ମେ’ ୩ରୁ ୫ ଭୀମଡୁଙ୍ଗୁରିରେ ଅଷ୍ଟମ ଭୀମପାହାଡ ମହୋତ୍ସବ, ଲୋଗୋ ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଲକ ମକୁନ୍ଦପୁର ପଞ୍ଚାୟତର ଭୀମଡୁଙ୍ଗୁôରି ପର୍ଯ୍ୟଟନସ୍ଥଳିରେ ଆସନ୍ତା ମେ’ ୩ରୁ୫ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଭୀମପାହାଡ ମହୋତ୍ସବ ଅନୁଷ୍ଠିତ ହେବ । ସେଥିପାଇଁ ଆଜି ବଲାଙ୍ଗିର ସାମ୍ବାଦିକ ଭବନଠାରେ ଭୀମପାହାଡ ମହୋତ୍ସବ କମିଟି ତରଫରୁ ଏକ ସାମ୍ବାଦିକ ସମ୍ବିଳନୀରେ ମହୋତ୍ସବର ଲୋଗୋକୁ ଉନ୍ମୋଚନ କରାଯାଇ ଏବିଷୟରେ ସୂଚନା ଦିଆଯାଇଛି । ବଲାଙ୍ଗିର ଜିଲ୍ଲାପରିଷଦର ଅଧ୍ୟକ୍ଷା ଦେବକୀ ସାହୁ ମୁଖ୍ୟଅତିଥି ଓ ବରେଣ୍ୟ ଅତିଥି ଭାବରେ ସଂସ୍କୃତି ଗବେଷକ ଡ.ଗୁରୁଶ୍ରୀ ଘାସିରାମ ମିଶ୍ର ଓ ଜଗଦାନନ୍ଦ ଛୁରିଆ ଯୋଗଦେଇ ଏହି ଲୋଗୋକୁ ଉନ୍ମୋଚନ କରିଥିଲେ । ମହୋତ୍ସବ କମିଟିର ଉପଦେଷ୍ଟା ଲକ୍ଷ୍ମଣକୁମାର ମେହେରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭୀମପାହାଡ ମହୋତ୍ସବ କମିଟିର ସଭାପତି ପ୍ରମୋଦ ବହିଦାର, ସଂପାଦକ ଗୋବର୍ଦ୍ଧନ ସାହୁ ମଞ୍ଚାସୀନ ଥିଲେ । ଭୀମପାହାଡ ପର୍ଯ୍ୟଟନସ୍ଥଳିର ପ୍ରଚାର ପ୍ରସାର ତଥା ଉନ୍ନୟନ ପାଇଁ କମିଟି ବହୁବର୍ଷ ହେଲା କାମ କରିଆସୁଛି । ସ୍ଥାନୀୟ ଦେଓଗାଁ, ପୁଇଁତଳା ଓ ବଲାଙ୍ଗିର ବ୍ଲକର ସାଧାରଣଜନତାଙ୍କ ତରଫରୁ ମିଳିତ ଭାବରେ ଏହି ମହୋତ୍ସବ ଆୟୋଜିତ ହେଉଛି । ୨ ତାରିଖରେ ମହୋତ୍ସବ ପାଇଁ ଏକ ମଶାଳଶୋଭାଯାତ୍ରା ଅନୁଷ୍ଠିତ ହେବ । ଉପରଝର ପାଟଖଣ୍ଡା, ଅଠଗାଁର ପୁଡାପାଠ, ମହିମୁଣ୍ଡା କନ୍ଧେନବୁଢି, କୁମୁରିଆର ସୁଲିଆପୀଠରୁ ମଶାଳ ଶୋଭାଯାତ୍ରାରେ ଆସିବ । ୨ ତାରିଖରେ ଭୀମପାହାଡର ଐତିହାସିକ ପୃଷ୍ଠଭୂମୀ ଉପରେ ଏକ ଆଲୋଚନାଚକ୍ର କରାଯିବ । ଅତିଥି ଭାବରେ ରାଜନେତା ତଥା ପ୍ରଶାସନିକ ଅଧିକାରୀମାନେ ଯୋଗଦେବେ । ଠିକ୍‌ ସେହିପରି ରାଜ୍ୟ ତଥା ରାଜ୍ୟବାହାରୁ ସାଂସ୍କୃତିକଦଳ ଗୁଡିକ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି ବୋଲି କମିଟିର ଉପଦେଷ୍ଟା ଲକ୍ଷ୍ମଣକୁମାର ମେହେର ସୂଚନା ଦେଇଥିଲେ । ଗୁରୁଶ୍ରୀ ଡ.ଘାସିରାମ ମିଶ୍ର ଭୀମପାହାଡର ଐତିହାସିକ ପୃଷ୍ଠଭୂମୀ ଉପରେ କହିବା ସହିତ ବଲାଙ୍ଗିର ଜିଲ୍ଲାର ପୂର୍ବରେ ଭୀମାଶଙ୍କରଙ୍କ ଭୀମପାହାଡପୀଠ ଓ ପଶ୍ଚିମରେ ହରିଶଙ୍କରପୀଠ ଥାଇ ଜିଲ୍ଲାର ଶୋଭାବର୍ଦ୍ଧନ କରୁଛନ୍ତି । ଏହାର ଐତିହ୍ୟ ହିଁ ବଲାଙ୍ଗିରକୁ ଐତିହ୍ୟପୂର୍ଣ୍ଣ କରିଛି ବୋଲି କହିଥିଲେ । ସେହିପରି ବଲାଙ୍ଗିର ଜିଲ୍ଲାରେ ସାଂସ୍କୃତିକ ବିଭବ ଭରି ରହିଛି ବୋଲି ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ କହିଥିଲେ । ମୁଖ୍ୟଅତିଥି ଶ୍ରୀମତୀ ଦେବକୀ ସାହୁ ତାଙ୍କ ବକ୍ତବ୍ୟରେ ମହୋତ୍ସବର ଉତ୍ତରୋତ୍ତର ଉନ୍ନତି କାମନା କରି ଜିଲ୍ଲାରେ ଏଭଳି କାର୍ଯ୍ୟକ୍ରମ ଲୋକଙ୍କ ମଧ୍ୟରେ ଭାଇଚାରା ସୃଷ୍ଟିକରିବ ବୋଲି କହିଥିଲେ । ଶେଷରେ କମିଟିର ସଭାପତି ପ୍ରମୋଦ ବହିଦାର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମକୁନ୍ଦପୁର ସରପଞ୍ଚ ଜାନକି ସାହୁ, ସମିତିସଭ୍ୟ ଅଭିମନ୍ୟୁ ମାଝୀ, ଦେଓଗାଁ ବ୍ଲକ ଯୁବ ବିଜେଡି ସଭାପତି ଶୈଳେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.