ଗଣ୍ଡାବଜା ପତ୍ରିକା ପକ୍ଷରୁ ଆମ୍ବେଦକର ଜୟନ୍ତୀ : ଦେଶର ଗଣତନ୍ତ୍ର ଓ ସମ୍ବିଧାନର ରକ୍ଷା ପାଇଁ ବିପ୍ଳବ ଆବଶ୍ୟକ ହେଲାଣି : ନରସିଂହ

  • କ୍ରମବର୍ଦ୍ଧିଷ୍ଣୁ ଧନୀ ଗରିବ ତାରତମ୍ୟ ଗଣତନ୍ତ୍ର ପ୍ରତି ଘାତକ ହେଉଛି : ନରସିଂହ
    ବଲାଙ୍ଗିର, (କେପିଏନ୍‌ଏସ୍‌) : ଭରତୀୟ ସମ୍ବିଧାନ ହେଉଛି ଦେଶବାସୀଙ୍କ ପାଇଁ ବାବା ସାହେବ ଶ୍ରେଷ୍ଠ ଅବଦାନ । କିନ୍ତୁ ଦେଶରେ କ୍ଷିପ୍ର ଗତିରେ ବଢୁଥିବା ଧନୀ ଗରିବର ତାରତମ୍ୟ ଗଣତନ୍ତ୍ର ପ୍ରତି ଘାତକ ସାବିତ ହେଉଛି । ଏହାକୁ ନେଇ ମାନ୍ୟବର ସୁପ୍ରିମ କୋର୍ଟ ମଧ୍ୟ ଟିପ୍ପଣୀ ଦେଇଛନ୍ତି ଯେ, ବର୍ତ୍ତମାନ ଦେଶର ବିଭିନ୍ନ ରାଜ୍ୟରେ ଲୋକଙ୍କ ମଧ୍ୟରେ ଅର୍ଥନୈତିକ ବିଷମତା ବଢୁଥିବାରୁ ଦେଶରେ ଚରମପନ୍ଥୀ କାର୍ଯ୍ୟକଳାପ ବଢିବାରେ ଲାଗିଛି । ଏହା ଉପରେ ସରକାର ଯଥା ଶୀଘ୍ର ଗଭୀର ଚିନ୍ତା କରିବାର ଅବଶ୍ୟକତା ରହିଛି । କାରଣ ଧନୀ ଗରିବର ତାରତମ୍ୟ ବଢିଲେ ଏହା ଆମର ସମ୍ବିଧାନ ଓ ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରିବ । ତେଣୁ ବର୍ତ୍ତମାନ ପରିସ୍ଥିତିରେ କେବଳ ସଭାସମିତି କିମ୍ବା ମହାମନିଷୀଙ୍କ ଗୁଣଗାନ ଦେଶର ସମ୍ବିଧାନ ଓ ଗଣତନ୍ତ୍ରକୁ ସୁରକ୍ଷା ଦେଇ ପାରିବ ନାହିଁ । ସମ୍ବିଧାନ ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ଆବଶ୍ୟକ ହେଲେ ଜନସାଧାରଣଙ୍କୁ ବିପ୍ଳବର ପନ୍ଥା ଆପଣାଇବା ପାଇଁ ପ୍ରସ୍ତୁତ ରହିବା ଦରକାର ବୋଲି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଗଣ୍ଡାବଜା ପତ୍ରିକା ପକ୍ଷରୁ ଆୟୋଜିତ ଅମ୍ବେଦକର ଜୟନ୍ତୀ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜ ବକ୍ତବ୍ୟରେ କହିଛନ୍ତି । ସ୍ଥାନୀୟ ସାମ୍ବାଦିକ ଭବନରେ ଗଣ୍ଡାବଜା ପତ୍ରିକାର ସମ୍ପାଦକ ତ୍ରିଲୋଚନ ନନ୍ଦଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ବାବା ସାହେବଙ୍କ ପ୍ରତିମୁର୍ତ୍ତିରେ ଅତିଥିମାନେ ପୁଷ୍ପମାଲ୍ୟ ପ୍ରଦାନ କରିବା ସହ ଆମ୍ବେଦକରଙ୍କ ସଂଘର୍ଷ ଓ ଦେଶ ଜାତି ପ୍ରତି ଅବଦାନ ଉପରେ ଆଲୋଚନା ଚକ୍ର ଆରମ୍ଭ ହୋଇଥିଲା । ବାବା ସାହେବ ବହୁ ପ୍ରତିକୁଳ ପରିସ୍ଥିତିରେ ନିଜକୁ ବିଶ୍ୱସ୍ତରୀୟ ବ୍ୟକ୍ତିତ୍ୱରେ ପରିଣତ କରି ମାନବ ସମାଜର ମୁକ୍ତି ପାଇଁ ଅମୂଲ୍ୟ ମନ୍ତ୍ର ଦେଇ ଯାଇଛନ୍ତି । ଯାହା ଆଜି ସାରା ବିଶ୍ୱକୁ ରାହ ଦେଖା ଯାଉଛି ବୋଲି ସଭାର ମୁଖ୍ୟବକ୍ତା ଅବସର ପ୍ରାପ୍ତ ପ୍ରାଧ୍ୟାପକ ରବି ପାଣ୍ଡିଆ ବକ୍ତବ୍ୟ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଜିଲ୍ଲା ପରିଷଦ ସଭ୍ୟ ଶିବଦତ୍ତ ମିଶ୍ର, ପଶ୍ଚିମ ଓଡିଶା ମହିଳା ସଂଗଠନ ସଭାପତି ସବିତା ନନ୍ଦ, ସାମାଜିକ କର୍ମୀ ସୁଷମା ବଏ ଦଳିତ ଆଦିବାସୀ ଓ ମହିଳା ଅଧିକାର ସୁରକ୍ଷିତ କରିବାରେ ବାବା ସାହେବଙ୍କ ଅବଦାନ ଉପରେ ଆଲୋକ ପାତ କରିଥିଲେ । ସେହିପରି ଯୁବ ଆଇନଜୀବୀ ତଥା ଆମ୍ବେଦକରବାଦୀ ଦିନେଶ ନାଗ ଦଳିତ, ଆଦିବାସୀ ତଥା ପଛୁଆ ବର୍ଗ ଏବେବି କିପରି ଦେଶରେ ଦଳନର ଶିକାର ହେଉଛନ୍ତି ଏବଂ ବିଗତ ସାତ ବର୍ଷରେ ଏହା ଆହୁରି ବିକଟାଳ ରୁପ ଗ୍ରହଣ କରିଛି, ସେ ଉପରେ ସବିଶେଷ ତଥ୍ୟ ପ୍ରଦାନ କରିବା ସହ ଦେଶରେ ଏକ ସୁସ୍ଥ ସମାଜ ଗଠନ ପାଇଁ ଏକ ଜାତି ବିହିନ ସମାଜର ଆବଶ୍ୟକତା ରହିଛି ବୋଲି କହିଥିଲେ । ଶେଷରେ ସଭାର ସଂଯୋଜକ ତରଣି ସେନ ଦୀପ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
Leave A Reply

Your email address will not be published.