ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକର ବିଇଓ କାର୍ଯ୍ୟାଳୟର ବିଭିନ୍ନ ସମସ୍ୟାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସୁଥିବା ବେଳେ ଏବେ ସପ୍ତମ ବେତନ କମିଶନର ୨୦% ଭାଗ ବକେୟା ଦରମା ଦୀର୍ଘ ମାସ ହେବ ସରକାରୀ ନିର୍ଦେଶନାମାରେ ଥିଲେ ମଧ୍ୟ କଣ୍ଟାମାଲ ବ୍ଲକରେ ଶିକ୍ଷକମାନଙ୍କୁ ଦରମା ପ୍ରଦନାରେ ଟାଲୁଟୁଳ ନୀତିକୁ ନେଇ ଅଭିଯୋଗ ହେଉଛି । ଆଜି ଏ ସମ୍ପର୍କରେ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଅସନ୍ତୋଷ ପ୍ରକାଶ କରି ଏକ ଲିଖିତ ଅଭିଯୋଗ ବିଇଓଙ୍କୁ ଜଣାଇଥିବା ବେଳେ ଏ ନେଇ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲାପାଳ ବୌଦ୍ଧଙ୍କୁ ମଧ୍ୟ ଜଣାଇଥିବା ଜଣାଯାଇଛି । ଯଦି ୭ ଦିନ ମଧ୍ୟରେ ବକେୟା ଦରମା ପ୍ରଦାନ କରାନଯାଏ କଣ୍ଟାମାଲ ବିଇଓ କାର୍ଯ୍ୟାଳୟରେ ତାଲା ପକାଇବାକୁ ମଧ୍ୟ ଚେତାବନୀ ଦେଇଛି ମିଳିତ ଶିକ୍ଷକ ସଂଘ । ସଂଘ ପକ୍ଷରୁ ଆଜି ସଭାପତି ନିଳାଞ୍ଚଳ ଭୋଇ ଓ ସାଧାରଣ ସଂପାଦକ ଶିଶିର ଖଟୁଆଙ୍କ ନେତୃତ୍ୱରେ ଏକ ଲିଖିତ ଅଭିଯୋଗ ପ୍ରଦାନ କରାଯାଇଛି । ଏହି ସମସ୍ୟାର ସମାଧାନ ନହେଲେ କଣ୍ଟାମାଲ ବ୍ଲକର ସମସ୍ତ ଶିକ୍ଷକ ପରିବାର ତାଲା ବନ୍ଦ ଆନ୍ଦୋଳନରେ ଯୋଗ ଦେବେ ବୋଲି କହିଛନ୍ତି । ଅପର ପକ୍ଷରେ ଜଣେ ସ୍ଥାୟୀ ବିଇଓଙ୍କୁ ମଧ୍ୟ ତୁରନ୍ତ ନିଯୁକ୍ତି ଦିଆଯିବାକୁ ସଂଘ ପକ୍ଷରୁ ଦାବୀ କରାଯାଉଥିଲେ ମଧ୍ୟ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଉ ନଥିବାରୁ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବା ସହ ଅଭିଭାବକ ଓ ଶିକ୍ଷକ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସଂଘ ପକ୍ଷରୁ ଲିଖିତ ପ୍ରେସ ବିବୃତିରେ କୁହାଯାଇଛି ।