ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆସନ୍ତା ସପ୍ତାହରୁ ଜିଲ୍ଲାର ୧୨ଟି ବ୍ଲକରେ ସ୍ବାସ୍ଥ୍ୟ ମେଳା ଅନୁଷ୍ଠିତ ହେବ । ଏଥିରେ ଲୋକଙ୍କର ମାଗଣାରେ ବିଶେଷଜ୍ଞ ମାନଙ୍କ ଦ୍ଵାରା ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହିତ ମାଗଣା ଔଷଧ ବଣ୍ଟନ, ଚଷମା ତଥା ବିଭିନ୍ନ ସଚେତନତା କାର୍ୟ୍ୟକ୍ରମର ଆୟୋଜନ ହେବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ ଏବଂ ଅତିରିକ୍ତ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ (ଜନ ସ୍ବାସ୍ଥ୍ୟ) ଡାକ୍ତର ଚୂଳାବତୀ ସାହୁ ସୂଚନା ଦେଇଥିଲେ । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ୟ୍ୟକ୍ରମରେ ଡାକ୍ତର ଶ୍ରୀମତୀ ସାହୁ ୧୨ଟି ବ୍ଲକର ବିଭିନ୍ନ ସ୍ଥାନର ସୂଚନା ପ୍ରଦାନ କରି ୧୮ରେ ସୋହେଲା ବ୍ଲକର କେନ୍ଦୁ ମୁଣିୟୁଜି ସ୍କୁଲ, ପଦ୍ମପୁର ବ୍ଲକର ଜମଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଅତାବିରା ବ୍ଲକର ଲରମ୍ଭା ମହାବିଦ୍ୟାଳୟ, ଭେଡେନ ବ୍ଲକର ଜାଣ୍ଡୋଲ ୟୁଜି ସ୍କୁଲରେ ସ୍ବାସ୍ଥ୍ୟ ମେଳା ଅନୁଷ୍ଠିତ ହେବ । ସେହିପରି ୧୯ ତାରିଖ ଦିନ ଭଟଲି ବ୍ଲକର କମଗା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବରଗଡ଼ ବ୍ଲକର ସରସରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉକ୍ତ ମେଳା ଆୟୋଜନ ହେବ । ୨୦ ତାରିଖ ଦିନ ଆମ୍ଭାଭୋନା ବ୍ଲକର ସ୍ବାମୀ ବିବେକାନନ୍ଦ କଲେଜ ଡୁଙ୍ଗୁରି, ବରପାଲି ବ୍ଲକର ଜଗବନ୍ଧୁ ଦାସ ମହିଳା କଲେଜ, କଦଲିପାଲି, ବିଜେପୁର ବ୍ଲକର ଜାରିପ୍ସ ୟୁଜି ସ୍କୁଲ, ଗାଇସିଲେଟ ବ୍ଲକର ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ୨୧ ତାରିଖ ଦିନ ପାଇକମାଳ ବ୍ଲକର ଲଖମରା କଲେଜ, ୨୨ତାରିଖରେ ଝାରବନ୍ଧ ବ୍ଲକର ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉକ୍ତ ମେଳା ଅନୁଷ୍ଠିତ ହେବ ବୋଲି କହିଥିଲେ । ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ଓ ଜାତୀୟ ସ୍ବାସ୍ଥ୍ୟ ମିଶନ ଆନୁକୁଲ୍ୟରେ ଉକ୍ତ ମେଳା ଆୟୋଜନ ହେବ । ଏଥିରେ ଚକ୍ଷୁ, ଶିଶୁ ରୋଗ, ସ୍ତ୍ରୀ ଓ ପ୍ରସୂତି, ଭେଷେଜ ବିଶେଷଜ୍ଞ ମାନଙ୍କ ସହ ମଧୁମେହ, ଉଚ୍ଚ ରକ୍ତଚାପ, ଚକ୍ଷୁ ରୋଗୀଙ୍କୁ ମାଗଣାରେ ଔଷଧ ଓ ଚଷମା ବଣ୍ଟନ କରାଯିବ ।