରେ ମହୀଧରପୁର-ଅନୁଗୁଳ ମୁଖ୍ୟ ରାସ୍ତା ଅବରୋଧ

ଅନୁଗୁଳ : ଘରଠାରୁ ଅଳ୍ପ ଦୂରରେ ପ୍ରବାହିତ ଗାଁ ନାଳକୁ ଗାଧୋଇ ଯାଇଥିବା ଜଣେ କଲେଜ ଛାତ୍ରୀଙ୍କ ମୃତଦେହ ବୁଦାମୂଳରୁ ଉଦ୍ଧାର ହୋଇଛି । ଅଭିଯୁକ୍ତ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିବା କୁହାଯାଉଛି । ସେଥିପାଇଁ ସ୍ଥାନୀୟ ଅଂଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ସୂଚନା ମୁତାବକ ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ମହୀଧରପୁର ଫାଣ୍ଡି ଅଂଚଳରେ ଆଜି ଏହି ଲୋମ ହର୍ଷଣକାରୀ ଘଟଣା ଘଟିଛି । ମହୀଧରପୁର ଫାଣ୍ଡି ଅନ୍ତର୍ଗତ ଫୁଲପଡା ପଞ୍ଚାୟତର ଗିରିଧିବାସିଆ ଗ୍ରାମରେ ଘଟିଥିବା ଘଟଣାକୁ ନେଇ ଛାତ୍ରୀଙ୍କ ବାପା ପ୍ରଶାନ୍ତ କୁମାର ଭୋଇ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ସାନ ଝିଅ ମଧୁସ୍ମିତା ଭୋଇ(୨୧) ସବୁଦିନ ପରି ଆଜି ସକାଳ ୮ ଘଟିକା ସମୟରେ ନିଜ ଘର ପାଖ ନାଳକୁ ଏକୁଟିଆ ଗାଧୋଇବା ପାଇଁ ଯାଇଥିଲେ । ଏକ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିଲେ ମଧ୍ୟ ସାନ ଭଉଣୀ ନଫେରିବାରୁ ବଡ଼ ଭଉଣୀ ମୋନାଲିସା ଭୋଇ ନାଳ ନିକଟକୁ ଯାଇ ଖୋଜାଖୋଜି କରି ଘରକୁ ଫେରିଥିଲେ । ପରିବାର ଲୋକଙ୍କୁ ସାନ ଭଉଣୀକୁ ନପାଇବା ଘଟଣା ସମ୍ପର୍କରେ ଅବଗତ କରାଇବା ପରେ ପରିବାର ସମସ୍ତ ଲୋକ ନାଳ ନିକଟକୁ ଖୋଜିବାକୁ ଯାଇଥିଲେ । ବହୁ ସମୟ ଖୋଜାଖୋଜି କରିବା ପରେ ନାଳ ନିକଟରୁ କିଛି ଦୂରରେ ଏକ ବୁଦା ମୂଳେ ଡାଳ ପତ୍ର ଘୋଡ଼ା ହୋଇଥିବା ଅବସ୍ଥାରେ ମଧୁସ୍ମିତା ଭୋଇଙ୍କର ମୃତ ଶରୀର ପାଇଥିଲେ । ଦେହରେ କୌଣସି ବସ୍ତ୍ର ନଥିଲା ଓ ଯେଉଁ ଅବସ୍ଥାରେ ମଧୁସ୍ମିତାର ମୃତଦେହ ପାଇଥିଲେ ପରିବାର ଲୋକ ବୁଝି ଯାଇଥିଲେ ଯେ ମଧୁସ୍ମିତାକୁ ଦୁଷ୍କର୍ମ କରି ହତ୍ୟା କରିବା ପରେ ଫିଙ୍ଗି ଦିଆଯାଇଛି ।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ଛାତ୍ରୀଙ୍କ ବାପାଙ୍କର ଏତେଲାକୁ ଆଧାର କରି ମାମଲା ରୁଜ୍ଜୁ କରି ସେହି ଗ୍ରାମର ଜଣେ ଯୁବକକୁ ଅଟକ ରଖି ଥାନାରେ ପଚରା ଉଚରା ଚଳାଇଛି । ଘଟଣା ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ ପାଇଁ ସାଇଣ୍ଟିଫିକ ଦଳକୁ ଯୋଗାଯୋଗ କରାଯାଇଥିବା ସୂଚନା ଥାନା ଅଧିକାରୀ ନରେଶ ସାହୁ ଦେଇଛନ୍ତି । ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ କୌଣସି ସାଇଣ୍ଟିଫିକ ଦଳ କିମ୍ବା ସନ୍ଧାନୀ କୁକୁର ଘଟଣାସ୍ଥଳରେ ପହଞ୍ଚି ନଥିଲା କି ମୃତଦେହ ଘଟଣାସ୍ଥଳରୁ ଉଠି ନଥିଲା ।

ସୂଚନାନୁସାରେ ମଧୁସ୍ମିତା ଜଣେ ମେଧାବୀ ତଥା ଅନୁଗୁଳ ସରକାରୀ କଲେଜରେ ସ୍ନାତକ କଳା ବିଭାଗର ଶେଷ ବର୍ଷର ଛାତ୍ରୀ ଥିଲେ । ସେ ପୁଲିସ ବିଭାଗରେ ଯୋଗ ଦେବା ସହିତ ସମାଜରୁ କୁସଂସ୍କାରକୁ ଦୂର କରିବା ପାଇଁ ପ୍ରସ୍ତୁତି ଚଳାଇଥିଲେ । ତାଙ୍କର ଏହିପରି ଅକାଳ ମୃତ୍ୟୁରେ ସମ୍ପୂର୍ଣ୍ଣ ଗିରିଧିବାସିଆ ଗ୍ରାମର ଲୋକମାନେ ମ୍ରିୟମାଣ ହୋଇ ଫୁଲପଡା-ମହୀଧରପୁର ରାସ୍ତାକୁ ଅବରୋଧ କରିଛନ୍ତି । ଅଭିଯୁକ୍ତକୁ ତୁରନ୍ତ ଗିରଫ କରି ତା’ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ ମଧ୍ୟ କରିଛନ୍ତି ।

Leave A Reply

Your email address will not be published.

16 − three =