ଅନୁଗୁଳରେ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର୍ସର ଟିଏମଟି ରିବାର୍ ମିଲକୁ ଲୋକାର୍ପଣ କଲେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ

● ବାର୍ଷିକ ୧୪ ଲକ୍ଷ ଟନ୍ କ୍ଷମତା ବିଶିଷ୍ଟ ଏହି ମିଲ୍ ବିଶ୍ବର ବୃହତମ ଓ ଅତ୍ୟାଧୁନିକ ରିବାର ମିଲ୍ସ ମଧ୍ୟରୁ ଅନ୍ୟତମ
● ଅନୁଗୁଳ ଠାରେ ଇସ୍ପାତ ଉତ୍ପାଦନ ପାଇଁ ବିଶ୍ବର ପ୍ରଥମ କୋଇଲା ବାଷ୍ପୀକରଣ ପ୍ଲାଣ୍ଟ ପରିଦର୍ଶନ କଲେ କେନ୍ଦ୍ର ମନ୍ତ୍ରୀ
● ପ୍ଲାଣ୍ଟରେ ବ୍ୟବହୃତ ହେଉଛି ସ୍ଥାନୀୟ ଅଞ୍ଚଳରେ ଉପଲବ୍ଧ ହାଇ ଆଶ୍ କୋଇଲା

ଅନୁଗୁଳ/ଭୁବନେଶ୍ୱର, (ପିଆଇବି) : କେନ୍ଦ୍ର ଇସ୍ପାତ ମନ୍ତ୍ରୀ ରାମ ଚନ୍ଦ୍ର ପ୍ରସାଦ ସିଂ ଅନୁଗୁଳ ଠାରେ ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର (ଜେଏସପି)ର ଅତ୍ୟାଧୁନିକ ଟିଏମଟି ରିବାର ମିଲକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି । କମ୍ପାନୀର ୬ ଏମଟିପିଏ କ୍ଷମତା ବିଶିଷ୍ଟ ସମନ୍ବିତ ଇସ୍ପାତ କମ୍ପ୍ଲେକ୍ସ ପରିସରରେ ଏହି ମିଲ୍ ଉଦ୍‌ଘାଟିତ ହୋଇଛି । ବାର୍ଷିକ ୧୪ ଲକ୍ଷ ଟନ୍ କ୍ଷମତା ବିଶିଷ୍ଟ ଏହି ଟିଏମଟି ରିବାର ମିଲ ବିଶ୍ବର ସର୍ବବୃହତ ତଥା ଅତ୍ୟାଧୁନିକ ରିବାର ମିଲ୍ ମଧ୍ୟରୁ ଅନ୍ୟତମ । ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାରର ଅଧ୍ୟକ୍ଷ ନବୀନ ଜିନ୍ଦଲ, ପରିଚାଳନା ନିର୍ଦ୍ଦେଶକ ଭିଆର ଶର୍ମା ଏବଂ ଇସ୍ପାତ ମୁଖ୍ୟ କାର୍ଯ୍ୟନିର୍ବାହୀ ଡି. କେ. ରସ୍ତୋଗୀ ଏହି ଅବସରରେ ଉପସ୍ଥିତ ରହି ପ୍ଲାଣ୍ଟ ପରିସରରେ କେନ୍ଦ୍ର ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଇସ୍ପାତ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ରସିକା ଚୌବେ ମଧ୍ୟ ଉପସ୍ଥିତ ଥିଲେ । କେନ୍ଦ୍ର ମନ୍ତ୍ରୀ ଶ୍ରୀ ସିଂ କହିଥିଲେ ଯେ, ବୃହତ ଅର୍ଥବ୍ୟବସ୍ଥାମାନଙ୍କୁ ପଛରେ ପକାଇ ଭାରତ ବିଶ୍ବର ଦ୍ବିତୀୟ ସର୍ବବୃହତ ଇସ୍ପାତ ଉତ୍ପାଦନକାରୀ ରାଷ୍ଟ୍ର ହୋଇପାରିଛି । ଓଡ଼ିଶାରୁ ସର୍ବାଧିକ ପରିମାଣର ଇସ୍ପାତ ଉତ୍ପାଦନ କରାଯାଉଛି । ଓଡ଼ିଶାରେ ଏପରି ସୁଦୃଶ୍ୟ ବିଶାଳ ଇସ୍ପାତ କାରଖାନା ପ୍ରତିଷ୍ଠା କରିଥିବାରୁ କେନ୍ଦ୍ର ମନ୍ତ୍ରୀ ଏହି ଅବସରରେ ନବୀନ ଜିନ୍ଦଲଙ୍କୁ ପ୍ରଶଂସା କରିଥିଲେ । ଇସ୍ପାତ କାରଖାନାର କ୍ଷମତା ବାର୍ଷିକ ୨୫.