ପୋଲିସଙ୍କୁ ଚ୍ୟାଲେଞ୍ଜ ଦେଉଛି ରାଜମିସ୍ତ୍ରୀ ଶିବରାମ ସାହୁ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କୌଣସି କାରଣରୁ ଘରୁ ଗତ ୮ ତାରିଖରୁ ଫେରାର ହୋଇଥିବା ବ୍ରହ୍ମପୁର ପୋଲିସଜିଲ୍ଲା ଅନ୍ତର୍ଗତ ବାଦପୁର ଗ୍ରାମର ଶିବରାମ ସାହୁଙ୍କୁ ଠାବ କରିବା ଓ ଗିରଫ କରିବା ନିମନ୍ତେ ପୋଲିସଙ୍କୁ ଏତଲା ଦିଆଯାଇଛି । ପେଶାରେ ରାଜମିସ୍ତ୍ରୀ ଥିବା ଶିବରାମ ବାରମ୍ବାର ସ୍ଥାନ ବଦଳାଇ ଲୁଚୁଛି ଯେ, ପୋଲିସ ନାକେଦମ ହେଲେଣି । ରାଜମିସ୍ତ୍ରୀର ପତ୍ନୀ ଶ୍ରୀମତୀ ଜ୍ୟୋସ୍ନା ସାହୁ ଗୋପାଳପୁର ଥାନା ଅଧିକାରୀ, ବ୍ରହ୍ମପୁର ଏସ୍‌ପିଙ୍କ କାର୍ଯ୍ୟାଳୟ ଯାଇ ତାଙ୍କ ସ୍ୱାମୀଙ୍କୁ ଖୋଜି ଧରିବାକୁ ଗତ ୯ ତାରିଖରୁ ନିବେଦନ ଜଣାଇଛନ୍ତି । ସୂଚନାରୁ ଜଣାଯାଇଛି ଯେ, ଗୋପାଳପୁର ଥାନା ଅନ୍ତର୍ଗତ ଟାଟା କଲୋନୀ ନିକଟ ବାଦପୁର ଗ୍ରାମରେ ବାସ କରୁଥିବା ରାଜମିସ୍ତ୍ରୀ ଜଣକ ନିଜ ପତ୍ନୀ ଜ୍ୟୋସ୍ନା ଗାଁର ମହିଳା ଗ୍ରୁପରୁ ଋଣ ଆଣିଥିବା ପ୍ରାୟ ୩ ଲକ୍ଷ ଟଙ୍କା ଧରି ଫେରାର ହୋଇଯାଇଛି । ସେ ଆଉ ଜଣେ ମହିଳାଙ୍କ ସମ୍ପର୍କରେ ଥିବା ମଧ୍ୟ ଅଭିଯୋଗ ହୋଇଛି । କେତେକ ଅସାମାଜିକ ଗୋଷ୍ଠୀ ସହ ସମ୍ପର୍କ ରଖିଆସିଥିବା ଶିବରାମ ରିଭଲଭର ଓ ସ୍ପିଙ୍ଗ ଛୁରୀ ପାଖରେ ରଖିଥିବା ତାଙ୍କ ଆତ୍ମୀୟ ଓ ଲୋକ ମାନଙ୍କ ସୂତ୍ରରୁ ସ୍ପଷ୍ଟ ହୋଇଛି । ଅସାମାଜିକ ଗୋଷ୍ଠୀ ଅନେକ ସମୟରେ ସମବେତ ହେଉଥିବା ଝାଞ୍ଜିର ତୋଟାରେ ଜଣେ ଅଚିହ୍ନା ଲୋକର ଖଣ୍ଡ ବିଖଣ୍ଡିତ ଶବକୁ ପୋଲିସ ପ୍ଲାଟିକ ଜାରି ବ୍ୟାଗରେ ପଡିଥିବା ଖବର ପାଇ ଅନୁସନ୍ଧାନ କରିଛନ୍ତି । ରାଜମିସ୍ତ୍ରୀଙ୍କ ସମ୍ପର୍କରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଏସ.ପି. ସମ୍ପୃକ୍ତ ଅଧିକାରୀଙ୍କୁ ତାଗିଦ କରିଛନ୍ତି । ତେବେ ରାଜମିସ୍ତ୍ରୀ ପୋଲିସ ପଞ୍ଝାକୁ ଏଡାଇ ଲୁଚୁଛି । ସେ ଏମିତି ଲୁଚିବା ପଛରେ ତାର ଭାଇ ଓ ଆଉ କେତେକଙ୍କ ପ୍ରୋତ୍ସାହନ ରହିଥିବା ପୋଲିସ ପାଖରେ ଖବର ରହିଛି । ସେ ଧରା ପଡିଲେ ଚୋରା ବନ୍ଧୁକ କାରବାର ଏବଂ କେତେକ ଅପରାଧର ରହସ୍ୟ ଉନ୍ମୋଚନ ହେବ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.