ସେଣ୍ଟ୍ରାଲ ଇସ୍ପାତ ମାର୍କେଟରେ ଆମ୍ବେଦକର ଜୟନ୍ତୀ

ରାଉରକେଲା, (ସସ୍ମିତା ପ୍ରଧାନ) : ସେଣ୍ଟ୍ରାଲ ଇସ୍ପାତ ମାର୍କେଟର ସାହିତ୍ୟ ଖଟିରେ ଭୀମ୍ ରାଓ ଆମ୍ବେଦକରଙ୍କ ଜୟନ୍ତୀ ନାଟ୍ୟକାର ଆର୍ତ୍ତତ୍ରାଣ ମହାପାତ୍ରଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି । ଏହି ଜୟନ୍ତୀ ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୁବକବି ତଥା ଅଲ ଇଣ୍ଡିଆ ରେଡିଓର ଉଦ୍‌ଘୋଷକ ଅଶୋକ ରାଉତ ଯୋଗଦେଇ କହିଲେ, ପରାଧିନ ଭାରତବର୍ଷରେ ସାମାଜିକ ବୈଷମ୍ୟ, ଅର୍ଥନୈତିକ ପରାଧିନତା ରାଜତନ୍ତ୍ରର ବର୍ବରୋଚିତ ଘୃଣ୍ୟ ସଂସ୍କୃତି ଫରାସୀ, ମୋଗଲ ଓ ଇଂରେଜ ମାନଙ୍କ ଅତ୍ୟାଚାର ଶାସନରେ ଜର୍ଜରିତ ଭାରତ ବର୍ଷରେ ନବ ଭାରତ ନିର୍ମାଣର ବିନ୍ଧାଣି ଥିଲେ ବାବା ସାହେବ ଆମ୍ବେଦକର । ଯେ କି କୋଟି କୋଟି ଅବହେଳିତ ଜାତି ଓ ଲାଞ୍ଛିତ ମଣିଷଙ୍କ ପାଇଁ ସେ ଥିଲେ ଆଲୋକର ବର୍ତ୍ତିକା । ତାଙ୍କର ଆଦର୍ଶ ଛୁଆଁ ଅଛୁଆଁ ଭେଦଭାବ ଦେଶରୁ ଦୂର କରିଛି । ଆମେ ଭାଗ୍ୟବାନ ସେଭଳି ଯୋଗଜନ୍ମା ଆମ ଭାରତ ବର୍ଷରେ ଜନ୍ମଗ୍ରହଣ କରିଥିଲେ । ସଭାପତି ଶ୍ରୀ ମହାପାତ୍ର କହିଲେ ବର୍ଣ୍ଣ ବ୍ୟବସ୍ଥା, ଜାତିବ୍ୟବସ୍ଥା, କୁସଂସ୍କାର, ଅନ୍ଧବିଶ୍ୱାସ, ଧର୍ମୀୟ ସଂକୀର୍ଣ୍ଣତା ଦୂର କରି ଏକ ସାମାଜିକ ନ୍ୟାୟ ଦେବା ପାଇଁ ସମସ୍ତଙ୍କୁ ସେ ସାରା ଜୀବନ ସଂଗ୍ରାମ କରି ଆମକୁ ମଣିଷ ମୁକ୍ତିର ମାର୍ଗ ଦେଖାଇ ଯାଇଛନ୍ତି । ସେ ଏପରି ଜଣେ ଯୋଦ୍ଧା ବିନା ରକ୍ତପାତରେ ହଜାର ହଜାର ବର୍ଷର କଳଙ୍କିତ ଘୃଣିତ ଇତିହାସକୁ ଚାରି ଦଶନ୍ଧିରେ ପରିବର୍ତ୍ତନ କରିପାରିଥିଲେ । ତାଙ୍କ ଦର୍ଶନ ମତରେ ସାମାଜିକ ସମାନତା ହେଉଛି ସମାଜର ମୂଳ ପିଣ୍ଡ । ସମ୍ବିଧାନ ଚୟନ କମିଟିର ଅଧ୍ୟକ୍ଷ ରହି ଭାରତ ବର୍ଷକୁ ଏକ ଧର୍ମନିରପେକ୍ଷ ସାର୍ବଭୌମ ଜନମଙ୍ଗଳ ରାଷ୍ଟ୍ରର ମର୍ଯ୍ୟାଦା ଦେଇଥିଲେ ଆମ ସମ୍ବିଧାନରେ । ତାଙ୍କ ପାଇଁ ଭାରତ ବର୍ଷରୁ ରାଜତନ୍ତ୍ର, ସାମନ୍ତବାଦ, ଜମିଦାରୀ ପ୍ରଥା ଓ ଜାତି ବ୍ୟବସ୍ଥା ଲୋପ ପାଇ ଯାଇଛି । ବର୍ତ୍ତମାନ ସମ୍ବିଧାନକୁ ରକ୍ଷା କରିବା ସମସ୍ତ ନାଗରିକଙ୍କ କର୍ତ୍ତବ୍ୟ ବୋଲି ସେ କହିଥିଲେ । ଏହି ଜୟନ୍ତୀ ସଭାରେ ବାବୁଲା ସିଂ, ଅଶୋକ ପଣ୍ଡା, ପାରେଶ୍ବର ବିଶ୍ବାଳ, ବିକାଶ ପଣ୍ଡା, ରଘୁନାଥ ସ୍ବାଇଁ, ସୁଭ୍ରାଂଶୁ ପରିଡ଼ା, ଦୁଃଖ ଆଚାର୍ୟ୍ୟ ଉପସ୍ଥିତ ଥିଲେ । ଶେଷରେ ଅଶୋକ ପଣ୍ଡା ମାର୍କେଟ ତରଫରୁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.