୨ ନିୟୁତ ଟନକୁ ବଢ଼ାଇବା ଲାଗି ଜେଏସପିର ଯୋଜନାକୁ ମଧ୍ୟ କେନ୍ଦ୍ର ମନ୍ତ୍ରୀ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ, ୨୦୩୦ ସୁଦ୍ଧା ଦେଶର ୧୦ ପ୍ରତିଶତ ଇସ୍ପାତ ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର ଦ୍ବାରା ଅନୁଗୁଳରୁ ଉତ୍ପାଦିତ ହେବ । କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧର ଅଂଶବିଶେଷ ସ୍ବରୂପ, କୋଭିଡ-୧୯ ମହାମାରୀ ସମୟରେ ଦେଶର ବିଭିନ୍ନ ସ୍ଥାନକୁ ତରଳ ଚିକିତ୍ସକୀୟ ଅକ୍ସିଜେନ ଯୋଗାଇ ଦେବାରେ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରର ପ୍ରୟାସକୁ କେନ୍ଦ୍ର ମନ୍ତ୍ରୀ ପ୍ରଶଂସା କରିଥିଲେ ।
ଇସ୍ପାତ ଉତ୍ପାଦନ ପାଇଁ ବ୍ୟବହୃତ ପ୍ରଥମ କୋଇଲା ବାଷ୍ପୀକରଣ କାରଖାନା (ସିଜିପି)କୁ ମଧ୍ୟ କେନ୍ଦ୍ର ମନ୍ତ୍ରୀ ପରିଦର୍ଶନ କରିଥିଲେ । ଏହି ଅବସରରେ ଇସ୍ପାତ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ବିଶ୍ବର ପ୍ରଥମ ସିନଗ୍ୟାସ ଆଧାରିତ ଡିଆରଆଇ ପ୍ଲାଣ୍ଟକୁ ସିନ୍ଥେଟିକ୍ ଗ୍ୟାସ ଯୋଗାଇ ଦେବା ପାଇଁ ଏହି କାରଖାନାରେ ହାଇ ଆଶ୍ ଏବଂ ସ୍ଥାନୀୟ ସ୍ତରରେ ଉପଲବ୍ଧ ନନ-କୋକିଂ କୋଇଲା ବ୍ୟବହାର କରାଯାଉଛି । ଏହି ଜ୍ଞାନକୌଶଳ ମାଧ୍ୟମରେ ଦେଶରେ ଥିବା ପ୍ରଚୁର କୋଇଲା ଭଣ୍ଡାରକୁ ଉପଯୋଗ କରାଯାଇପାରିବ ଏବଂ କୋଇଲା ଆବଶ୍ୟକତା କ୍ଷେତ୍ରରେ ଭାରତ ଆତ୍ମନିର୍ଭରଶୀଳ ହୋଇପାରିବ । କୋକିଂ କୋଇଲା ଆମଦାନୀ ପାଇଁ ଅନ୍ୟ ଦେଶ ଉପରେ ନିର୍ଭରଶୀଳତା ହ୍ରାସ ପାଇବ ।
ମେଗା ଷ୍ଟିଲ୍ କମ୍ପ୍ଲେକ୍ସ ପରିସରରେ ଥିବା ଦେଶର ସର୍ବବୃହତ ବ୍ଲାଷ୍ଟ ଫର୍ଣ୍ଣେସ, ସବୁଠୁ ଚଉଡ଼ା ପ୍ଲେଟ୍ ଉତ୍ପାଦନ କରୁଥିବା ପ୍ଲେଟ୍ ମିଲ୍ ଏବଂ ଅନ୍ୟ ୟୁନିଟକୁ ମଧ୍ୟ କେନ୍ଦ୍ର ମନ୍ତ୍ରୀ ବୁଲି ଦେଖିଥିଲେ ।
