କାଳବୈଶାଖୀ ତାଣ୍ଡବ : ଉଡ଼ିଲା ଛାତ, ଗଛ ଭାଙ୍ଗି ରାସ୍ତା ଅବରୋଧ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଦୁର୍ଗମ ଭୁଷିଗଡ଼ ପଞ୍ଚାୟତ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ପ୍ରବଳ ଝଡ଼ ତୋଫାନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ପଞ୍ଚାୟତର ବିଭିନ୍ନ ଗ୍ରାମରେ ବହୁ ଲୋକଙ୍କ ଚାଳଛପର ଓ ଆଜବେଷ୍ଟ ଉଡ଼ି ଯାଇଥିବା ବେଳେ ଅନେକ ଘର ଭାଙ୍ଗିଥିବା ସୂଚନା ମିଳିଛି । ସେହିପରି ଅଞ୍ଚଳର ବିଭିନ୍ନ ସ୍ଥାନରେ ୧୦ରୁ ଅଧିକ ବଡ଼ ବଡ଼ ଗଛ ଭାଙ୍ଗି ରାସ୍ତାରେ ପଡ଼ିଥିବାରୁ ରାସ୍ତା ଅବରୋଧ ହୋଇଛି । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ସ୍ଥାନୀୟ ଲୋକ ନିଜ ଉଦ୍ୟମରେ କିଛି ସ୍ଥାନରେ ଗଛ କାଟି ରାସ୍ତାରୁ ହଟାଇଥିବା ଜଣାପଡ଼ିଛି । ବର୍ତ୍ତମାନ ବି କିଛି ସ୍ଥାନରେ ଗଛ ପଡ଼ିଥିବାରୁ ଯିବା ଆସିବାରେ ବହୁ ଅସୁବିଧା ଦେଖାଦେଇଛି । ଭୁର୍ଭିଗଡ଼ ସମିତିସଭ୍ୟା ଦେବୀ ମହାନନ୍ଦ ବିଭିନ୍ନ ଗାଁ ବୁଲିବା ସହ କ୍ଷତିଗ୍ରସ୍ତ ପରିବାରକୁ କ୍ଷତିପୂରଣ ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ତେବେ ତୁରନ୍ତ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ କ୍ଷତିଗ୍ରସ୍ତ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବାକୁ ଦାବୀ କରିଛନ୍ତି ।

Leave A Reply

Your email address will not be published.

error: Content is protected !!