ଦ୍ୱିତୀୟ ଥର ପାଇଁ ପିସିସି ସଭାପତି ହେଲେ ଶରତ ପଟ୍ଟନାୟକ, ସଇଁତଲାରେ ଉତ୍ସବର ମାହୋଲ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିରର ପୂର୍ବତନ ସଂସଦ ତଥା ସଇଁତଲାର ସୁଯୋଗ୍ୟ ସନ୍ତାନ ଶରତ ପଟ୍ଟନାୟକ ପୁନର୍ବାର ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭାବେ ଏଆଇସିସି ନିଯୁକ୍ତ ଦେବା ପରେ ପଶ୍ଚିମ ଓଡିଶା ସମେତ ନିଜ ଜନ୍ମମାଟି ସଇଁତଲା ସହରରେ ଖୁସିର ମହୋଲ ଦେଖାଦେଇଛି । ଗତ ସୋମବାର ଦିନ ଏହା ଘୋଷଣା ହେବା ପରେ ନିଜ ଜନ୍ମମାଟି ସଇଁତଲାର ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିବା ସହ ବିପୁଳ ଉତ୍ସାହର ସହିତ ଆତିସବାଜି ଓ ମିଷ୍ଟାନ ବଣ୍ଟନ କରାଯାଇ ସଇଁତଲାରେ ଏକ ଉତ୍ସବ ପାଳନ କରାଯାଇଥିଲା । ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଜଣେ ଛାତ୍ରନେତା ଭାବରେ କଲେଜ ଜୀବନରୁ ରାଜନୀତି ଆରମ୍ଭ କରି ଓଡିଶା ଯୁବ କଂଗ୍ରେସର ସଭାପତି ହେବା ସହ ଏଆଇସିସିର ସାଧାରଣ ସମ୍ପାଦକ ଓ ୨ ଥର ବଲାଙ୍ଗିରରୁ ସାଂସଦ ଭାବରେ ନିର୍ବାଚିତ ହୋଇ ରାଜନୈତିକ ଦକ୍ଷତା ପ୍ରତିପାଦନ କରି ପାରିଛନ୍ତି । ତାଙ୍କ ସାଂସଦ କାଳରେ କେବିକେ ଗଠନରେ ତାଙ୍କର ପ୍ରମୁଖ ଭୂମିକା ରହିଥିବାରୁ ପଶ୍ଚିମ ଓଡିଶା ତଥା ଓଡିଶାରେ ଜଣେ ଲୋକପ୍ରିୟ ନେତା ଭାବରେ ବେଶ ଜଣାଶୁଣା । ଏହାପରେ ୨୦୦୧ରୁ ୨୦୦୪ ପର୍ଯ୍ୟନ୍ତ ପିସିସି ସଭାପତି ଦାୟିତ୍ୱ ତୁଳାଇ ଥିବା ଯୋଗୁଁ ତାଙ୍କର ଦୀର୍ଘ ରାଜନୈତିକ ଅଭିଜ୍ଞତା ଓ କଂଗ୍ରେସ ଦଳ ପ୍ରତି ତାଙ୍କର ଅନୁଗତ୍ୟ ଓ କର୍ତ୍ତବ୍ୟ ପରାୟଣତାକୁ ପାଥେୟ କରି କେନ୍ଦ୍ର ନେତୃତ୍ୱ ତାଙ୍କ ଉପରେ ଭରସା କରି କଂଗ୍ରେସର ଦୁର୍ଦନ୍ତ ସମୟରେ ତାଙ୍କୁ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭାବେ ଦାୟିତ୍ୱ ଦିଆଯାଇଥିବାରୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ସଇଁତଲା ଅଞ୍ଚଳବାସୀଙ୍କ ତରଫରୁ ବିଶେଷ ଅଭିନନ୍ଦନ ଓ ଧନ୍ୟବାଦ ଜ୍ଞାପନ କରାଯାଇଛି । ଏଥି ସହିତ ଶରତ ପଟ୍ଟନାୟକଙ୍କୁ ମଧ୍ୟ ସଇଁତଲାବାସୀଙ୍କ ତରଫରୁ ଅଭିନନ୍ଦନ ଜଣାଇବା ସହ ଏହା ସଇଁତଲା ପାଇଁ ଏକ ଗର୍ବର ବିଷୟ ବୋଲି ସଇଁତଲାରେ ଚର୍ଚ୍ଚା ଜୋର ଧରିଛି । ତେଣୁ ଆଗାମୀ ଦିନରେ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ସଫଳତା ପାଇବ ବୋଲି ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀମାନଙ୍କ ମହଲରେ ଆଲୋଚନା ହେଉଛି ।

Leave A Reply

Your email address will not be published.