ଏହି ଅବସରରେ ଶ୍ରୀ ନବୀନ ଜିନ୍ଦଲ କରିଥିଲେ ଯେ, ଅନୁଗୁଳ ଇସ୍ପାତ ଉତ୍ପାଦନ କାରଖାନା ଠାରେ ୧.୪ ଏମଟିପିଏ କ୍ଷମତା ବିଶିଷ୍ଟ ଟିଏମଟି ରିବାର ମିଲ୍ କେନ୍ଦ୍ର ମନ୍ତ୍ରୀଙ୍କ ଦ୍ବାରା ଉଦଘାଟିତ ହେବା ଖୁସିର ବିଷୟ । ଏହା ବିଶ୍ବର ସବୁଠୁ ଆଧୁନିକ ଓ ସର୍ବବୃହତ ରିବାର ମିଲ । ଏଠାରେ ଉଚ୍ଚ ଗୁଣବତ୍ତା ଏବଂ ଭିନ୍ନ ଭିନ୍ନ ବୈଶିଷ୍ଟ୍ୟର ଟିଏମଟି ରିବାର ଉତ୍ପାଦନ କରାଯାଇ ପାରିବ ଯାହାକି ଉଚ୍ଚମାନର ଭିତ୍ତିଭୂମି ନିର୍ମାଣରେ ଉପଯୋଗ ହେବ । ଏହାଦ୍ବାରା ଲକ୍ଷ ଲକ୍ଷ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । କୋଇଲା ବାଷ୍ପୀକରଣ ଜ୍ଞାନକୌଶଳ ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିକୁ ଶ୍ରୀ ଜିନ୍ଦଲ ବିଶେଷ ଭାବେ ପ୍ରଶଂସା କରିଥିଲେ । ସେ କହିଥିଲେ ଏହି ଜ୍ଞାନକୌଶଳ ଆଜି ବାସ୍ତବ ରୂପ ନେଇପାରିଛି । ସହଯୋଗ ପାଇଁ ସେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ ।
ଜେଏସପିର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭିଆର ଶର୍ମା କହିଥିଲେ ଯେ, ଜେଏସପି ଭବିଷ୍ୟତକୁ ଆଖି ଆଗରେ ରଖି ଅଗ୍ରଗତି କରିଥାଏ । କମ୍ପାନୀ କୋଇଲା ବାଷ୍ପୀକରଣ ଜରିଆରେ ନିଜ କ୍ଷମତାର ପ୍ରାୟ ୫୦ ପ୍ରତିଶତ ଇସ୍ପାତ ଉତ୍ପାଦନ ଲାଗି ଲକ୍ଷ୍ୟ ରଖିଛି, କାରଣ ଏହାକୁ ଦୀର୍ଘସ୍ଥାୟୀ ଭବିଷ୍ୟତ ପାଇଁ ସବୁଜ ଇସ୍ପାତ ଉତ୍ପାଦନ ପ୍ରଣାଳୀ ଭାବେ ଗ୍ରହଣ କରାଯାଉଛି ।
କେନ୍ଦ୍ର ଇସ୍ପାତ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ନିଲେଶ ଦେଓରେ, ଭାରତୀୟ ଇସ୍ପାତ ଗବେଷଣା ଓ ପ୍ରଯୁକ୍ତି ମିଶନର ନିର୍ଦ୍ଦେଶକ ଡକ୍ଟର ମୁକେଶ କୁମାର ପ୍ରମୁଖ ମନ୍ତ୍ରୀଙ୍କ ଗସ୍ତ ଅବସରରେ ଉପସ୍ଥିତ ଥିଲେ । ଜେଏସପିର ମୁଖ୍ୟ କାର୍ୟ୍ୟନିର୍ବାହୀ ଶ୍ରୀ ଡି.କେ ରସ୍ତୋଗୀ ଗସ୍ତ ପାଇଁ କେନ୍ଦ୍ର ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।
ଜିନ୍ଦଳ ଷ୍ଟିଲ୍ ଆଣ୍ଡ ପାୱାର ଅନୁଗୁଳ ଠାରେ ଭାରତର ସବୁଠୁ ଆଧୁନିକ ୬ ଏମଟିପିଏ କ୍ଷମତା ବିଶିଷ୍ଟ ସମନ୍ବିତ ଇସ୍ପାତ କାରଖାନା ପ୍ରତିଷ୍ଠା କରିବା ସହ ସଫଳତା ପୂର୍ବକ ପରିଚାଳନା କରୁଛି । ଏହା ହେଉଛି ଓଡ଼ିଶାର ସର୍ବବୃହତ ଇସ୍ପାତ କାରଖାନା ।

Leave A Reply

Your email address will not be published.